କଟକରେ କରୋନା: ସୁସ୍ଥ ହାର ୬୬.୦୩%, ମୃତ୍ୟୁ ହାର ୦.୦୧ ପ୍ରତିଶତ

ଭୁବନେଶ୍ୱର: କଟକ ଜିଲ୍ଲାରେ ଗ୍ରାମାଂଚଳ ତୁଳନାରେ ସହରାଂଚଳରେ ଅଧିକ ଲୋକ କରୋନା ଭାଇରସ ଦ୍ୱାରା ସଂକ୍ରମିତ ହୋଇଛନ୍ତି। ବିଭିନ୍ନ ଦିଗକୁ ଅନୁଧ୍ୟାନ କରିବାରୁ ଜଣାପଡ଼ିଛି ଯେ, ଜିଲ୍ଲାର ଗ୍ରାମାଂଚଳରେ ୪୬.୯ ପ୍ରତିଶତ ଲୋକ ସଂକ୍ରମିତ ହୋଇଥିବା ବେଳେ ସହରାଂଚଳରେ ୫୩.୧ ପ୍ରତିଶତ ଆକ୍ରାନ୍ତ ଅଛନ୍ତି । କଟକ ଜିଲ୍ଲାପାଳ ଭବାନୀ ଶଙ୍କର ଚୟନୀ ଏହି ସୂଚନା ଦେଇଛନ୍ତି। ଜିଲ୍ଲାପାଳ ଶ୍ରୀ ଚୟନୀ କହିଛନ୍ତି ଜିଲ୍ଲାରେ ସୁସ୍ଥ ହାର ୬୬.୦୩ ପ୍ରତିଶତ ହୋଇଥିବା ବେଳେ ମୃତ୍ୟୁ ହାର ୦.୦୧ ପ୍ରତିଶତ।

ସ୍ଥାନୀୟ ଗୀତଗୋବିନ୍ଦ ସଦନରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲାପାଳ ଶ୍ରୀ ଚୟନୀ କହିଛନ୍ତି, ୨୯୧୦ରୁ ଗ୍ରାମାଂଚଳରେ ୧୩୬୪ ପଜିଟିଭ ଓ ସହରାଂଚଳରେ ୧୫୪୬ ଚିହ୍ନଟ ହୋଇଛି। ଏବେ ଗ୍ରାମାଂଚଳର ୨୧୬ ଜଣ ଓ ସହରାଂଚଳରେ ୭୭୩ ଜଣ ପଜିଟିଭ ଚିକିତ୍ସାଧିନ ଅଛନ୍ତି। ଗ୍ରାମାଂଚଳରେ ଏହା ନରସିଂହପୁର, ବଡ଼ମ୍ବା ଓ ଆଠଗଡ଼ ବ୍ଲକରେ ଅଧିକ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସହରାଂଚଳରେ ମାଲଗୋଦାମର ୩ଟି ସାହି ଯୋଡ଼ି ହୋଇଛି।

କଟକ ଜିଲ୍ଲାପାଳ କହିଛନ୍ତି, ଜିଲ୍ଲାରୁ ୩୦୧ ଜଣ କୋଭିଡ ଯୋଦ୍ଧା କରୋନାରେ ସଂକ୍ରମିତ ହୋଇଛନ୍ତି। ଏଥିରୁ ବର୍ତ୍ତମାନ ୬୯ ଜଣ ଚିକିତ୍ସାଧୀନ ଥିବା ବେଳେ ଅନ୍ୟମାନେ ସୁସ୍ଥ ହୋଇସାରିଛନ୍ତି। କୋଭିଡ ମୁକାବିଲାରେ ଆଶା, ଅଙ୍ଗନବାଡ଼ି, ଏଏନ୍‌ଏମ୍‌, ପଂଚାୟତ ମେମ୍ବର ଓ ଓ୍ଵାର୍ଡମେମ୍ବରଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ। ଜିଲ୍ଲାରେ ୧୮୨୧ଟି କୋଭିଡ ପରିଚାଳନା କେନ୍ଦ୍ର ରହିଛି। ମୋଟ ୧୦ ହଜାରରୁ ଉର୍ଦ୍ଧ୍ୱ କୋଭିଡ ଯୋଦ୍ଧା କାମ କରୁଛନ୍ତି। ୧୧୩ ଓ୍ଵାର୍ଡ କମିଟି ଗଠନ କରାଯାଇଛି। ଏହି ସଦସ୍ୟମାନେ ଘର ଘର ବୁଲି ଯାଇ ଟେଷ୍ଟ କରୁଛନ୍ତି।

କଟକ ଜିଲ୍ଲାରେ ପଂଚାୟତସ୍ତରରେ ୩୭୩ଟି କୋଭିଡ କୋୟାର ହୋମ ପରିଚାଳିତ ହେଉଥିବା ବେଳେ ୭୭ଟି କ୍ଲଷ୍ଟର ଟିଏମସି ଚାଲିଛି। ବର୍ତ୍ତମାନ ଆରଟିପିସିଆର, ରାପିଡ ଆଣ୍ଟିଜେନ ଟେଷ୍ଟିଂ ବୃଦ୍ଧି ପାଉଛି। ୪୪ ହଜାର ୫୯୬ ନମୁନା ସଂଗ୍ରହ କରାଯାଇଛି। ଆରଟିପିସିଆର ଟେଷ୍ଟ ୩୭୧୦୧ ଓ ଆଣ୍ଟିଜେନ ଟେଷ୍ଟ ୭୪୯୫ ହୋଇଛି।

କଟକ ଜିଲ୍ଲା ଟେଷ୍ଟିଂ ଏବଂ ଟ୍ରେନିଂ କ୍ଷେତ୍ରରେ ଏକ ଅଗ୍ରଣୀଭୂମିକା ଗ୍ରହଣ କରିଛି। ଏସସିବି ମେଡିକାଲ ଏଥିରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଉଛି। ଏସ୍‌ସିବିରେ ୧୮ଟି ଜିଲ୍ଲାର ନମୁନା ପରୀକ୍ଷା ହୋଇଛି। ଏଯାଏଁ ୧ ଲକ୍ଷ ୨୦ ହଜାର ନମୁନା ପରୀକ୍ଷା ହୋଇଛି। ଅଗଷ୍ଟ ୮ ତାରିଖରେ ମୋଟ ୧୯୨୫ଟି ନମୁନା ପରୀକ୍ଷା ହୋଇଛି। ଏଥିରୁ ୧୪୮୮ ଆରଟିପିସିଆର, ୨୩ଟି ଟ୍ରୁନାଣ୍ଟ ଓ ୪୧୪ ଆଣ୍ଟିଜେନ ସାମିଲ ରହିଛି। ଟେଷ୍ଟିଂକୁ ଗୁରୁତ୍ୱ ଦିଆଯାଉଛି ଅଗାମୀ ଦିନରେ ଏହା ଆହୁରି ବଢ଼ିବ।

ଜିଲ୍ଲାପାଳ କହିଛନ୍ତି, ହସ୍‌ପିଟାଲ ଗୁଡ଼ିକରେ ଅଧିକ ସଂଖ୍ୟାରେ ଆଇସୋଲେସନ ଏବଂ ଭେଣ୍ଟିଲେଟର ରହିବ। ପ୍ଲାଜମା ଥେରାପି ଏକ ଯୁଗାନ୍ତକାରୀ ଭୂମିକା ନେବାକୁ ଯାଉଛି। ୬୯ ଜଣଙ୍କ ଠାରୁ ୧୩୮ ୟୁନିଟ ପାଇଛୁ। ୧୦୪ ୟୁନିଟ ବ୍ୟବହାର କରାଯାଇଛି। ଏଥିରେ କୋଭିଡ ରୋଗୀ ଉପକୃତ ହେବେ। ଏଥି ପାଇଁ ଆମେ ଅଭିଯାନ ଚଳାଇବୁ। କୋଭିଡ ଯୁଦ୍ଧକୁ ସଂପୂର୍ଣ୍ଣ ପ୍ରତିହତ କରିବା ଲାଗି ଆମେ ଚେଷ୍ଟା କରିଛୁ। କଠିନ ଗଣିତର ଏକ ସରଳ ସୂତ୍ର ଥାଏ। କୋଭିଡ ଯୁଦ୍ଧ ପାଇଁ ମାସ୍କ ପିନ୍ଧିବା, ସାମାଜିକ ଦୂରତା ରକ୍ଷା କରିବା ଏବଂ ବାରମ୍ବାର ହାତ ଧୋଇବା ବୋଲି ଜିଲ୍ଲାପାଳ ପରାମର୍ଶ ଦେଇଛନ୍ତି।।

ସମ୍ବନ୍ଧିତ ଖବର