ଗ୍ରାମାଞ୍ଚଳରେ ବାସଗୃହ ୬୨%ରୁ ଅଧିକ

ଭୁବନେଶ୍ୱର: ଓଡିଶାର ଗ୍ରାମାଞ୍ଚଳରେ ଯେତେ ପରିବାର ବସବାସ କରୁଛନ୍ତି ତାହାର ୬୨ପ୍ରତିଶତରୁ ଅଧିକଙ୍କ ଲାଗି ସରକାର ଇନ୍ଦିରା ଆବାସ ସମେତ ବିଭିନ୍ନ ଯୋଜନାରେ ବାସଗୃହ ବ୍ୟବସ୍ଥା କରିଛନ୍ତି । ମୋଟାମୋଟି ଭାବେ ଏଯାବତ୍‌ ରାଜ୍ୟରେ ୩୨ ଲକ୍ଷ ୬୮ହଜାର ୩୯୫ ବାସହୀନ ଓ ଗରିବ ପରିବାରକୁ ଘର ଯୋଗାଣ ସରିଥିବାବେଳେ ଆଉ ୫ଲକ୍ଷ ୨୦ ହଜାର ୬୯ ଘର ନିର୍ମାଣ ଅବସ୍ଥାରେ ରହିଛି। ସରକାରଙ୍କର ଯୋଜନା ଅଛି ଯେ ଆଉ ୧୩ ଲକ୍ଷ ୧ ହଜାର ୨୮ ପରିବାରଙ୍କୁ ବାସଗୃହ ଯୋଗାଇଦେବେ।

ଉଲ୍ଲେଖଯୋଗ୍ୟ, ସର୍ବଶେଷ ଜନଗଣନା ଅନୁଯାୟୀ ରାଜ୍ୟର ଗ୍ରାମାଞ୍ଚଳରେ ୮୧ଲକ୍ଷ ୪୪ ହଜାର ୦୧୨ ପରିବାର ବାସ କରୁଥିବା ଦର୍ଶାଯାଇଛି। ବାସହୀନ ଓ ଗରିବ ଲୋକଙ୍କ ପାଇଁ ଇନ୍ଦିରା ଆବାସ ଯୋଜନାରେ ଏଯାବତ୍‌ ସର୍ବାଧିକ ୨୩ ଲକ୍ଷ ୨ହଜାର ୬୫୦ ପକ୍କା ଘର ନିର୍ମିତ ହୋଇସାରିଥିବାବେଳେ ଆଉ ୪୬ ହଜାର ୯୬୫ ଘର ନିର୍ମାଣାଧିନ ଅବସ୍ଥାରେ ରହିଛିି। ପ୍ରଧାନମନ୍ତ୍ରୀ ଗ୍ରାମୀଣ ଆବାସ ଯୋଜନାରେ ଓଡିଶାରେ ୫ ଲକ୍ଷ ୮୬ ହଜାର ୬୪୦ ଘର ନିର୍ମାଣ ସରିଥିବାବେଳେ ଆଉ ୪ ଲକ୍ଷ ୬ ହଜାର ୨୯ ଘର ଅର୍ଦ୍ଧନିର୍ମିତ ଅବସ୍ଥାରେ ଅଛି । ଏହାଛଡା ମୋ କୁଡିଆ-ବିଜୁ ପକ୍କାଘର ଯୋଜନାରେ ଓଡିଶାରେ ୩ ଲକ୍ଷ ୫୦ ହଜାର ୪୨୧ ଘର ନିର୍ମାଣ ସରିଛି। ୫୯ ହଜାର ୫୮୬ ଘରର ନିର୍ମାଣ ଚାଲିଛି। ବିଜୁ ପକ୍କାଘର ଖଣି ଯୋଜନାରେ ୨୩ ହଜାର ୧୯ ଘର ନିର୍ମାଣ ସରିଛି ଓ ୭୧୨୦ ଘର ନିର୍ମାଣଧିନ ଅବସ୍ଥାରେ ଅଛିି। ଏହାଛଡା ନିର୍ମାଣ ଶ୍ରମିକ ପକ୍କାଘର ଯୋଜନାରେ ଓଡିଶାରେ ୪୭୨୩ଟି ଘର ନିର୍ମାଣ ସରିଛି ଓ ଆଉ ୨୧୮୪ଟି ଘର ନିର୍ମାଣ ଚାଲିଛି। କେଉଁ ଯୋଜନାରେ କେଉଁ ଜିଲ୍ଲାରେ ବାସହୀନ ଓ ଗରିବ ଲୋକଙ୍କ ପାଇଁ କେତେ ସଂଖ୍ୟକ ଘର ନିର୍ମାଣ ସରିଛି, କେତେ ସଂଖ୍ୟକ ଘର ଅସମ୍ପୂର୍ଣ୍ଣ ଅବସ୍ଥାରେ ଅଛି ଓ ଆଉ କେତେ ନୂଆ ଘର ତିଆରି ମଞ୍ଜୁରୀ ଅପେକ୍ଷାରେ ରହିଛି ତାହାର ବିସ୍ତୃତ ବିବରଣୀ ବିଧାନସଭାରେ ମନ୍ତ୍ରୀ ପ୍ରଦୀପ ମହାରଥୀ ଦେଇଛନ୍ତି। ବିଧାୟକ ଦିଲ୍ଲୀପ ରାୟଙ୍କ ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ ଏହି ତଥ୍ୟ ପ୍ରଦାନ କରିଥିଲେ। ଗତ ଜନଗଣନା ରିପୋର୍ଟ ଅନୁଯାୟୀ ଓଡିଶାରେ ୯୬ଲକ୍ଷ ୬୧ ହଜାର ୮୫ ବାସଗୃହ ଥିବାବେଳେ ସେଥିରୁ ଗ୍ରାମାଞ୍ଚଳରେ ୮୧ଲକ୍ଷ ୪୪ ହଜାର ୧୨ ବାସଗୃହ ଥିଲା ଏବଂ ଅବଶିଷ୍ଟ ୧୫ଲକ୍ଷ ୧୭ ହଜାର ୭୩ ବାସଗୃହ ସହରାଞ୍ଚଳରେ ରହିଥିଲା।

ସମ୍ବନ୍ଧିତ ଖବର