ଯୁକ୍ତ୨ ପରୀକ୍ଷାରେ ୬ ହଜାର ପରୀକ୍ଷାର୍ଥୀ ଅନୁପସ୍ଥିତ

ଏପ୍ରିଲ ୧୦ରୁ ଦୁଇଟି ପର୍ଯ୍ୟାୟରେ ଖାତା ଦେଖା, ମେ’ ଶେଷ ସୁଦ୍ଧା ଫଳ ପ୍ରକାଶ କରିବାକୁ ଲକ୍ଷ୍ୟ

ଭୁବନେଶ୍ବର: ମାଟ୍ରିକ୍‌ ପରି ଯୁକ୍ତ୨ରେ ବି ପରୀକ୍ଷା ଦେବାକୁ ଆସୁନାହାନ୍ତି ପରୀକ୍ଷାର୍ଥୀ। କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ପାଠ୍ୟକ୍ରମରେ ପରୀକ୍ଷା ଦେବା ଲାଗି ୩ ଲକ୍ଷ ୫୭ହଜାର ୯୪୨ଜଣ ଛାତ୍ରଛାତ୍ରୀ ଫର୍ମ ପୂରଣ କରିଥିଲେ। କଳା ବିଭାଗରେ ସର୍ବାଧିକ ୨ ଲକ୍ଷ ୩୩ ହଜାର ୮୫୫ଜଣ ରହିଥିବା ବେଳେ ବିଜ୍ଞାନରେ ୯୩ହଜାର ୮୯୪, ବାଣିଜ୍ୟରେ ୨୪ ହଜାର ୩୩୧ ଓ ଧନ୍ଦାମୂଳକରେ ୫୮୬୨ଜଣ ରହିଥିଲେ। ସେମାନଙ୍କ ମଧ୍ୟରୁ ପାଖାପାଖି ୬ହଜାର ପରୀକ୍ଷାର୍ଥୀ ପରୀକ୍ଷା ଦେବାକୁ ଆସୁନାହାନ୍ତି। କଳା ବିଭାଗରେ ସର୍ବାଧିକ ପରୀକ୍ଷାର୍ଥୀ ଅନୁପସ୍ଥିତ ରହିଥିବା ଜଣାପଡ଼ିଛି। ଫେବ୍ରୁଆରିରେ ଅନୁଷ୍ଠିତ ହୋଇଥିବା ପ୍ରାକ୍ଟିକାଲ ପରୀକ୍ଷାରେ ବି ଶତାଧିକ ପରୀକ୍ଷାର୍ଥୀ ଅନୁପସ୍ଥିତ ରହିଥିବା ନେଇ କଲେଜଗୁଡ଼ିକ ପକ୍ଷରୁ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ(ସିଏଚ୍‌ଏସ୍‌ଇ) କର୍ତ୍ତୃପକ୍ଷଙ୍କୁ ଅବଗତ କରାଯାଇଛି। କେଉଁ କଲେଜର କେତେ ପରୀକ୍ଷାର୍ଥୀ ପରୀକ୍ଷା ଦେଉନାହାନ୍ତି, ତାହାର ତାଲିକା ଇତିମଧ୍ୟରେ ପରିଷଦ ନିକଟରେ ହସ୍ତଗତ ହୋଇଛି। ଆଉ ୫ଦିନର ପରୀକ୍ଷା ବାକି ରହିଥିବାରୁ ଅନୁପସ୍ଥିତ ପରୀକ୍ଷାର୍ଥୀଙ୍କ ଚୂଡ଼ାନ୍ତ ତାଲିକା ଜଣାପଡ଼ି ନଥିବା ପରିଷଦର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି।

ଅନ୍ୟପକ୍ଷରେ ପରୀକ୍ଷା ଶେଷ ହେବା କ୍ଷଣି ଖାତା ମୂଲ୍ୟାୟନ ଆରମ୍ଭ କରିବାକୁ ପରିଷଦ ପକ୍ଷରୁ ଯୋଜନା‌ ପ୍ରସ୍ତୁତ ହୋଇଛି। ଏଥର ବି ଦୁଇଟି ପର୍ଯ୍ୟାୟରେ ପାଖାପାଖି ସାଢ଼େ ୩ଲକ୍ଷ ଛାତ୍ରଛାତ୍ରୀଙ୍କ ଉତ୍ତର ଖାତା ମୂଲ୍ୟାୟନ କରାଯିବ। ଏପ୍ରିଲ ୧୦ରୁ ପ୍ରଥମ ପର୍ଯ୍ୟାୟ ମୂଲ୍ୟାୟନ ଆରମ୍ଭ ହେବ। ଅନ୍‌ଲାଇନ୍‌ ମୂଲ୍ୟାୟନ ୨୨ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବାବେଳେ ଅଫ୍‌ଲାଇନ୍‌ ମୂଲ୍ୟାୟନ ଏପ୍ରିଲ ୨୧ ଯାଏ ଚାଲିବ। ଉଭୟ ଅଫ୍‌ଲାଇନ୍‌ ଓ ଅନ୍‌ଲାଇନ୍‌ ମୂଲ୍ୟାୟନରେ ପ୍ରାୟ ୧୨ହଜାର ଅଧ୍ୟାପକ ସାମିଲ କରିବାକୁ ଯୋଜନା ପ୍ରସ୍ତୁତ ହୋଇଛି। ସର୍ବଭାରତୀୟ ପ୍ରବେଶିକା ପରୀକ୍ଷାକୁ ନଜରରେ ରଖି ମେ’ ମାସ ମଧ୍ୟରେ ବିଜ୍ଞାନ ବିଭାଗର ପରୀକ୍ଷା ଫଳ ପ୍ରକାଶ କରିବାକୁ ଲକ୍ଷ୍ୟଧାର୍ଯ୍ୟ ହୋଇଛି। ଜୁନ୍‌ ଦ୍ବିତୀୟ ସପ୍ତାହ ମଧ୍ୟରେ ସମସ୍ତ ବିଷୟର ପରୀକ୍ଷା ଫଳ ପ୍ରକାଶ କରାଯିବ ବୋଲି ପରିଷଦ ପକ୍ଷରୁ ସୂଚନା ମିଳିଛି। ସୂଚନାଯୋଗ୍ୟ ଯେ ଚଳିତ ବର୍ଷ ୧୧୪୫ଟି ପରୀକ୍ଷା କେନ୍ଦ୍ରରେ ସାଢ଼େ ୩ ଲକ୍ଷ ଛାତ୍ରଛାତ୍ରୀ ପରୀକ୍ଷା ଦେଉଛନ୍ତି। ପ୍ରଶ୍ନପତ୍ର ସୁରକ୍ଷା ଲାଗି ୨୦୨ଟି ହବ୍‌ କରାଯାଇଛି।

ସମ୍ବନ୍ଧିତ ଖବର