ଭୁବନେଶ୍ବର: ରାଜ୍ୟ ସରକାରଙ୍କ ‘ମୁଖ୍ୟମନ୍ତ୍ରୀ ସହରୀ ବିକାଶ ଯୋଜନା’ ଚଳିତ ଆର୍ଥିକ ବର୍ଷରୁ ଆରମ୍ଭ ହେବ। ଏହାର ଉଦ୍ଦେଶ୍ୟ ହେଲା, ‘ବିକଶିତ ଓଡ଼ିଶା@ ୨୦୩୬’ ଲକ୍ଷ୍ୟ ପୂରଣ ପାଇଁ ସହରୀ ଭିତ୍ତିଭୂମିକୁ ସୁଦୃଢ଼ କରିବା ସହ ରାଜସ୍ବ ଅଭିବୃଦ୍ଧି। ଯୋଜନା ପାଇଁ ପାଞ୍ଚ ବର୍ଷରେ ୬ ହଜାର କୋଟି ଟଙ୍କା ଖର୍ଚ୍ଚ ହେବ। ଚଳିତ ଆର୍ଥିକ ବର୍ଷ ୨୦୨୫-୨୬ରେ ଏଥି ପାଇଁ ୧୧୦୦ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି। ଆଜି ଏ ସଂକ୍ରାନ୍ତୀୟ ପ୍ରସ୍ତାବରେ କ୍ୟାବିନେଟ୍ ମୋହର ବାଜିଛି।
ଆଜି ଅପରାହ୍ଣରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ କ୍ୟାବିନେଟ୍ ବୈଠକ ହୋଇଥିଲା। ଏଥିରେ ଚାରିଟି ପ୍ରସ୍ତାବ ପାରିତ ହୋଇଥିଲା। ‘ମୁଖ୍ୟମନ୍ତ୍ରୀ ସହରୀ ବିକାଶ ଯୋଜନା’ରେ ଥିବା ବ୍ୟବସ୍ଥା ଅନୁଯାୟୀ ପାଞ୍ଚ ବର୍ଷରେ ସହରାଞ୍ଚଳରେ ୫୦ ହଜାରରୁ ଅଧିକ ଭିତ୍ତିଭୂମି ପ୍ରକଳ୍ପ ସୃଷ୍ଟି କରାଯିବ। ୫ ଲକ୍ଷରୁ ଅଧିକ କୁଶଳୀ ଓ ଅଣକୁଶଳୀ ଶ୍ରମିକଙ୍କୁ ମଜୁରି ପ୍ରଦାନ କରାଯିବ। ପରିବେଶ ସୁରକ୍ଷା ଓ ଜଳବାୟୁ ପରିବର୍ତ୍ତନର ମୁକାବିଲା ପାଇଁ ୫ ହଜାରରୁ ଅଧିକ ବନୀକରଣ ପ୍ରକଳ୍ପ ସୃଷ୍ଟି କରାଯିବ। ଏହି ଯୋଜନାରେ ହେବାକୁ ଥିବା ପ୍ରକଳ୍ପଗୁଡ଼ିକୁ ମୁଖ୍ୟତଃ ଚାରିଟି ଭାଗରେ ଭାଗ କରାଯାଇଛି। ସେଗୁଡ଼ିକ ହେଲା ସହରୀ ଭିତ୍ତିଭୂମି, ଶ୍ରମ ସମୃଦ୍ଧି, ଜଳ ସମୃଦ୍ଧି ଓ ପ୍ରାଣୀ ସମୃଦ୍ଧି। ସହରୀ ଭିତ୍ତିଭୂମି ବିଭାଗରେ ସାଧାରଣ ଓ ରାଜସ୍ବ ସୃଷ୍ଟିକାରୀ ଭିତ୍ତିଭୂମିର ବିକାଶ କରାଯିବ। ଏହା ମଧ୍ୟରେ ରହିଛି କଲ୍ୟାଣ ମଣ୍ଡପ, ସଭାଗୃହ, ଟାଉନ ହଲ୍, ଶ୍ମଶାନ, ମାର୍କେଟ୍ କମ୍ପ୍ଲେକ୍ସ, ଡ୍ରେନ୍, ପାର୍କ, ଭେଣ୍ଡିଂ ଜୋନ୍, ଶୀତଳ ଭଣ୍ଡାର, ପାର୍କିଂ ସ୍ଥାନ ଓ କ୍ଷୁଦ୍ର ପର୍ଯ୍ୟଟନସ୍ଥଳୀ ନିର୍ମାଣ। ଶ୍ରମ ସମୃଦ୍ଧି ବିଭାଗରେ ଛୋଟ ପାର୍କ, ମୁକ୍ତାକାଶ ବ୍ୟାୟାମଶାଳା, ଶିଶୁ କ୍ରୀଡ଼ା ଉଦ୍ୟାନ, ଖେଳପଡ଼ିଆ, ବନୀକରଣ ପ୍ରକଳ୍ପ, ଭାଗବତ ଟୁଙ୍ଗୀ ଓ ସାସ୍କୃତିକ କେନ୍ଦ୍ର ଇତ୍ୟାଦି ନିର୍ମାଣ ହେବ। ଜଳ ସମୃଦ୍ଧି ବିଭାଗରେ ନଦୀକୂଳ ଓ ଜଳାଶୟଗୁଡ଼ିକର ନବୀକରଣ କରାଯିବ। ପ୍ରାଣୀ ସମୃଦ୍ଧି ବିଭାଗରେ କାଞ୍ଜିଆ ହୁଦା/ଗୋଶାଳା ଓ ପ୍ରାଣୀଯତ୍ନ କେନ୍ଦ୍ରର ବିକାଶ କରାଯିବ।
‘ମୁଖ୍ୟମନ୍ତ୍ରୀ ସହରୀ ବିକାଶ ଯୋଜନା’ରେ କ୍ୟାବିନେଟ୍ ମୋହର
ଚଳିତ ବର୍ଷ ଖର୍ଚ୍ଚ ହେବ ୧୧୦୦ କୋଟି
ସହରାଞ୍ଚଳରେ ହେବ ଅନେକ ଭିତ୍ତିଭୂମି ପ୍ରକଳ୍ପ
ଛେଳିଗଡ଼ ସେଚ ପ୍ରକଳ୍ପର କଂକ୍ରିଟ୍ ଡ୍ୟାମ୍ ପାଇଁ ୧୫୧ କୋଟି
କ୍ୟାବିନେଟ୍ ବୈଠକରେ ଜଳସମ୍ପଦ ବିଭାଗର ‘ଛେଳିଗଡ଼ ଜଳସେଚନ ପ୍ରକଳ୍ପର କଂକ୍ରିଟ୍ ଡ୍ୟାମ୍ ଓ ସ୍ପିଲ୍ୱେ ନିର୍ମାଣ’ କାର୍ଯ୍ୟ ପାଇଁ ୧୫୧ କୋଟି ୭୮ ଲକ୍ଷ ଟଙ୍କାର ଟେଣ୍ଡର୍କୁ ଅନୁମୋଦନ ମିଳିଛି। ପ୍ରକଳ୍ପଟିକୁ ୧୮ ମାସ ମଧ୍ୟରେ ସମ୍ପୂର୍ଣ୍ଣ କରିବାକୁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। ଏହି ପ୍ରକଳ୍ପ ଦ୍ବାରା ଗଜପତି ଜିଲ୍ଲା ଅଧୀନସ୍ଥ ଆର୍ ଉଦୟଗିରି ବ୍ଲକ୍ର ଛେଳିଗଡ଼ ଗ୍ରାମ ନିକଟରେ ବଂଶଧାରା ନଦୀର ବଡ଼ଜୋର ଉପନୀରେ ଏକ ଜଳାଶୟ ନିର୍ମାଣ ନିମନ୍ତେ ୨୬୬ ମି. ଦୀର୍ଘ କଂକ୍ରିଟ୍ ଡ୍ୟାମ୍ ସହିତ ୭ଟି ରେଡିଆଲ୍ ଗେଟ୍ ନିର୍ମାଣ କରାଯିବ। ଏହି ପ୍ରକଳ୍ପଟି ଗଜପତି ଜିଲ୍ଲାର ୫୦୦ ହେକ୍ଟର ଓ ଗଞ୍ଜାମ ଜିଲ୍ଲାର ୫୭୬୦ ହେକ୍ଟର ଚାଷଜମିକୁ ଜଳସେଚନ ସୁବିଧା ଯୋଗାଇ ଦେବ। ପ୍ରକଳ୍ପଟି ୩୬ ମେଗାୱାଟ ଜଳବିଦ୍ୟୁତ୍ ଶକ୍ତି ଉତ୍ପାଦନ କରିବା ସହ ସ୍ଥାନୀୟ ଲୋକମାନଙ୍କର ସାମାଜିକ ଓ ଆର୍ଥିକ ଉନ୍ନତି ଦିଗରେ ମଧ୍ୟ ସହାୟକ ହେବ ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି। ଭୁବନେଶ୍ବରର ଚନ୍ଦ୍ରଶେଖରପୁରରେ ‘ନାର୍କୋଟିକ୍ସ କଣ୍ଟ୍ରୋଲ୍ ବ୍ୟୁରୋ’କୁ ଆବଣ୍ଟିତ ହୋଇଥିବା ସରକାରୀ ଜମିର ଅତିରିକ୍ତ ପ୍ରିମିୟମ ବାବଦକୁ ୨ କୋଟି ୬୦ ଲକ୍ଷ ୮୨ ହଜାର ଛାଡ଼ କରିବା ପ୍ରସ୍ତାବ କ୍ୟାବିନେଟ୍ରେ ପାରିତ ହୋଇଛି।