ଭୁବନେଶ୍ୱର: ‘ବର୍ତ୍ତମାନର ପରିବର୍ତ୍ତନଶୀଳ ପରିବେଶକୁ ନେଇ ଆମକୁ ଆହୁରି ସୁଦୃଢ଼ ହେବାକୁ ପଡ଼ିବ। ନୂଆନୂଆ ଜ୍ଞାନକୌଶଳ ପ୍ରୟୋଗ ବିଷୟରେ ସଜାଗ ହେବାକୁ ପଡ଼ିବ। ଏଥିପାଇଁ ଆମ ସରକାର ବିଭିନ୍ନ ପଦକ୍ଷେପ ନେଉଛନ୍ତି। ଅଗ୍ନିଯୋଦ୍ଧାମାନଙ୍କ ପ୍ରଶିକ୍ଷଣର ମାନବୃଦ୍ଧି ପାଇଁ ୧୦କୋଟି ଟଙ୍କା ଖର୍ଚ୍ଚରେ ଆମେ ଏକ ବିଶ୍ୱସ୍ତରୀୟ ସିମୁଲେଟର୍ ପ୍ରତିଷ୍ଠା କରିବାକୁ ଯାଉଛୁ। ଏହି ସିମୁଲେଟର୍ ମାଧ୍ୟମରେ ଅଗ୍ନିଯୋଦ୍ଧାମାନେ ଅତ୍ୟାଧୁନିକ ପ୍ରଶିକ୍ଷଣ ଓ କଠିନ ପରିସ୍ଥିତିର ମୁକାବିଲା ପାଇଁ ଅଭ୍ୟାସ କରିପାରିବେ।’ ବରମୁଣ୍ଡା ଅଗ୍ନିଶମ ପ୍ରଶିକ୍ଷଣ କେନ୍ଦ୍ରରେ ଆୟୋଜିତ ୬୧ତମ ଅଗ୍ନିଯୋଦ୍ଧା ଦୀକ୍ଷାନ୍ତ ସମାରୋହରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହା କହିଛନ୍ତି। ବର୍ଷକ ମଧ୍ୟରେ ଅଗ୍ନିଶମ ବିଭାଗର ଖାଲିଥିବା ୯୧୧ ପଦବି ପୂରଣ ହୋଇଥିବା ବେଳେ ଖାଲିପଡ଼ିଥିବା ଆଉ ୩ଶହ ପଦବି ଡିସେମ୍ୱର ସୁଦ୍ଧା ପୂରଣ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ବୋଲି ଏହି ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଛନ୍ତି।
ମୁଖ୍ୟମନ୍ତ୍ରୀ ପୁଣି କହିଛନ୍ତି ଯେ ଅଗ୍ନିଯୋଦ୍ଧାମାନେ ହେଉଛନ୍ତି ପ୍ରଥମ ରେସ୍ପଣ୍ଡର୍। ବିପନ୍ନ ଲୋକଙ୍କ ପାଖରେ ସେମାନେ ସରକାରଙ୍କ ଚେହେରା। ଓଡ଼ିଶା ଅଗ୍ନିଶମ ବିଭାଗ ସାରା ଦେଶରେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି। ଆମ ଅଗ୍ନିଯୋଦ୍ଧାମାନେ ‘ବେଷ୍ଟ ଇନ୍ ଦି ବିଜ୍ନେସ୍’ ବୋଲି ମୁଖ୍ୟମନ୍ତ୍ରୀ ଆଖ୍ୟା ଦେଇଥିଲେ। ବର୍ଷକ ମଧ୍ୟରେ ରାଜ୍ୟରେ ଥିବା ୩୪୬ଟି ଦମକଳ କେନ୍ଦ୍ର ୫୦ ହଜାର କଲ୍ ଆଟେଣ୍ଡ କରିବା ସହ ୭୫୯୯ ମୂଲ୍ୟବାନ ଜୀବନ ବଞ୍ଚାଇଛନ୍ତି ଏବଂ ୧୭ ହଜାର ପ୍ରାଣୀଙ୍କୁ ଉଦ୍ଧାର କରିଛନ୍ତି ବୋଲି ମୁଖ୍ୟମନ୍ତ୍ରୀ ପ୍ରଶଂସା କରିଥିଲେ।
ଅଗ୍ନିଯୋଦ୍ଧା ପ୍ରଶିକ୍ଷାର୍ଥୀଙ୍କ ୬୧ତମ ଦୀକ୍ଷାନ୍ତ ସମାରୋହ
ଡିସେମ୍ବର ସୁଦ୍ଧା ପୂରଣ ହେବ ଆଉ ୩୦୦ ପଦବି
୧୨ କୋଟି ବ୍ୟୟରେ ରାମଚଣ୍ଡୀରେ ଜଳଦକ୍ଷତା ଓ ଜୀବନ ରକ୍ଷା ପ୍ରଶିକ୍ଷଣ କେନ୍ଦ୍ର ଖୁବ୍ଶୀଘ୍ର
ଉନ୍ନତ ପ୍ରଶିକ୍ଷଣ ପାଇଁ ୧୦ କୋଟିରେ ପ୍ରତିଷ୍ଠା ହେବ ବିଶ୍ୱସ୍ତରୀୟ ସିମୁଲେଟର୍
ପ୍ରଶିକ୍ଷଣର ମାନବୃଦ୍ଧି ପାଇଁ ୧୦ କୋଟି ଟଙ୍କା ଖର୍ଚ୍ଚରେ ବିଶ୍ୱସ୍ତରୀୟ ସିମୁଲେଟର୍ ପ୍ରତିଷ୍ଠା ସହିତ କୋଣାର୍କ ରାମଚଣ୍ଡୀଠାରେ ୧୨ କୋଟି ଟଙ୍କା ବ୍ୟୟରେ ଏକ ଜାତୀୟସ୍ତରୀୟ ଜଳଦକ୍ଷତା ଓ ଜୀବନ ରକ୍ଷା ପ୍ରଶିକ୍ଷଣ କେନ୍ଦ୍ର ଖୁବ୍ଶୀଘ୍ର କାର୍ଯ୍ୟକ୍ଷମ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ୧୦ କୋଟି ଟଙ୍କା ବ୍ୟୟରେ ସେଠାରେ ଏକ ବିଶ୍ୱସ୍ତରୀୟ ସ୍କୁବା ଡାଇଭିଂ ପ୍ରଶିକ୍ଷଣ କେନ୍ଦ୍ର ମଧ୍ୟ କରାଯିବ। ଉଦ୍ଧାର କାର୍ଯ୍ୟରେ ଲିପ୍ତ ପୁଲିସ, ଅଗ୍ନିଶମ ଓ ଗୃହରକ୍ଷୀ କର୍ମଚାରୀଙ୍କୁ ଏହି କେନ୍ଦ୍ରରେ ପ୍ରଶିକ୍ଷଣ ଦିଆଯିବ। ସେହିଭଳି ବିଭାଗ ପକ୍ଷରୁ ଛାତ୍ରଛାତ୍ରୀଙ୍କ ମଧ୍ୟରେ ସନ୍ତରଣ ଶିକ୍ଷା ପ୍ରତି ସଚେତନତା ବୃଦ୍ଧି ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ। ଅଧିକ ଜ୍ଞାନକୌଶଳ ଆହରଣ ପାଇଁ ଅଗ୍ନିଯୋଦ୍ଧା ଓ ଅଧିକାରୀମାନଙ୍କୁ ରାଜ୍ୟ ବାହାରକୁ ପ୍ରଶିକ୍ଷଣ ପାଇଁ ମଧ୍ୟ ପଠାଇବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି। ଏହି ଅବସରରେ ‘ଅଗ୍ନିଯୋଦ୍ଧା’ ଶୀର୍ଷକ ଥିମ୍ ସଙ୍ଗୀତ ଲୋକାର୍ପିତ ହୋଇଥିଲା। କାର୍ଯ୍ୟକ୍ରମରେ ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ, ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶଦାତା ପ୍ରକାଶ ମିଶ୍ର, ବିଧାୟକ ସିଦ୍ଧାନ୍ତ ମହାପାତ୍ର, ବାବୁ ସିଂ, ଆଶ୍ରିତ ପଟ୍ଟନାୟକଙ୍କ ସମେତ ପ୍ରଶିକ୍ଷାର୍ଥୀଙ୍କ ପରିବାର ସଦସ୍ୟ, ପୁଲିସ ଓ ଅଗ୍ନିଶମ ବିଭାଗର ବହୁ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ। ଅଗ୍ନିଶମ, ଗୃହରକ୍ଷୀ ଓ ବେସାମରିକ ପ୍ରତିରକ୍ଷା ମହାନିର୍ଦ୍ଦେଶକ ସୁଧାଂଶୁ ଷଡ଼ଙ୍ଗୀ ଧନ୍ୟବାଦ ଦେଇଥିଲେ ଏବଂ ଉପମହାନିରୀକ୍ଷକ ଉମାଶଙ୍କର ଦାଶ ପ୍ରଶିକ୍ଷାର୍ଥୀଙ୍କୁ ଶପଥ ପାଠ କରାଇଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/08/24/sffssfxcxc-2025-08-24-01-52-14.jpg)