ଆକ୍ରାନ୍ତଙ୍କଠାରୁ ସୁସ୍ଥ ଅଧିକ, ଦିନକରେ ୫୯୧ ଆକ୍ରାନ୍ତ, ସୁସ୍ଥ ହେଲେ ୬୦୭

ଆଉ ୩ ଜୀବନ ଗଲା, ମୃତ୍ୟୁ ସଂଖ୍ୟା ୮୬, ଦ୍ବିତୀୟ ଦିନ ଲାଗି ଖୋର୍ଧାରୁ ଶହେରୁ ଅଧିକ

ଭୁବନେଶ୍ବର : ଗଞ୍ଜାମ ଜିଲ୍ଲାରେ ସୁସ୍ଥ ରୋଗୀଙ୍କ ସଂଖ୍ୟାରେ ସୁଧାର ଆସିଛି। ଗତ ୨୪ଘଣ୍ଟାରେ ଜିଲ୍ଲାରେ ୧୮୨ ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ୨୭୯ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏବେ ଜିଲ୍ଲାରେ ୧୬୭୧ଜଣ ସକ୍ରିୟ କରୋନା ରୋଗୀ ରହିଛନ୍ତି। ତେବେ ପ୍ରତ୍ୟେକ ଦିନ ଜିଲ୍ଲାର ବହୁ ସଂଖ୍ୟାରେ ରୋଗୀ ସୁସ୍ଥ ହେଉଥିବାରୁ ସକ୍ରିୟ ରୋଗୀଙ୍କ ସଂଖ୍ୟା ଆହୁରି କମିବ ବୋଲି ଆଶା କରାଯାଉଛି। ଜିଲ୍ଲାରେ ସମୁଦାୟ ୫୨୮୦ ରୋଗୀ ଚିହ୍ନଟ ହୋଇଥିବା ବେଳେ ୩୬୦୯ ସୁସ୍ଥ ହୋଇ ସାରିଲେଣି। ଜିଲ୍ଲାରେ ସୁସ୍ଥ ହାର ୬୮ ପ୍ରତିଶତ ରହିଛି। ଯାହାକି ରାଜ୍ୟର ସମୁଦାୟ ସୁସ୍ଥ ହାର ସହିତ ପ୍ରାୟ ସମାନ।

ଗତ ୨୪ଘଣ୍ଟାରେ ରାଜ୍ୟରେ ଯେତେ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି ତାହାଠାରୁ ଅଧିକ ସୁସ୍ଥ ହୋଇଛନ୍ତି। ୫୯୧ ଜଣ ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ୬୦୭ ଜଣ ସୁସ୍ଥ ହୋଇଛନ୍ତି। ଏହାସହିତ ସୁସ୍ଥ ହାର ୭୧ ପ୍ରତିଶତରେ ପହଂଚିଛି। ରାଜ୍ୟରେ ଏବେ ମୋଟ୍ ୪ ହଜାର ୭୬୪ ଜଣ ସକ୍ରିୟ ରୋଗୀ ରହିଛନ୍ତି।

Innovation Origins

ଅପରପକ୍ଷରେ ଲଗାତାର ଦ୍ବିତୀୟ ଦିନ ଲାଗି ଖୋର୍ଧା ଜିଲ୍ଲାରେ ଶହେରୁ ଅଧିକ ରୋଗୀ ଚିହ୍ନଟ ହୋଇଛନ୍ତି। ଏଥିରେ ସିଂହଭାଗ ରୋଗୀ ରାଜଧାନୀରୁ ରହିଛନ୍ତି। ଜିଲ୍ଲାରେ ଏବେ ସଂକ୍ରମଣ ଧୀରେ ଧୀରେ ଗଞ୍ଜାମ ଭଳି ବଢ଼ିବାକୁ ଆରମ୍ଭ କଲାଣି। ବିଶେଷକରି ଭୁବନେଶ୍ବରର ବସ୍ତି ଅଞ୍ଚଳରେ ବହୁ ସଂଖ୍ୟାରେ ସଂକ୍ରମିତ ଚିହ୍ନଟ ହେବା ବିଏମ୍‌ସର ନିଦ ହଜାଇ ଦେଇଛି। ଏହାସହ ହସ୍ପିଟାଲ ଓ ହଟସ୍ପଟ୍ ଜିଲ୍ଲାରୁ ଲକ୍‌ଡାଉନ୍ ପୂର୍ବରୁ ବହୁ ସଂଖ୍ୟାରେ ଲୋକଙ୍କ ଆଗମନ ସଂକ୍ରମଣକୁ ବଢ଼ାଇ ଦେଇଛି। ଗଞ୍ଜାମ ଜିଲ୍ଲା ପରେ ଖୋର୍ଧା ହିଁ ଆକ୍ରାନ୍ତ ଓ ମୃତ୍ୟୁ ତାଲିକାରେ ଦ୍ବିତୀୟ ସ୍ଥାନରେ ରହିଛି।

ଚଳିତମାସରେ କରୋନା ଜନିତ ମୃତ୍ୟୁ ମଧ୍ୟ ଉଦ୍‌‌ବେଗଜନକ ରହିଛି। ଗତ ୧୮ଦିନରେ ରାଜ୍ୟରେ ୫୯ଜଣ ପ୍ରାଣ ହରାଇଥିବା ସରକାରୀ ଭାବେ ଘୋଷଣା ହୋଇଛି। ଏଥିରେ ଅଧିକାଂଶ ମୃତ୍ୟୁ ଗଞ୍ଜାମ ଜିଲ୍ଲାରେ ହିଁ ‌ରେକର୍ଡ କରାଯାଇଛି। ମୃତକଙ୍କ ମଧ୍ୟରେ ଅଧିକାଂଶ ପୁରୁଷ ରହିଥିବା ବେଳେ ସେମାନଙ୍କ ହାରାହାରି ବୟସ ୬୦ବର୍ଷ ରହିଛି। ଆଜି ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ୩ କରୋନା ମୃତ୍ୟୁ ସଂପର୍କରେ ଘୋଷଣା କରାଯାଇଛି। ଏଥିରେ ଗଞ୍ଜାମ ଜିଲ୍ଲାର ୬୦ ଓ ୬୩ବର୍ଷର ଦୁଇ ଜଣ ପୁରୁଷ ରହିଛନ୍ତି। ଏହାସହ ଗଜପତି ଜିଲ୍ଲାର ୪୮ବର୍ଷର ବ୍ୟକ୍ତି ମେଦ ବହୁଳତା ଓ ନିଦ୍ରା ରୋଗରେ ଆକ୍ରାନ୍ତ ଥିବା ବେ‌ଳେ କରୋନାରେ ପ୍ରାଣ ହରାଇଛନ୍ତି। ଆଜି ମୃତ୍ୟୁ ସଂଖ୍ୟା ୮୬ରେ ପହଞ୍ଚିଥିବା ବେଳେ ଅଣ କୋଭିଡ୍‌ ମୃତ୍ୟୁ ୨୬ ହୋଇଛି।

kdvr.com

ଗତ ୨୪ଘଣ୍ଟାରେ ରାଜ୍ୟରେ ୫୯୧ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏଥିରେ ଗଞ୍ଜାମ ୧୮୨, ଖୋର୍ଧା ୧୨୧, କଟକ ୩୮, ବରଗଡ଼ ୩୫, ନବରଙ୍ଗପୁର, ମୟୂରଭଞ୍ଜ ଓ ଜଗତସିଂହପୁର ୨୨ଜଣ ଲେଖାଏ, ସମ୍ବଲପୁର ୨୦, ଯାଜପୁର ୧୯, ସୁନ୍ଦରଗଡ଼ ୧୮, ବାଲେଶ୍ବର ୧୩, ନୟାଗଡ଼ ୧୧, ଢେଙ୍କାନାଳ ୯, କେନ୍ଦ୍ରାପଡ଼ା ଓ ମାଲକାନାଗିରି ୮ଜଣ ଲେଖାଏ, ପୁରୀ ଓ କେନ୍ଦୁଝର ୬ଜଣ ଲେଖାଏ, ଝାରସୁଗୁଡ଼ା ୫, କୋରାପୁଟ ୪, ଦେବଗଡ଼ ଓ ଭଦ୍ରକରୁ ୩ଜଣ ଲେଖାଏ, ରାୟଗଡ଼ା ଓ ଅନୁଗୁଳ ଜଣେ ଲେଖାଏ ଚିହ୍ନଟ ହୋଇଛନ୍ତି। ୫୯୧ଙ୍କ ମଧ୍ୟରୁ ୩୯୪ ସଙ୍ଗରୋଧରୁ ୧୯୭ ସ୍ଥାନୀୟ ସଂକ୍ରମିତ ଅଛନ୍ତି। ରାଜ୍ୟରେ ପଜିଟିଭ୍‌ ସଂଖ୍ୟା ୧୬୭୦୧ରେ ପହଞ୍ଚି ଯାଇଛି। ରାଜ୍ୟର ୨୬ଟି ଜିଲ୍ଲାରେ ଶହେରୁ ଅଧିକ ରୋଗୀ ଚିହ୍ନଟ ହୋଇ ସାରିଲେଣି।

ଅପରପକ୍ଷରେ ଆଜି ୬୦୭ଜଣ ରୋଗୀ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏଥିରେ ଗଞ୍ଜାମ ୨୭୯, ଯାଜପୁର ୭୯, ଖୋର୍ଧା ୫୦, କଟକ ୪୨, କେନ୍ଦୁଝର ୨୩, ମାଲକାନିଗିରି ୨୧, ପୁରୀ ଓ ସୁନ୍ଦରଗଡ଼ ୧୫ଜଣ ଲେଖାଏ, ମୟୂରଭଞ୍ଜ ୧୨, ବରଗଡ଼ ୧୧, କୋରାପୁଟ ୯, କନ୍ଧମାଳ ୮, ଜଗତସିଂହପୁର ୭, ଅନୁଗୁଳ, ବାଲେଶ୍ବର ଓ ନବରଙ୍ଗପୁର ୬ଜଣ ଲେଖାଏ, ଭଦ୍ରକ ୫, ଗଜପତି ୩, କେନ୍ଦ୍ରାପଡ଼ା ଓ ସମ୍ବଲପୁରରେ ୨ଜଣ ଲେଖାଏ ଓ ଢେଙ୍କାନାଳରୁ ଜଣେ ସୁସ୍ଥ ହୋଇଛନ୍ତି। ସୁସ୍ଥ ରୋଗୀଙ୍କ ସଂଖ୍ୟା ୧୧୯୩୭ ଛୁଇଁଛି। ରାଜ୍ୟରେ ସୁସ୍ଥ ହାର ୭୧ ପ୍ରତିଶତ ରହିଛି।

ସମ୍ବନ୍ଧିତ ଖବର