ଗୁଜୁରାଟରେ ଫସି ରହିଛନ୍ତି ବୌଦ୍ଧ ବ୍ଲକର ୬୧ ଜଣ ଶ୍ରମିକ, ଉଦ୍ଧାର ପାଇଁ ନିବେଦନ

ଜହ୍ନାପଙ୍କ : ଲକଡାଉନ ଯୋଗୁଁ ବୌଦ୍ଧ ବ୍ଲକର ବହୁ ଶ୍ରମିକ ରାଜ୍ୟ ବାହାରର ବିଭିନ୍ନ ସ୍ଥାନକୁ କାମ କରିଯାଇ ଫସି ରହିଛନ୍ତି। ଏଭଳି ଚିତ୍ର ସୋସିଆଲ ମିଡିଆରେ ଦିନକୁ ଦିନ ଭାଇରାଲ ହେବାରେ ଲାଗିଛି। ଏଥି ଯୋଗୁଁ ସେମାନେ ନିଜ ଜିଲ୍ଲାକୁ ଫେରିବା ସହ ସମସ୍ତ ସୁବିଧା ସୁଯୋଗ ଯୋଗାଇ ଦେବାକୁ ବୌଦ୍ଧ ବିଧାୟକ, ଶ୍ରମଅଧିକାରୀ ଓ ଉପଜିଲ୍ଲାପାଳଙ୍କୁ ଫୋନ ମାଧ୍ୟମରେ ନିବେଦନ କରୁଥିବାର ଦେଖିବାକୁ ମିଳୁଛି।

ବ୍ଲକର ୬୧ ଜଣ ଶ୍ରମିକ କାମ କରିବା ପାଇଁ ଗୁଜୁରାଟ ଯାଇଥିବା ବେଳେ ସେଠାରେ ନାନା ସମସ୍ୟାରେ ସମ୍ମୁଖୀନ ହୋଇଛନ୍ତି। ବ୍ଲକର ଲକ୍ଷ୍ମୀପ୍ରସାଦ ପଞ୍ଚାୟତର ଜଗତୀ ଗ୍ରାମର୨୨ ଜଣ, ଗୁଡ଼ିଆଳି ଗ୍ରାମର ୬ ଜଣ, ଚାରିଶମ୍ଭୁ ଗ୍ରାମର ୪ ଜଣ, ତେଲିବନ୍ଧ ପଂଚାୟତର ଚନ୍ଦ୍ରପୁର ଗ୍ରାମର ୨ ଜଣ, ପୋଡାବଳସ ଗ୍ରାମର ଜଣେ, ତାଳସରଡା ପଂଚାୟତର ୪ ଜଣ, ବନ୍ଧାପଥର ପଂଚାୟତର ୧୨ ଜଣ, ବଢ଼ିଗାଁ ପଂଚାୟତର ଗିରାସିଂଗା ଗ୍ରାମର ୭ ଜଣ ଶ୍ରମିକ ଗୁଜୁରାଟ ରାଜ୍ୟର ସୁରତ ନିକଟରେ ଫସିରହିଛନ୍ତି। ଏହି ଶ୍ରମିକଙ୍କ ମଧ୍ୟରୁ ୫୬ ଜଣ ଶ୍ରମିକ ପ୍ରିୟା ଶାଢ଼ୀ ପ୍ରିଣ୍ଟ କାରଖାନାରେ ଓ ଆଉ ପାଞ୍ଚ ଜଣ ଶ୍ରମିକ ଶ୍ରୀଜି ଶାଢ଼ୀ କଲରେ କାମ କରୁଥିଲେ। ସୁରତ ଜିଲ୍ଲା କୋଦରାର ବରେଲୀରେ ଏକ ଭଡା ଘରେ ନେଇ ରହିଥିଲେ। କାରଖାନା ବନ୍ଦ ହୋଇଯାଇ ଥିବାରୁ ଏବେ ଭଡା ଘର ମଧ୍ୟରେ ହିଁ ସେମାନେ ଭୋକ ଉପାସରେ ପଡି ରହିଛନ୍ତି। ସ୍ଥାନୀୟ ପ୍ରଶାସନଙ୍କୁ ସେମାନେ ଜଣାଇ ଥିଲେ ମଧ୍ୟ ସହାୟତା ପାଇପାରି ନାହାନ୍ତି। ସେଠାରୁ ସେମାନେ ସହାୟତା ପାଇବା ସକାଶେ ବୌଦ୍ଧ ବିଧାୟକ ପ୍ରଦୀପ କୁମାର ଅମାତ, ଜିଲ୍ଲା ଶ୍ରମ ଅଧିକାରୀ, ବୌଦ୍ଧ ଉପଜିଲ୍ଲାପାଳଙ୍କୁ ଫୋନ ମଧ୍ୟମରେ ଜଣାଇଛନ୍ତି। କମ୍ପାନୀ ସେମାନଙ୍କୁ କୌଣସି ସହଯୋଗ କରିନଥିବା ଓ କାମ ବନ୍ଦ ଯୋଗୁଁ ପାରିଶ୍ରମିକ ହରାଇ ସେମାନେ ସେଠାରେ ବହୁତ ହଇରାଣରେ ଅଭାବ ଅସୁବିଧା ମଧ୍ୟରେ ଭୋକ ଉପାସରେ ପଡି ରହିଥିବା ପ୍ରଶାସନ ଠାରେ ଗୁହାରୀ ଜଣାଇଛନ୍ତି। ଶ୍ରମ ଅଧିକାରୀ ଏଦିଗରେ ପଦକ୍ଷେପ ନେବେ ବୋଲି ପ୍ରତିଶୃତି ଦେଇଥିବା ସେମାନଙ୍କଠାରୁ ପ୍ରକାଶ। ତେଣୁ ପ୍ରଶାସନ ପକ୍ଷରୁ ସେମାନଙ୍କୁ ସହାୟତା ଯୋଗାଇ ଦେବାକୁ ବୁଦ୍ଧିଯିବି ମହଲରେ ଦାବି ହେଉଛି।

ସମ୍ବନ୍ଧିତ ଖବର