୬୩,୩୦୩ ପ୍ରାଥମିକ ଶିକ୍ଷକ ପାଇବେ ପଦୋନ୍ନତି

ରେସିଡେନ୍ସି ପିରିଅଡ କମିଲା, ଗୁଣାତ୍ମକ ଶିକ୍ଷା କାର୍ଯ୍ୟକ୍ରମର ସଫଳତା ପାଇଁ ସହଯୋଗ ଲୋଡ଼ିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ରାଜ୍ୟର ପ୍ରାଥମିକ ବିଦ୍ୟାଳୟଗୁଡ଼ିକର ଶିକ୍ଷକମାନଙ୍କ ପଦୋନ୍ନତି ପାଇଁ ଆବଶ୍ୟକ ରେସିଡେନ୍ସି ପିରିଅଡକୁ କମ୍ କରାଯାଇଛି। ଏହା ଦ୍ବାରା ରାଜ୍ୟର ୬୩,୩୦୩ ଜଣ ପ୍ରାଥମିକ ଶିକ୍ଷକ ପଦୋନ୍ନତି ପାଇପାରିବେ। ତା’ ସହିତ ଉଚ୍ଚ ପ୍ରାଥମିକ ସ୍ତରରେ ବିଭିନ୍ନ ବିଷୟ ପାଇଁ ଶିକ୍ଷକ ପଦବି ପୂରଣ ହେବ ଏବଂ ପ୍ରାଥମିକ ଓ ଉଚ୍ଚପ୍ରାଥମିକ ସ୍ତରରେ ପ୍ରଧାନ ଶିକ୍ଷକ ପଦବିଗୁଡ଼ିକ ମଧ୍ୟ ପୂରଣ ହୋଇପାରିବ। ପ୍ରାଥମିକ ଶିକ୍ଷା କ୍ଷେତ୍ରରେ ବିଭିନ୍ନ ସ୍ତରରେ ଶିକ୍ଷକ ଅଭାବ ପୂରଣ ହେବା ଦ୍ବାରା ପ୍ରାଥମିକ ବିଦ୍ୟାଳୟଗୁଡ଼ିକର ପରିଚାଳନାରେ ଉନ୍ନତି ଆସିବା ସହିତ ଶୈକ୍ଷିକ ପରିବେଶରେ ମଧ୍ୟ ଉନ୍ନତି ଆସିପାରିବ ବୋଲି ମୁଖ୍ୟମନ୍ତ୍ରୀ ଆଶାପ୍ରକାଶ କରିଛନ୍ତି।

ଏହି ପ୍ରସ୍ତାବ କାର୍ଯ୍ୟକାରୀ ହେବା ଦ୍ବାରା ୫(ଏ) ସ୍ତରରେ ଥିବା ୨୯,୭୫୯ ଜଣ ସହକାରୀ ଶିକ୍ଷକ ୫(ବି) ସ୍ତରକୁ ପଦୋନ୍ନତି ପାଇବେ ଏବଂ ୫(ବି) ସ୍ତରରେ ଥିବା ୨୯,୭୫୯ ଜଣ ବରିଷ୍ଠ ଶିକ୍ଷକ ତୁରନ୍ତ ଲେଭେଲ-୪କୁ ପଦୋନ୍ନତି ପାଇବେ। ଏହା ସହିତ ଲେଭେଲ-୪ରେ ଥିବା ୩୭୮୫ ଜଣ ପ୍ରଧାନ ଶିକ୍ଷକ ସେପ୍ଟେମ୍ବର ମାସ ସୁଦ୍ଧା ଲେଭେଲ-୩କୁ ପଦୋନ୍ନତି ପାଇବେ। ଲେଭେଲ- ୫(ବି) ରେ ଥିବା ସହକାରୀ ଶିକ୍ଷକମାନଙ୍କ ପାଇଁ ରେସିଡେସନ୍ସି ପିରିଅଡକୁ ଏକ ବର୍ଷରୁ ୬ ମାସ କରାଯାଇଥିବା ବେଳେ ଲେଭେଲ-୪ ରୁ ଲେଭେଲ-୩ କୁ ପଦୋନ୍ନତି ପାଇବା ପାଇଁ ରେସିଡେନ୍ସି ପିରିଅଡର ସୀମା ୨ ବର୍ଷରୁ ୧ ବର୍ଷ କରାଯାଇଛି।

ସୂଚନାଯୋଗ୍ୟ ଯେ ୨୦୧୯ରେ ପ୍ରାଥମିକ ଶିକ୍ଷକମାନଙ୍କ କ୍ୟାଡରର ପୁନର୍ଗଠନ କରାଯାଇ ଲେଭେଲ-୪ରେ ୨୧,୪୬୩ ଶିକ୍ଷକ ପଦବି ସ୍ଥାନରେ ୫୧,୧୬୪ ଟି ପଦବି ସୃଷ୍ଟି କରାଯାଇଥିଲା ଏବଂ ଲେଭେଲ-୩ ରେ ଥିବା ୯୩୦୫ ଟି ପଦବି ସ୍ଥାନରେ ୧୮,୭୬୯ ଶିକ୍ଷକ ପଦବି ସୃଷ୍ଟି କରାଯାଇଥିଲା। ଏହି ଅବସରରେ ମୁଖ୍ୟମନ୍ତ୍ରୀ ପଦୋନ୍ନତି ପାଇବାକୁ ଯାଉଥିବା ସବୁ ଶିକ୍ଷକଙ୍କୁ ଅଭିନନ୍ଦନ ଜଣାଇବା ସହ ଗୁଣାତ୍ମକ ଶିକ୍ଷାଦାନ ଦିଗରେ ରାଜ୍ୟ ସରକାରଙ୍କ ଉଦ୍ୟମର ସଫଳତାରେ ସମସ୍ତଙ୍କ ସହଯୋଗ କାମନା କରିଛନ୍ତି।

ସମ୍ବନ୍ଧିତ ଖବର