ରାଜ୍ୟରେ ୬୧ କରୋନା ଆକ୍ରାନ୍ତ: ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ ସୁସ୍ଥ

ଭୁବନେଶ୍ୱର: କରୋନା ଭାଇରସ ମୁକାବିଲା ପାଇଁ ରାଜ୍ୟରେ ଏପର୍ଯ୍ୟନ୍ତ ୯ ହଜାର ୬୯୦ ସ୍ୱାବ ନମୁନା ପରୀକ୍ଷା ହୋଇଛି । ସେଥିରୁ ୬୧ଟି ନମୁନା ପଜିଟିଭ ଚିହ୍ନଟ ହୋଇଛିି । ସେଥି ମଧ୍ୟରୁ ୨୪ ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି । ତେବେ ବିଭିନ୍ନ କୋଭିଡ ହସ୍ପିଟାଲରେ ଆହୁରି ୩୬ ଜଣ ସକ୍ରିୟ ଆକ୍ରାନ୍ତଙ୍କ ଚିକିତ୍ସା ଜାରି ରହିଛି । ସକ୍ରିୟ ରୋଗୀଙ୍କ ମଧ୍ୟରୁ ଅନେକଙ୍କ ଠାରେ କରୋନା ଲକ୍ଷଣ ନାହିଁ । ଏହି ଭଳି ରୋଗୀ କମ ଦିନ ମଧ୍ୟରେ ସୁସ୍ଥ ହୋଇଯିବେ ବୋଲି ରାଜ୍ୟ ସରକାର ଆଶା ରଖିଛନ୍ତି ।

ଓଡ଼ିଶାର ୧୦ଟି ଜିଲ୍ଲାରେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେଥିରୁ ଖୋର୍ଦ୍ଧା ଜିଲ୍ଲାରେ ସର୍ବାଧିକ । ଖୋର୍ଦ୍ଧା ଜିଲ୍ଲାରେ ଚିହ୍ନଟ ହୋଇଥିବା ସମସ୍ତ ଆକ୍ରାନ୍ତ ଭୁବନେଶ୍ୱର ବାସିନ୍ଦା। ରାଜଧାନୀ ଭୁବନେଶ୍ୱରରେ ଏପର୍ଯ୍ୟନ୍ତ ୧୭ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବା ବେଳେ ୨୯ ଜଣଙ୍କ ଚିକିତ୍ସା ଜାରି ରହିଛି । ପୁରୀ ଓ କଟକ ଜିଲ୍ଲାରୁ ଚିହ୍ନଟ ହୋଇଥିବା ଜଣେ ଲେଖାଏଁ ରୋଗୀ ସୁସ୍ଥ ହୋଇଛନ୍ତି ।

ଯାଜପୁର ଜିଲ୍ଲାରୁ ଜଣେ ଭଲ ହୋଇଥିବା ବେଳେ ଅନ୍ୟ ଜଣଙ୍କ ଚିକିତ୍ସା ଜାରି ରହିଛି । କେନ୍ଦ୍ରାପଡ଼ାର ୨ ଜଣ, ଢେଙ୍କାନାଳର ଜଣେ, ବାଲେଶ୍ୱରର ଜଣେ କରୋନା ରୋଗୀଙ୍କ ଚିକିତ୍ସା ଜାରି ରହିଛି । କଳାହାଣ୍ଡି ଓ ସୁନ୍ଦରଗଡ଼ରୁ ଜଣେ ଲେଖାଏଁ ଭଲ ହୋଇଥିବା ବେଳେ ଏହି ଦୁଇ ଜିଲ୍ଲାର ଅନ୍ୟ ୨ ବ୍ୟକ୍ତିଙ୍କ ଚିକିତ୍ସା ଜାରି ରହିଛି । ଭଦ୍ରକ ଜିଲ୍ଲାରୁ ୨ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବା ବେଳେ ଅନ୍ୟ ଜଣଙ୍କ ଚିକିତ୍ସା ଜାରି ରହିଛି ।

ସମ୍ବନ୍ଧିତ ଖବର