ପିଜି ପରୀକ୍ଷାସୂଚୀ ବାହାରିଲା; ଚିନ୍ତାରେ ୪୨୫୦ ଏମ୍ବିବିଏସ୍ ଛାତ୍ରଛାତ୍ରୀ
ଦୁଇ ବର୍ଷ ପଛେଇ ଯିବା ଆଶଙ୍କା
କଟକ: ପିଜି ଡାକ୍ତରୀ ଛାତ୍ରଛାତ୍ରୀଙ୍କ ପାଇଁ ଘୋଷଣା ହୋଇଛି ପରୀକ୍ଷା ତାରିଖ। ତୁରନ୍ତ ପରୀକ୍ଷା ସାରିବା ପାଇଁ ମେଡିକାଲ କାଉନସିଲ ଅଫ୍ ଇଣ୍ଡିଆ(ଏମ୍ସିଆଇ) ନିର୍ଦ୍ଦେଶ ଦେବା ପରେ ଜୁନ୍ ୬ରୁ ୨୯ ପର୍ଯ୍ୟନ୍ତ ପରୀକ୍ଷା କାର୍ଯ୍ୟସୂଚୀ ବାହାରିଛି। କିନ୍ତୁ ପରୀକ୍ଷା ପାଇଁ ଚଳିତବର୍ଷ ରାଜ୍ୟ ବାହାରୁ ଆସିବେନି ପରୀକ୍ଷକ ବୋଲି କୁହାଯାଉଥିବାବେଳେ ବିଭାଗ କେଉଁଠୁ ପରୀକ୍ଷକ ଆଣିବ, ସେ ସଂପର୍କରେ ନିଜେ ନିଷ୍ପତ୍ତି ନେବ ବୋଲି ଜଣାପଡିଛି। ଅନ୍ୟପଟେ ଏମ୍ବିବିଏସ୍ ଶେଷ ବର୍ଷ ଛାତ୍ରଛାତ୍ରୀଙ୍କ ପରୀକ୍ଷା କେବେ ହେବ ସେ ସଂପର୍କରେ ବର୍ତ୍ତମାନ ସୁଦ୍ଧା ସୂଚନା ନଥିବାରୁ ଚିନ୍ତାରେ ବସିଛନ୍ତି ରାଜ୍ୟର ୭୫୦ ଏମ୍ବିବିଏସ୍ ଅନ୍ତିମ ବର୍ଷ ଛାତ୍ରଛାତ୍ରୀ। ଅନ୍ୟ ରାଜ୍ୟ ଗୁଡିକରେ ଏମ୍ବିବିଏସ୍ ଅନ୍ତିମ ବର୍ଷ ଛାତ୍ରଛାତ୍ରୀଙ୍କ ପରୀକ୍ଷା ମାର୍ଚ୍ଚରୁ ଶେଷ ହୋଇ ସରିସାରିଛି। ତେଣୁ ଏମ୍ସିଆଇ ମଧ୍ୟ ଏଦିଗରେ କୌଣସି ଦୃଷ୍ଟି ଦେଉନଥିବା ଅଭିଯୋଗ ହୋଇଛି। ଏମ୍ବିବିଏସ୍ ୩ୟ ଓ ଅନ୍ତିମ ବର୍ଷର ପରୀକ୍ଷା ଆରମ୍ଭ ହୋଇ ନଥିବାବେଳେ ୪ର୍ଥ ବର୍ଷର ପରୀକ୍ଷା ଅଧାରୁ ବନ୍ଦ ହୋଇଯାଇଛି। କରୋନା ପାଇଁ ହଷ୍ଟେଲରୁ ପିଲାଙ୍କୁ ଖାଲି କରି ଦିଆଯାଇଛି। କେବେ ପରୀକ୍ଷା ହେବ ସରକାର ସ୍ପଷ୍ଟ କରୁନଥିବାବେଳେ ଯଦି ସମୟ ନଦେଇ ତରବରିଆଭାବେ ତାରିଖ ଧାର୍ଯ୍ୟ କରନ୍ତି ତାହେଲେ ପିଲା ହଇରାଣ ହେବେ ବୋଲି ଏମ୍ବିବିଏସ୍ ଛାତ୍ରଛାତ୍ରୀ ଅଭିଯୋଗ କରିଛନ୍ତି। ଏଭଳି ସ୍ଥିତିରେ ରାଜ୍ୟର ସମସ୍ତ ମେଡିକାଲ କଲେଜର ୪୨୫୦ ଛାତ୍ରଛାତ୍ରୀ ବତ୍ତର୍ମାନ ପରୀକ୍ଷା ଚିନ୍ତାରେ ଅଛନ୍ତି।
ଏମ୍ସିଆଇ ଗାଇଡ୍ଲାଇନ୍ ଅନୁଯାୟୀ ଏମ୍ବିବିଏସ୍ ପରୀକ୍ଷା ଜାନୁଆରିରୁ ମାର୍ଚ୍ଚ ମଧ୍ୟରେ ଶେଷ ହେବା ଆବଶ୍ୟକ। କିନ୍ତୁ ଓଡ଼ିଶାରେ ଏହାର ବ୍ୟତିକ୍ରମ ଦେଖା ଦେଇଛି। ସମସ୍ତ ସରକାରୀ ମହାବିଦ୍ୟାଳୟରେ ପରୀକ୍ଷା ଏପ୍ରିଲ୍ରୁ ଜୁନ୍ ମଧ୍ୟରେ କରାଯାଉଛି। ଏମ୍ବିବିଏସ୍ରୁ ଉତ୍ତୀର୍ଣ୍ଣ ହେବା ପରେ ବର୍ଷେ ଇଣ୍ଟର୍ଣ୍ଣସିପ୍ କରିବାକୁ ପଡିଥାଏ। ଏହାପରେ ଛାତ୍ରଛାତ୍ରୀମାନେ ପିଜି ପ୍ରବେଶିକା ପାଇଁ ଯୋଗ୍ୟତା ଅର୍ଜନ କରନ୍ତି। କିନ୍ତୁ ଠିକ୍ ସମୟରେ ପରୀକ୍ଷାଫଳ ପ୍ରକାଶ ପାଉନଥିବାରୁ ଓଡ଼ିଶାର ଡାକ୍ତରୀ ଛାତ୍ରଛାତ୍ରୀମାନେ ଗୋଟିଏ ବର୍ଷ ପଛେଇ ଯାଉଛନ୍ତି। କିନ୍ତୁ ବର୍ତ୍ତମାନ କରୋନା ପରିସ୍ଥିତିରେ ସବୁକିଛି ବାତିଲ ହେବା ସହ କେବେ ପରୀକ୍ଷା ହେବ ତାହାକୁ ନେଇ ଅନିଶ୍ଚିତତା ଜାରି ରହିଛି।
୨୦୧୯-୨୦ ଶିକ୍ଷା ବର୍ଷର କାର୍ଯ୍ୟସୂଚୀରେ ୨ ମାସ ବିଳମ୍ବ ହୋଇ ସାରିଥିଲେ ମଧ୍ୟ ଭବିଷ୍ୟତକୁ ନେଇ ଏଭଳି ଅନିଶ୍ଚିତତା ଛାତ୍ରଛାତ୍ରୀଙ୍କ ମାନସିକ ଚାପର କାରଣ ହୋଇଛି ବୋଲି କହିଛନ୍ତି ଅନ୍ତିମ ବର୍ଷର ଛାତ୍ର ପ୍ରତିନିଧି ଗୌରବ ସିଟ୍। ସେହିପରି ଏସ୍ସିବି ଛାତ୍ରସଂସଦର ପୂର୍ବତନ ସଭାପତି ତଥା ସଭାପତି ଓଡିଶା ଡାକ୍ତରୀ ଛାତ୍ର ସଂଘର ଡାକ୍ତର ଦୀପକ ସାମଲ କହିଛନ୍ତି ଯେ, ମୁମ୍ବାଇ ଆଇଆଇଟି, କାନପୁର ଆଇଆଇଟି, ନାଇଜର୍ ଭଳି ଅନୁଷ୍ଠାନମାନେ ଏଭଳି ମହାମାରୀ ସ୍ଥିତିରେ ପରୀକ୍ଷା କରିବା ସମ୍ଭବ ନଥିବାରୁ ପୂର୍ବସେମିଷ୍ଟାର ମାର୍କକୁ ଭିତ୍ତିକରି ପାସ କରାଉଛନ୍ତି। ଅନ୍ୟ ରାଜ୍ୟ ତୁଳନାରେ ଓଡ଼ିଶା ୧ ବର୍ଷରୁ ଅଧିକ ପଛରେ ଅଛି। ଏଭଳି ପରିସ୍ଥିତିରେ ଯଥାଶୀଘ୍ର ପରୀକ୍ଷା ସୂଚୀ ଘୋଷଣା ନ କଲେ ଓଡ଼ିଶା ଛାତ୍ରଛାତ୍ରୀ ୨ବର୍ଷ ପଛେଇ ଯିବେ। ତୁରନ୍ତ ରାଜ୍ୟ ସରକାର ଏସଂପର୍କରେ ନିଷ୍ପତ୍ତି ନିଅନ୍ତୁ ବୋଲି ଡାକ୍ତର ସାମଲ ଦାବି କରିଛନ୍ତି।