ବ୍ରହ୍ମପୁର: ଓଡ଼ିଶାରେ ରହି ଆନ୍ଧ୍ରରେ ପାଠ ପଢ଼ିବାକୁ ପସନ୍ଦ କରୁଛନ୍ତି ଛାତ୍ରଛାତ୍ରୀ। ଆନ୍ଧ୍ର ସାର୍ଟିଫିକେଟ୍‌ରେ ବହୁ ଯୁବକଯୁବତୀ ଗଞ୍ଜାମ ଜିଲ୍ଲାରେ ଚାକିରି କରୁଛନ୍ତି। ଆନ୍ଧ୍ରର ଏକ ସ୍କୁଲରୁ ଦଶମ ଶ୍ରେଣୀ ପାସ୍‌ କରିଥିବା ଜଣେ ଯୁବକ ଗ୍ରାମୀଣ ଡାକ ସେବକ(ଜିଡିଏସ୍‌) ପାଇଁ ବ୍ରହ୍ମପୁର ପୋଷ୍ଟାଲ୍‌ ଡିଭିଜନ୍‌ରେ ଆବେଦନ କରିଛନ୍ତି। କିନ୍ତୁ ସାର୍ଟିଫିକେଟ୍‌ ଯାଞ୍ଚ ବେଳେ ତାଙ୍କର ମାର୍କ ଦେଖି ଖୋଦ୍‌ ବିଭାଗୀୟ ଅଧିକାରୀ ତାଜୁବ୍‌ ହୋଇ ଯାଇଛନ୍ତି। କାରଣ ଛାତ୍ର ଜଣକ ଦଶମ ଶ୍ରେଣୀ ପରୀକ୍ଷାରେ ମେଟ ୬ଶହରୁ ୬ଶହ ମାର୍କ ରଖି ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଛନ୍ତି। ଆଶ୍ଚର୍ଯ୍ୟର କଥା ହେଉଛି, ସେ ଓଡ଼ିଆ ଓ ତେଲୁଗୁ ବିଷୟରେ ମଧ୍ୟ ଶହେରୁ ଶହେ ମାର୍କ ରଖିଛନ୍ତି, ଯାହା ଆହୁରି ତଟସ୍ଥ କଲା ଭଳି। ଏଭଳି ମାର୍କ ରଖିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ସତରେ ଛାତ୍ର ଜଣକ ଏତେ ବୁଦ୍ଧିମାନ ନା ଏହାପଛରେ ଅନ୍ୟ କିଛି କାରସାଦି ରହିଛି ବୋଲି ବିଭାଗୀୟ କର୍ତ୍ତୃପକ୍ଷ, ବିଭିନ୍ନ ମହଲରେ ପ୍ରଶ୍ନ ସୃଷ୍ଟି ହୋଇଛି। ଏଭଳି ମାର୍କ ଦେଖିବା ପରେ ଆନ୍ଧ୍ରର ବିଚିତ୍ର ଶିକ୍ଷା ଓ ମୂଲ୍ୟାୟନ ବ୍ୟବସ୍ଥା ଆଡ଼କୁ ଅଙ୍ଗୁଳି ନିର୍ଦ୍ଦେଶ କରିଛି। ଅନ୍ୟପଟେ ଛାତ୍ରଙ୍କ ଶିକ୍ଷା ପ୍ରମାଣପତ୍ର ଯାଞ୍ଚ ପରେ ତାହା ଠିକ୍‌ ବୋଲି ଜଣାପଡ଼ିଛି। ଏଣୁ ବିଭାଗୀୟ ଅଧିକାରୀ ମଧ୍ୟ ଏ ଦିଗରେ କିଛି ପଦକ୍ଷେପ ନେଇପାରୁ ନାହାନ୍ତି। ତେବେ ଏହି ଘଟଣାରେ ଏବେ ଡାକ ବିଭାଗ ଅଧିକ ଖୋଳତାଡ଼ ଆରମ୍ଭ କରିଛି।

Advertisment

ରାଜ୍ୟ ବାହାର ଜାଲ୍‌ ସାର୍ଟିଫିକେଟ୍‌ ଧରପଗଡ଼ ଜୋରଦାର କରାଯାଇଛି। ଡାକ ବିଭାଗରେ ଥିବା ଜାଲ୍‌ କର୍ମଚାରୀଙ୍କୁ ଠାବ କରିବା ପାଇଁ ଉଚ୍ଚସ୍ତରୀୟ ତଦନ୍ତ ଜାରି ରହିଛି। ଇତି ମଧ୍ୟରେ ଆନ୍ଧ୍ର ସ୍କୁଲରୁ ଦଶମ ଶ୍ରେଣୀ ପାସ୍‌ କରିଥିବା ଜଣେ ଛାତ୍ର ୬ଶହରୁ ୬ଶହ ମାର୍କ ରଖି ଜିଡିଏସ୍‌ ପାଇଁ ଆବେଦନ କରିଥିବା ଜଣାପଡ଼ିବା ପରେ ଖୋଦ୍‌ ଅଧିକାରୀମାନେ ବିସ୍ମୟ ପ୍ରକାଶ କରିଛନ୍ତି। ପାତ୍ରପୁର ବ୍ଲକ୍‌ ଅନ୍ତର୍ଗତ ତୁମ୍ବାଗଡ଼ରେ ରହୁଥିବା ଜଣେ ଛାତ୍ର ଆନ୍ଧ୍ର ପ୍ରଦେଶ ଶ୍ରୀକାକୁଲମ୍‌ ଜିଲ୍ଲାର ମଣ୍ଡସାର ଏକ ହାଇସ୍କୁଲରୁ ୨୦୨୦ରେ ମାଟ୍ରିକ୍‌ ପାସ୍‌ କରିଛନ୍ତି। ସେ ସର୍ବମୋଟ ୬ଶହ ମାର୍କ ରଖିଛନ୍ତି। ସେ ଓଡ଼ିଆ, ତେଲୁଗୁ, ଇଂରାଜୀ, ଗଣିତ, ବିଜ୍ଞାନ, ‌ସୋସିଆଲ୍‌ ଷ୍ଟଡିଜ୍‌ରେ ଶହେ ଲେଖାଏଁ ମାର୍କ ରଖିଛନ୍ତି। ଓଡ଼ିଆ, ତେଲୁଗୁ ଓ ଇଂରାଜୀ ଭଳି ବିଷୟରେ ଶହେରୁ ଶହେ ମାର୍କ ରଖିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ସେହି ଛାତ୍ର ଜଣକ ଜିଡିଏସ୍‌ ପାଇଁ ଆବଦେନ କରିଛନ୍ତି। ମେରିଟ୍‌ ଅନୁସାରେ ‌ସର୍ବାଧିକ ମାର୍କ ରଖିଥିବା ଛାତ୍ରଙ୍କୁ ଚାକିରି ଦିଆଯାଉଛି। ଏଣୁ ଏହି ଛାତ୍ର ଜଣକ ଚାକିରି ପାଇବା ଥୟ। ଏହା କେବଳ ଗୋଟିଏ ଘଟଣା ନୁହେଁ, ଗଞ୍ଜାମ ଜିଲ୍ଲାରେ ଏଭଳି ବହୁ ଉଦାହରଣ ରହିଛି। ବହୁ ଯୁବକଯୁବତୀ ଆନ୍ଧ୍ର ମାଟ୍ରିକ୍‌, ସିଟି, ବିଇଡି ସାର୍ଟିଫିକେଟ୍‌ ଦାଖଲ କରି ଅଧିକ ମାର୍କ ରଖି ଗଞ୍ଜାମ ଜିଲ୍ଲାର ଶିକ୍ଷା ବିଭାଗ ସହିତ ଅନ୍ୟାନ୍ୟ ବିଭାଗରେ ଚାକିରି କରୁଛନ୍ତି। ଆନ୍ଧ୍ରର କିଛି ନିର୍ଦ୍ଦି‌ଷ୍ଟ ଶିକ୍ଷାନୁଷ୍ଠାନ ଛାତ୍ରଛାତ୍ରୀଙ୍କୁ ମନଇଚ୍ଛା ମାର୍କ ଦେଉଛନ୍ତି। ଯାହା ଫଳରେ ଓଡ଼ିଶା-ଆନ୍ଧ୍ର ସୀମାନ୍ତ ଇଲାକାରେ ରହୁଥିବା ଛାତ୍ରଛାତ୍ରୀ ଆନ୍ଧ୍ର ସ୍କୁଲ ଓ କଲେଜରେ ପାଠ ପଢ଼ିବାକୁ ଇଚ୍ଛା କରୁଥିବା ଦେଖିବାକୁ ମିଳୁଛି।

ବ୍ରହ୍ମପୁର ପୋଷ୍ଟାଲ୍‌ ଡିଭିଜନ୍‌ରେ ଜିଡିଏସ୍ ପାଇଁ ଆବେଦନ କରିଥିବା ପ୍ରାର୍ଥୀଙ୍କ ମଧ୍ୟରୁ ୧୫ଜଣ ବାହାର ରାଜ୍ୟର ଦଶମ ଶ୍ରେଣୀ ସାର୍ଟିଫିକେଟ୍‌ ଦାଖଲ କରିଛନ୍ତି। ତନ୍ମଧ୍ୟରୁ ୧୦ଜଣ ଆନ୍ଧ୍ର ବୋର୍ଡ଼ର ଦଶମ ଶ୍ରେଣୀ ଶିକ୍ଷା ପ୍ରମାଣପତ୍ର ଦାଖଲ କରିଥିବା ବେଳେ ୨ଜଣ ଛତିଶଗଡ଼ ଓ ୩ଜଣ ଉତ୍ତରପ୍ରଦେଶ ବୋର୍ଡ଼ର ଦଶମ ‌ଶ୍ରେଣୀ ସାର୍ଟିଫିକେଟ୍‌ ଦାଖଲ କରିଛନ୍ତି।