ଭୁବନେଶ୍ବର: ପୁଣି ଜଣେ ବ୍ୟବସାୟୀ ଟ୍ରେଡିଂ ଆପ୍‌ର ମାୟାଜାଲ‌ରେ ଫସି ୬୩ ଲକ୍ଷ ଟଙ୍କା ହରାଇଛନ୍ତି। ବିନିଯୋଗ ରାଶି ଉପରେ ୨୬% ସୁଧ ଲୋଭର ବଶବର୍ତ୍ତୀ ହୋଇ ବ୍ୟବସାୟୀ ଜଣକ ୬୩ ଲକ୍ଷ ଟଙ୍କା ହରାଇବା ପରେ କ୍ରାଇମ୍‌ବ୍ରାଞ୍ଚ ସାଇବର ୟୁନିଟ୍‌ର ଦ୍ବାରସ୍ଥ ହୋଇଛନ୍ତି। ଅଭିଯୋଗକାରୀଙ୍କ କହିବାନୁସାରେ ତାଙ୍କ ହ୍ବାଟସ୍‌ଆପ୍‌କୁ ଏକ ଲିଙ୍କ୍‌ ସହ ମେସେଜ୍‌ ଆସିଥିଲା। ଏହା ସାଇବର ଠକ ପଠାଇଥିଲା, କିନ୍ତୁ ବ୍ୟବସାୟୀଜଣକ ବୁଝିପାରିନଥିଲେ। ଲିଙ୍କ୍‌ ଖୋଲିବା ପରେ ସାଇବର ଠକ ବ୍ୟବସାୟୀଙ୍କୁ ଏକ ଗ୍ରୁପ୍‌ରେ ଯୋଡ଼ି ଦେଇଥିଲା। ଗ୍ରୁପ୍‌ରେ ଥିବା କିଛି ସଦସ୍ୟ ଟ୍ରେଡିଂ ଆପ୍‌ରେ ପୁଞ୍ଜି ବିନିଯୋଗ କରି ଲାଭବାନ ହେଉଥିବା ଚର୍ଚ୍ଚା ହେଉଥିଲା। ଏତିକିରେ ବ୍ୟବସାୟୀଙ୍କୁ କିଛି ଟାସ୍କ ପୂରଣ କରିବାକୁ ଦିଆଯାଇଥିଲା ଏବଂ ସତକୁ ସତ କିଛି ଘଣ୍ଟା ଭିତରେ ତାଙ୍କୁ ବିନିଯୋଗ ରାଶି ଉପରେ ୨୬% ସୁଧ ହାରରେ ରିଟର୍ଣ୍ଣ ମିଳିଥିଲା। ଏଥିରେ ବ୍ୟବସାୟୀ ଲୋଭରେ ପଡ଼ିଥିଲେ ଏବଂ ଉତ୍ସାହିତ ହୋଇ ଅଧିକ ବିନିଯୋଗ କରିଚାଲିଲେ।

Advertisment

ସେ ୧୦ ଲକ୍ଷରୁ ଅଧିକ ବିନିଯୋଗ କରିବା ପରେ ତାଙ୍କ ଆକାଉଣ୍ଟ ଫ୍ରିଜ୍‌ ହୋଇଯାଇଥିଲା। ଆକାଉଣ୍ଟକୁ ସଚଳ କରିବା ପାଇଁ ସାଇବର ଠକ ବ୍ୟବସାୟୀଙ୍କୁ ଆଉ କିଛି ପୁଞ୍ଜି ନିବେଶ କରିବାକୁ କହିଥିଲା। ତେଣୁ ମୂଳଧନ ଫେରିପାଇବା ଆଶାରେ ବ୍ୟବସାୟୀଜଣକ ବିଭିନ୍ନ ପର୍ଯ୍ୟାୟରେ ୬୩ ଲକ୍ଷ ଟଙ୍କା ନିବେଶ କରିଦେଇଥିଲେ। ଏହାପରେ ତାଙ୍କୁ ଉକ୍ତ ଗ୍ରୁପ୍‌ରୁ ବାହାର କରିଦିଆଯାଇଥିଲା। ସେତେବେଳେ ବ୍ୟବସାୟୀ ଠକାମିର ଶିକାର ହୋଇଥିବା ନିଶ୍ଚିତ ହୋଇଥିଲେ। ସୂଚନାଯୋଗ୍ୟ ଯେ ଏପ୍ରିଲ୍‌ରେ ସାଇବର ଠକ ଟେଡିଂ ଆପ୍‌ ଜରିଆରେ ୧୦ କୋଟିରୁ ଅଧିକ ଟଙ୍କା ଠକେଇ କରିଥିବା ଅଭିଯୋଗ ହୋଇଥିଲା। ଜାନୁଆରିରୁ ମାର୍ଚ୍ଚ ଭିତରେ ୧୬ କୋଟିରୁ ଅଧିକ ଟଙ୍କା ଠକେଇ ହୋଇଥିବା ଅଭିଯୋଗ ହୋଇଥିଲା। ଏନେଇ ପୁଲିସ ଓ ସାଇବର ବିଶେଷଜ୍ଞମାନେ ବାରମ୍ବାର ଲୋକଙ୍କୁ ସଚେତନ କରୁଥିଲେ ବି କିଛି ସୁଫଳ ମିଳୁନଥିବା ଦେଖିବାକୁ ମିଳୁଛି।