କଟକ: ଜେଏସ୍‌ପିଏଲର ଜଣେ ବରିଷ୍ଠ ଅଧିକାରୀଙ୍କ ଠାରୁ ୬ କୋଟି ୨୮ ଲକ୍ଷ ଟଙ୍କା ଠକେଇ ଘଟଣାରେ କ୍ରାଇମବ୍ରାଞ୍ଚ ପୁଲିସ ରାଜ୍ୟ ବାହାରର ୨୪ ଜଣ ସାଇବର ଠକଙ୍କୁ ଗିରଫ କରିଛି। ଏହି ଘଟଣାରେ ଗିରଫ ସଂଖ୍ୟା ଶହେ ଛୁଇଁବା ଆକଳନ କରାଯାଉଛି। ଠକେଇ ଟଙ୍କାର କିଛି ଅଂଶ ଦୁବାଇର ଏକ ଏଟିଏମରୁ ଉଠାଣ ହୋଇଥିବାରୁ ଏଥିରେ ଅନ୍ତର୍ଜାତୀୟ ସାଇବର ଠକଙ୍କ ସମ୍ପୃକ୍ତି ସନ୍ଦେହ କରାଯାଇଛି। 

Advertisment

ସୂଚନା ଅନୁଯାୟୀ, ୨୦୨୪ ଜୁଲାଇରେ ଜେଏସ୍‌ପିଏଲ୍ କମ୍ପାନିର ବରିଷ୍ଠ ଅଧିକାରୀ କୁନ୍ତଲ ମଜୁମଦାରଙ୍କୁ ‘କୋଟାକ୍ ଇନଭେଷ୍ଟମେଣ୍ଟ କ୍ଲବ’ରେ ଉକ୍ତ ଗ୍ରୁପର ଆଡମିନ୍ ଯୋଡ଼ିଥିଲେ। ଏହି ଗ୍ରୁପ୍ ଏକ ଟ୍ରେଡିଂ ଗ୍ରୁପ୍ ବୋଲି ସେ ଜାଣିବାକୁ ପାଇଥିଲେ।  ସଦସ୍ୟମାନେ ପରସ୍ପର ମଧ୍ୟରେ ଯେଭଳି ନିବେଶ ସଂକ୍ରାନ୍ତରେ ଆଲୋଚନା କରୁଥିଲେ, ଶ୍ରୀ ମଜୁମଦାର ଏହା ପଛରେ ଥିବା ସାଇବର ଠକଙ୍କ ଚାଲ୍ ବୁଝିପାରି ନଥିଲେ। ପୂର୍ବରୁ କୁନ୍ତଲ ଟ୍ରେଡିଂ କରୁଥିବାରୁ ଏହି ଗ୍ରୁପରେ ଯୋଡ଼ି ହେବା ପରେ ଅଧିକ ଉତ୍ସାହିତ ହୋଇଯାଇଥିଲେ। ୨୦୨୪ ଅଗଷ୍ଟ ୧ ତାରିଖରୁ ୭ ତାରିଖ ମଧ୍ୟରେ ସେ ୬ କୋଟି ୨୮ ଲକ୍ଷ ଟଙ୍କା ନିବେଶ କରିଥିଲେ। ପ୍ରତି ସେୟାର ପିଛା ୧୯ ଟଙ୍କାରେ ସେ ୨୫ ଲକ୍ଷ ୪୦ ହଜାର ସେୟାର ଏହି ସମୟ ଅବଧି ଭିତରେ କିଣିଥିଲେ। ଏହି ସେୟାର ହଠାତ୍ ୧୧୦ ଟଙ୍କାକୁ ବୃଦ୍ଧି ପାଇଥିଲା। ୭ ଦିନ ପରେ ସେ ନିବେଶ କରିଥିବା ମୋଟ ୬ କୋଟି ୨୮ ଲକ୍ଷ ଟଙ୍କା ବଢ଼ି ୨୫ କୋଟି ଟଙ୍କା ହୋଇଯାଇଥିବା ଦେଖିବାକୁ ପାଇଥିଲେ।

ଶ୍ରୀ ମଜୁମଦାର ସେହି ଟଙ୍କା ଉଠାଇବାକୁ ଚାହିଁଥିଲେ। ଅଗଷ୍ଟ ୨୧ ତାରିଖରେ ଗ୍ରୁପ ଆଡମିନ୍ ୨୩ କୋଟି ଟଙ୍କା ଉଠାଇବାକୁ ଅନୁମତି ଦେଇଥିଲେ। ଏହି ଟଙ୍କା ଉଠାଇବା ସମୟରେ ତାଙ୍କୁ ହ୍ବାଟସଆପ୍ ଗ୍ରୁପରୁ ଆଡମିନ୍ ବିଦା କରିଦେଇଥିଲେ। ସେ ଯେଉଁ ଆପ୍ଲିକେସନରେ ଏହି ନିବେଶ କରୁଥିଲେ ଉକ୍ତ ଆପ୍ଲିକେସନ୍ ନିଷ୍କ୍ରିୟ ହୋଇଯାଇଥିଲା। ଫଳରେ ଏ ସଂକ୍ରାନ୍ତରେ ଶ୍ରୀ ମଜୁମଦାର ଅଗଷ୍ଟ ୨୪ ତାରିଖରେ କ୍ରାଇମବ୍ରାଞ୍ଚ ସାଇବର୍ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗ ଆଧାରରେ ସାଇବର୍ ଥାନା ପୁଲିସ ବିଏନ୍‌ଏସ୍‌ର ଧାରାରେ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲା। 

୩ ରାଜ୍ୟରୁ ୨୪ ସାଇବର ଠକ ଗିରଫ
ଅନ୍ତର୍ଜାତୀୟ ଠକଙ୍କ ସଂପୃକ୍ତି ସନ୍ଦେହ

କ୍ରାଇମବ୍ରାଞ୍ଚ ଏହି ଘଟଣାର ତଦନ୍ତ ସମୟରେ ଶ୍ରୀ ମଜୁମଦାରଙ୍କ ୬ କୋଟି ୨୮ ଲକ୍ଷ ଟଙ୍କା ୧୦୦ରୁ ଅଧିକ ବିଭିନ୍ନ ବ୍ୟାଙ୍କ୍ ଆକାଉଣ୍ଟକୁ ଯାଇଥିବା ଜାଣିବାକୁ ପାଇଥିଲା। ଏହି ଟଙ୍କା ଅଗଷ୍ଟ ୧ରୁ ୭ ତାରିଖ ଭିତରେ ପଠାଯାଇଥିଲା। କ୍ରାଇମ୍‌ବ୍ରାଞ୍ଚ ୧୬ ଲକ୍ଷ ୮୫ ହଜାର ଟଙ୍କା ଫ୍ରିଜ୍ କରିଥିବା ବେଳେ ୬ ଲକ୍ଷ ୮୦ ହଜାର ଟଙ୍କା ଶ୍ରୀ ମଜୁମଦାରଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଫେରସ୍ତ କରିଥିଲା। କ୍ରାଇମବ୍ରାଞ୍ଚ ଟିମ୍ ଏହି ମାମଲାରେ ତାମିଲନାଡ଼ୁରୁ ୯ ଜଣ, ଗୁଜୁରାଟରୁ ୮ ଜଣ, ରାଜସ୍ଥାନରୁ ୭ ଜଣଙ୍କୁ ଗିରଫ କରିଛି। ଗଲା ୨୮ ତାରିଖରେ ପ୍ରଥମ ପର୍ଯ୍ୟାୟରେ ତାମିଲନାଡ଼ୁର ୬ ଜଣ ଠକଙ୍କୁ ଗିରଫ କରି ଅନୁଗୁଳ ଏସ୍‌ଡିଜେଏମ୍‌ଙ୍କ କୋର୍ଟରେ ହାଜର କରାଯାଇଥିବା ବେଳେ ୧୧ ଜଣ ଅଭିଯୁକ୍ତଙ୍କୁ ବୁଧବାର ଦିନ ଅନୁଗୁଳ ଏସ୍‌ଡିଜେଏମ୍‌ଙ୍କ କୋର୍ଟରେ ହାଜର କରାଯାଇଛି। ଅବଶିଷ୍ଟ ୭ ଜଣଙ୍କୁ ରାଜସ୍ଥାନରୁ ଟ୍ରାନଜିଟ୍ ରିମାଣ୍ଡରେ ଅଣାଯାଉଛି। ସେମାନେ ଆସନ୍ତାକାଲି କଟକ କ୍ରାଇମବ୍ରାଞ୍ଚ କାର୍ଯ୍ୟାଳୟରେ ପହଞ୍ଚିବେ। ଆଗକୁ ଏହି ସଂଖ୍ୟା ବୃଦ୍ଧି ପାଇବାକୁ ଯାଉଛି। 
ଏହି ଠକେଇ ମାମଲାରେ ୬ କୋଟି ୨୮ ଲକ୍ଷ ଟଙ୍କା ପ୍ରଥମ ପର୍ଯ୍ୟାୟରେ ୬ଟି ବ୍ୟାଙ୍କ୍ ଆକାଉଣ୍ଟକୁ ଯାଇଛି।

ସେମାନେ ଟଙ୍କା ତଳ ଲୋକଙ୍କୁ ଦୁଇରୁ ତିନି ଦିନ ମଧ୍ୟରେ ପଠାଇ ନିଜର ମୋବାଇଲ୍ ସୁଇଚ୍ ଅଫ୍ କରିଦେଇଛନ୍ତି। ଯେଉଁ ୨୪ ଜଣ ଗିରଫ ହୋଇଛନ୍ତି, ସେମାନେ ଏହି ଗ୍ୟାଙ୍ଗର ଶେଷ ପର୍ଯ୍ୟାୟରେ ଅଛନ୍ତି। ଏମାନେ ଟଙ୍କା ଉଠାଣ କରି ଗ୍ୟାଙ୍ଗର ମୁଖ୍ୟଙ୍କୁ ଦେଇଥାନ୍ତି। ତେବେ ଟଙ୍କା ବିଭିନ୍ନ ପର୍ଯ୍ୟାୟରେ ଏଜେଣ୍ଟଙ୍କ ନିକଟରେ ପହଞ୍ଚିବା ସମୟରେ ସେମାନେ ବି କମିସନ ପାଇଥାନ୍ତି। ଗଲା ୭ ଦିନ ହେବ କ୍ରାଇମବ୍ରାଞ୍ଚ ଟିମ୍ ରାଜ୍ୟ ବାହାରକୁ ଯାଇଥିଲା। ୭ଟି ଟିମ୍‌ ଯାଇଥିବା ବେଳେ ପ୍ରତି ଟିମରେ ୫ ଜଣ ଅଫିସର ଅଛନ୍ତି। ଗୁଜୁରାଟର ଭରୁଚ, ସୁରତ, ବଲସାର, ଭାବନଗର, ତାମିଲନାଡ଼ୁର ଚେନ୍ନାଇ, ତ୍ରିରୁଭଲ୍ଲୁର, ଶିବଗଙ୍ଗା, ପୁଦୁକୋଟ୍ଟି, ତିରୁଚିରପଲ୍ଲୀରେ ଚଢ଼ଉ କରାଯାଇଛି। ସ୍ଥାନୀୟ ଥାନା ପୁଲିସ ସହଯୋଗରେ କ୍ରାଇମବ୍ରାଞ୍ଚ ଏହି ଚଢ଼ଉ କରିଥିଲା। ମହାରାଷ୍ଟ୍ର କ୍ରାଇମବ୍ରାଞ୍ଚ ଟିମ୍ ଚଢ଼ଉ ସମୟରେ ଜଣେ ଅଭିଯୁକ୍ତକୁ ଗିରଫ କରିବା ପୂର୍ବରୁ ସେଠାକାର ପୁଲିସ ସମ୍ପୃକ୍ତ ଅଭିଯୁକ୍ତକୁ ଗିରଫ କରି ନେଇଥିଲା। କ୍ରାଇମବ୍ରାଞ୍ଚ୍‌ ଏଡିଜି ବିନୟତୋଷ ମିଶ୍ର ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଏହି ଠକେଇ ସଂକ୍ରାନ୍ତରେ ସବିଶେଷ ସୂଚନା ଦେଇଛନ୍ତି।