ଜୟପୁର: ସଂପ୍ରତି ଜାତୀୟ ରାଜପଥ ଠାରୁ ଆରମ୍ଭ କରି ରାଜ୍ୟ ରାଜପଥ, ବ୍ଲକରାସ୍ତା, ପୂର୍ତ୍ତବିଭାଗର ରାସ୍ତା ଆଦି ଠିକ୍ ହୋଇଯାଇଛି। ରାସ୍ତା ଠିକ ହେବା ପରେ ବଢ଼ିବାରେ ଲାଗିଛି ସଡ଼କ ଦୁର୍ଘଟଣା। ଜୟପୁର ପୁଲିସ ଉପଖଣ୍ଡରେ ଦୁର୍ଘଟଣାଜନିତ ମୃତ୍ୟୁ ଓ ଗୁରୁତର ଆହାତ ହେବା  ଆଶାତୀତ ଭାବେ ବୃଦ୍ଧି ପାଇଛି। ଗତ ବର୍ଷକରେ ରାସ୍ତାରେ ଗଲାଣି ୬୩ଜଣଙ୍କ ଜୀବନ। ଟ୍ରାଫିକ୍ ଓ ମୋଟରଯାନ ନିୟମ ନମାନିବା ଦୁର୍ଘଟଣାର ମୁଖ୍ୟ କାରଣ ମଧ୍ୟରୁ ଅନ୍ୟତମ ବୋଲି କହିଛନ୍ତି ଜୟପୁର ସଦରଥାନା ଆଇଆଇସି ଇଶ୍ବର ତାଣ୍ଡି।

Advertisment

ଜୟପୁର ପୁଲିସ ଉପଖଣ୍ଡ ଅଧୀନରେ ରହିଛି ୫ଟି ଥାନା। ଗତ ବର୍ଷକ ମଧ୍ୟରେ ବିଭିନ୍ନ ଛୋଟବଡ଼ ଦୁର୍ଘଟଣାରେ ଆଜି ଯାଏଁ ୬୩ଜଣଙ୍କର ଜୀବନ ଯାଇଛି। ସେଭଳି ୩୦୦ଜଣ ଗୁରୁତର ଆହତ ହୋଇଛନ୍ତି। ମୃତାହତଙ୍କ ମଧ୍ୟରେ ଅଧିକାଂଶ ଯୁବକ। କେବଳ ସଦର ଥାନା ଅଞ୍ଚଳରେ ସର୍ବାଧିକ ୨୭ ଜଣଙ୍କ ମୃତ୍ୟୁ ହୋଇଛି। ଏ ସମ୍ପର୍କରେ ପୁଲିସ ଉପଖଣ୍ଡର ୪ ଥାନାରେ ୧୦୧ଟି ମାମଲା ରୁଜୁ ହୋଇଛି। ପଞ୍ଜୀକୃତ ତଥ୍ୟ ଅନୁଯାୟୀ ୬୩ ଜଣ ମୃତାହତ ହୋଇଥିବା ବେଳେ ପ୍ରକୃତ ସଂଖ୍ୟା ଆହୁରି ଅଧିକ। ବେପରୁଆ ଡ୍ରାଇଭିଂ, ଦ୍ରୁତଗତି, ହେଲମେଟ୍ ନପିନ୍ଧିବା ଏବଂ ସିଟ୍ ବେଲଟ୍ ନ ବାନ୍ଧି ଦୁର୍ଘଟଣାରେ ସମ୍ମୁଖୀନ ହୋଇଛନ୍ତି। ମହିଳାଥାନାକୁ ବାଦ ଦେଇ ଜୟପୁର ଟାଉନ, ସଦର, ବୈପାରୀଗୁଡ଼ା ଏବଂ କୁନ୍ଦୁରା ଥାନାରେ ଦୁର୍ଘଟଣା ମାମଲା ରୁଜୁ କରାଯାଉଛି।

ମିଳିଥିବା ତ‌ଥ୍ୟ ଅନୁଯାୟୀ, ଦୁର୍ଘଟଣାରେ ଗତ ବର୍ଷ ସଦର ଥାନା ଅଞ୍ଚଳରେ ୨୭ ଜଣଙ୍କ ମୃତ୍ୟୁ ହୋଇଥିଲା। ୮୩ଜଣ  ଗୁରୁତର ଏବଂ ସାମାନ୍ୟ ଆହତ ହୋଇଥିଲେ। ଟାଉନ୍ ଥାନା ଅଞ୍ଚଳରେ ୪ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୪୧ଜଣ ଗୁରୁତର ଓ ସାମାନ୍ୟ ଆହତ ହୋଇଥିଲେ। ବୈପାରୀଗୁଡା  ଥାନା ଅଞ୍ଚଳରେ ୨୧ ଜଣଙ୍କ ଦୁର୍ଘ ଟଣାରେ ପ୍ରାଣ ଯାଇଥିଲା । ୯୫ ଜଣ ଗୁରୁତର ଏବଂ ସାମାନ୍ୟ ଆହତ ହୋଇଥିଲେ। ସେହି ପରି କୁନ୍ଦୁରା ଥାନା ଅଞ୍ଚଳରେ ୧୧ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୮୧ ଜଣ ଗୁରୁତର  ସାମାନ୍ୟ ଆହତ ହୋଇଥିଲେ। ଗୁରୁତରଙ୍କ ମଧ୍ୟରୁ ଏବେବି ଅଧିକାଂଶ ସମ୍ପୂର୍ଣ୍ଣ ଚଳନକ୍ଷମ ହୋଇନାହାନ୍ତି। ଆଇ କିଛି ଏବେ ବି ଜିଲ୍ଲାମୁଖ୍ୟଚିକିତ୍ସାଳୟ, ସହିଦଲକ୍ଷ୍ମଣ ନାୟକ ମେଡିକାଲ କଲେଜ ସହ ପଡୋଶୀ ରାଜ୍ୟର ବିଭିନ୍ନ ଡାକ୍ତରଖାନାରେ ଚିକିତ୍ସାଧୀନ ରହିଛନ୍ତି।  ଏ ସବୁ ଦୁର୍ଘଟଣାର ମୂଳ କାରଣ ହେଉଛି ସଡ଼କ ସୁରକ୍ଷା ନିୟମ ନମାନିବା। ଅନେକ ଦୁର୍ଘଟଣା ଘଟୁଥିଲେ ବି ଅଭିଯୋଗ ବେଳେବେଳେ ଥାନାରେ ପହଞ୍ଚୁନି। ବହୁ ସମୟରେ ଆପୋଷ ବୁଝାମଣାରେ ସମସ୍ୟା ସମାଧାନ କରାଯାଉଛି। ତେଣୁ ଆହତଙ୍କ ସଂଖ୍ୟା ଅଧିକ ହୋଇପାରେ।

ଏ ସମ୍ପର୍କରେ ଜୟପୁର ସଦରଥାନା ଅଧିକାରୀ କହିଛନ୍ତି, ପ୍ରତ୍ୟେକ ମଣିଷର ଜୀବନ ମୂଲ୍ୟବାନ । ବେପରୁଆ ଡ୍ରାଇଭିଂ ଲାଗି ଅକାଳରେ ଅନେକ ଜୀବନ ଚାଲି ଯାଉଛି । ଧନଜୀବନ ନଷ୍ଟ ହେଉଛି। ଗାଡ଼ି ଚଳାଇବା ବେଳେ ମୋବାଇଲରେ କଥା ହେବା, ସେଲଫିନେବା ,ରିଲ୍ସ୍ ତିଆରି କରିବା, ବାଇକରେ ପ୍ରତିଯୋଗିତା କରିବା, ଦ୍ରୁତଗତିରେ ବାଇକ୍ ଚଳାଇବା, ନାବାଳକଙ୍କୁ ବାଇକ୍ ଦେବା ଫଳରେ ସେମାନେ ଦ୍ରୁତଗତିରେ ବାଇକ ଚଳାଇବା ଫଳରେ ଦୁର୍ଘଟଣା ହେଉଛି। ହେଲମେଟ ପିନ୍ଧିବା, ସିଟବେଲ୍ଟ ବାନ୍ଧିବା ସହ ସାଧାରଣ ଗତିରେ ଯିବାଆସିବା କରିବା ଦରକାର । ଗତବର୍ଷ ସଦରରେ ସର୍ବାଧିକ ୪୫ ଏବଂ ଟାଉନ ଥାନାରେ ସର୍ବନିମ୍ନ ୭ଟି ମାମଲା ରୁଜୁ ହୋଇଛି। କୁନ୍ଦୁରାରେ ୧୨ ଏବଂ ବୈପାରିଗୁଡ଼ା ଥାନାରେ ରୁଜୁ ହୋଇଛି ୩୭ଟି ମାମଲା। ଦୁର୍ଘଟଣା ଏଡ଼ାଇବା ଲାଗି ପୁଲିସ ପକ୍ଷରୁ ନିୟମିତ ଭାବେ ଯାଂଚ କରିବା ସହ ଶୁନ୍ୟସହିଷ୍ଣୁତା ସପ୍ତାହ ବି  କରି  ଲୋକଙ୍କୁ ସଚେତନ କରାଯାଉଛି । ଇ-ଚାଳାନ କାଟି ଜରିମାନା ଆଦାୟ ଏବଂ ଦରକାର ହେଲେ ଡ୍ରାଇଭିଂ ଲାଇସେନ୍ସ ବାତିଲ ଲାଗି ସୁପାରିସ କରାଯାଉଛି। ଏହା ବାଦେ ବି କମିବା ନାଁ ନେଉନି ଦୁର୍ଘଟଣା।