ଗାର୍ଗୀ ଶତପଥୀ
ଭୁବନେଶ୍ବର: ଆପଣ କେବେ ଖାଇଛନ୍ତି କି କେନ୍ଦ୍ରାପଡ଼ାର ତରି, କୋରାପୁଟର ଚେଣ୍ଟି ସହିତ ରାଜ୍ୟର ପ୍ରାୟ ସବୁ ସ୍ଥାନରେ ମିଳୁଥିବା ବଥୁଆ ଶାଗ? ଦିନ ଥିଲା ୧୮୫ ପ୍ରକାର ଶାଗର ମଜା ନେଉଥିଲେ ଓଡ଼ିଆ। ହାତରେ ଟଙ୍କା ନ ଥାଉ ପଛକେ ପାଖ ଜଙ୍ଗଲ କିମ୍ବା ବାଡ଼ିରୁ ଶାଗ ଆଣି ଭାତ ସହିତ ଖାଉଥିଲେ। ପାଟିକୁ ସୁଆଦିଆ, ଶରୀର ପାଇଁ ପୋଷଣଯୁକ୍ତ ଥିବାରୁ ଧନୀ, ଗରିବ ନିର୍ବିଶେଷରେ ପ୍ରତି ଘରେ ଏହାର ଆଦର କାହିଁରେ କେତେ ଥିଲା। ହେଲେ ଉଦ୍‌ବେଗର ବିଷୟ ହେଲା, ବିଭିନ୍ନ କାରଣରୁ ଆଜି ରାଜ୍ୟରେ ଶତାଧିକ ଶାଗ ଆଉ ମିଳୁନି। ବାଡ଼ିରେ ନାହିଁ କି ବଜାରରେ। ଜଳବାୟୁ ପରିବର୍ତ୍ତନ ମଧ୍ୟ ଅନ୍ୟ ଏକ କାରଣ ବୋଲି ବିଶେଷଜ୍ଞ ମତ ରଖୁଛନ୍ତି। ଅନ୍ୟପକ୍ଷରେ ଏବେ ଓଡ଼ିଶାରେ ମାତ୍ର ୩୬ ପ୍ରକାର ଶାଗ ଉପଲବ୍ଧ ରହିଛି। ସେଥିରେ ପୁଣି ରାଜଧାନୀ ସମେତ ରାଜ୍ୟର ପ୍ରମୁଖ ସହରମାନଙ୍କର ମୁଖ୍ୟ ବଜାରରେ କୋଶଳା, ପାଳଙ୍ଗ, ଖଡ଼ା, ମୂଳା ଭଳି ହାତଗଣତି ଶାଗ ବିକ୍ରି ହେଉଛି।

Advertisment

ବିଶେଷଜ୍ଞଙ୍କ କହିବା କଥା ଯେ କେବଳ ଶାଗ କ୍ଷେତ୍ରରେ ଏମିତି ହୋଇଛି, ତା’ ନୁହେଁ। ଧାନ, ଡାଲି, ତୈଳବୀଜ, ମିଲେଟ୍, ପରିବା ଏବଂ ଔଷଧୀୟ ବୃକ୍ଷ କ୍ଷେତ୍ରରେ ମଧ୍ୟ ଅନୁରୂପ ସ୍ଥିତି ଉପୁଜିଛି। ପୂର୍ବରୁ ଯେତେ ପ୍ରକାରର ଏସବୁ ମିଳୁଥିଲା, ସେଥିରୁ ଅଧିକାଂଶ ମରିବାକୁ କିମ୍ବା ହଜିବାକୁ ବସିଲାଣି। ହାଏବ୍ରିଡ୍‌ ଏବଂ ହାଏଇଲ୍ଡର ଭିଡ଼ରେ ଦେଶୀ ବିହନର ମୃତ୍ୟୁ ସହିତ ଏସବୁ ଏବେ ଦୁଷ୍ପ୍ରାପ୍ୟ ହେଲାଣି।

୧୮୫ ପ୍ରକାର ଶାଗର ମଜା ନେଉଥିଲେ ଓଡ଼ିଆ
ଏବେ ୩୬ ପ୍ରଜାତିର ଶାଗ, ଆଉ ସବୁ ଉଭାନ୍‌
କୋରାପୁଟ ଚାଷୀ ଫଳାଉଛନ୍ତି ଚେରି ଟମାଟୋ
ବଜାରରେ ଅନ୍ୟ ରାଜ୍ୟ ଟମାଟୋର ଆଧିପତ୍ୟ

କୃଷି ବିଭାଗ ପକ୍ଷରୁ ଜନତା ମୈଦାନରେ ଆୟୋଜିତ କୃଷି ଓଡ଼ିଶା କାର୍ଯ୍ୟକ୍ରମ ଅବସରରେ ୬୦୪ ପ୍ରକାର ବିହନର ପ୍ରଦର୍ଶନୀ ହୋଇଥିଲା। ଏଥିରେ ଧାନ ୧୯୫, ଡାଲି ୧୨୪, ପରିବା ୧୬୭, ମିଲେଟ୍ ୩୨, କନ୍ଦା ୩୬, ତୈଳବୀଜ ୨୬ ପ୍ରକାର, ଔଷଧୀୟ ବୃକ୍ଷ ୨୪ ପ୍ରକାର ରହିଛି। ଏଥିମଧ୍ୟରୁ ମଧ୍ୟ ଅଧିକାଂଶ ବିଲୁପ୍ତ ହେବାକୁ ବସିଛି। ବିଳମ୍ବରେ ହେଲେ ମଧ୍ୟ ସରକାର ଚେତିଲେଣି ଯେ ଏସବୁର ପୁନରୁଦ୍ଧାର କରାଯିବା ଦରକାର। ଏଥିପାଇଁ ସ୍ବତନ୍ତ୍ର କାର୍ଯ୍ୟକ୍ରମ ଜରିଆରେ ଏହାର ପୁନରୁଦ୍ଧାର ପାଇଁ ପ୍ରୟାସ ଆରମ୍ଭ ହୋଇଛି। ସାମାଜିକ ସଙ୍ଗଠନ ୱାସନ୍‌ର ସୁଦୀପ୍ତ ଦାସଙ୍କ ମତ ହେଉଛି, ବିଭିନ୍ନ ମଲ୍‌ରେ ସାଧାରଣ ବଜାର ଠାରୁ ଦୁଇରୁ ତିନି ଗୁଣ ଅଧିକ ଦରରେ ବିକ୍ରି ହୁଏ ଚେରି ଟମାଟୋ। କିନ୍ତୁ ଏହି ଟମାଟୋ ଅଧିକ ଗୁଣାତ୍ମକମାନ ସହିତ କୋରାପୁଟ ମାଟିରେ ସ୍ଥାନୀୟ ଆଦିବାସୀମାନେ ଚାଷ କରୁଛନ୍ତି। ମଦନାପଲ୍ଲି, ମଦନା, କୁନ୍ଦରା, ଗୋଲାପୀ ଭଳି ଅନେକ ପ୍ରକାର ଭିଟାମିନ୍‌ଯୁକ୍ତ ଟମାଟୋ ରାଜ୍ୟରେ ଉପଲବ୍ଧ ରହିଛି। ହେଲେ ଆଶ୍ଚର୍ଯ୍ୟ ଯେ ଓଡ଼ିଶା ବଜାରରେ ବାହାର ରାଜ୍ୟର ଟମାଟୋର ଆଧିପତ୍ୟ ବଢ଼ିବାରେ ଲାଗିଛି। ଏହି ପ୍ରଦର୍ଶନୀରେ ୧୦ ପ୍ରକାର ଟମାଟୋ ସହିତ ୧୧ ପ୍ରକାର ଲାଉ ବିହନ ଲୋକଙ୍କୁ ଆଶ୍ଚର୍ଯ୍ୟ କରୁଥିଲା।

ସେହିଭଳି ଓଡ଼ିଶାରେ ଗେହ୍ଲେଇକଣ୍ଠି, ମୋତି, ଦୁଧକଳମ, ବୁରୋମାଳ, ଗେଠୁ, ମୋତି, କଳାକାହ୍ନୁ ଭଳି ଧାନ ବିହନ, ଦେଶୀ ଲାଲସେମି, କଳା ସେମି, ରଙ୍ଗ ଝଟା, କରମଙ୍ଗା ସେମି, ବାସ୍ତୁଲ ସେମି ଭଳି ଡାଲିଜାତୀୟ ପ୍ରଦର୍ଶନୀରେ ଦେଖିବାକୁ ମିଳିଛି। ବରଗଡ଼ର ଚାଷୀ ଶିବ ସାହୁଙ୍କର କହିବା କଥା, କର୍ଣ୍ଣି, କଳାସୁ, ବର୍ଗିଝୁଲି, କଳାବତୀ, ଚାକୁଚଏରେଡନ୍‌ ଭଳି ବିହନ ମଧୁମେହ ରୋଗୀଙ୍କ ପାଇଁ ବେଶ୍‌ ଭଲ। ଏଥିପାଇଁ ଏହି ବିହନର ଚାଉଳ ୫୦ରୁ ୧୦୦ ଟଙ୍କାରେ ବିକ୍ରି ହେଉଛି। ପ୍ରତ୍ୟେକ ଦେଶୀ ବିହନର ନିଜସ୍ବ ସ୍ବତନ୍ତ୍ର ପୋଷଣଗୁଣ ରହିଛି। ସବୁଜ ବିପ୍ଳବ ପରେ ଖାଦ୍ୟ ସୁରକ୍ଷା ମିଳିଛି କିନ୍ତୁ ରାସାୟନିକ ସାର ଯୋଗୁଁ ଏହାର ଗୁଣବତ୍ତା ପ୍ରଭାବିତ ହୋଇଛି। ଏହାର ଔଷଧୀୟ ଗୁଣକୁ ବଜାୟ ରଖିବା ପାଇଁ ବିଲୁପ୍ତ ହୋଇ ପଡ଼ୁଥିବା ଫସଲର ପୁନରୁଦ୍ଧାର ଜରୁରି ବୋଲି ଏବେ କୃଷି ବିଭାଗ ମଧ୍ୟ ହେଜିଲେଣି।