ବେହେରା ସାହି କଣ୍ଟେନମେଣ୍ଟ ଜୋନ୍‌ରୁ ୨୪ ସମେତ କଟକରୁ ଆଜି ୬୪ ଜଣ କରୋନା ଆକ୍ରାନ୍ତ

କଟକ: ସ୍ଥାନୀୟ ମାଲଗୋଦାମ ବେହେରା ସାହି କଣ୍ଟେନମେଣ୍ଟ ଜୋନ୍‌ରୁ ୨୪ ଜଣଙ୍କ ସମେତ ଆଜି କଟକ ସହରର ବିଭିନ୍ନ ଅଂଚଳରେୁ ମୋଟ ୬୪ ଜଣ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। କଟକ ମହାନଗର ନିଗମ ପକ୍ଷରୁ ଏହି ସୂଚନା ଦିଆଯାଇଛି। କଣ୍ଟେନମେଣ୍ଟ ଜୋନରୁ ଚିହ୍ନଟ ହୋଇଥିବା ଲୋକଙ୍କ ମଧ୍ୟରୁ ୧୭ ଜଣ ପୁରୁଷ ହୋଇଥିବା ବେଳେ ୭ ଜଣ ମହିଳା। ଆଜି ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ୩୦ ଜଣ ସଂଗରୋଧରୁ ଥିବା ବେଳେ ୧୦ ଜଣ ହେଉଛନ୍ତି ସ୍ଥାନୀୟ ସଂକ୍ରମଣ।

ସିଏମ୍‌ସି ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ ସାମନ୍ତସାହିରୁ ୯ ଜଣ ମହିଳାଙ୍କ ସମେତ ୧୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏମାନେ ସମସ୍ତେ ପୂର୍ବରୁ ଚିହ୍ନଟ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିଲେ। ସେହିପରି ତୁଳସୀପୁର ମଠସାହିରୁ ଜଣେ, ମାଛୁଆ ବଜାରରୁ ଜରେ, ସିଡିଏ ସେକ୍ଟର-୧୧ରୁ ଜଣେ କରୋନା ଆକ୍ରାନ୍ତ ହୋଇଛନ୍ତି। ଥୋରିଆ ସାହିରୁ ଜଣେ କୋଭିଡ ଯୋଦ୍ଧାଙ୍କୁ ମଧ୍ୟ କରୋନା ସଂକ୍ରମଣ ହୋଇଛି।

ଆଜି ମୋଟ ୧୧ ଜଣ ସରକାରୀ କ୍ୱାରେଣ୍ଟାଇନରୁ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୭ ଜଣ ପୁରୁଷ ଓ ଜଣେ ମହିଳା ଏସ୍‌ସିବି ମେଡିକାଲ ଆଇସୋଲେସନରୁ ଚିହ୍ନଟ ହୋଇଥିବା ବେଳେ ଅନ୍ୟ ୩ ଜଣଙ୍କ ମଧ୍ୟରୁ ୨ ଜଣ ପୁରୁଷ ଓ ଜଣେ ମହିଳା ଅଛନ୍ତି।

 

ସୂଚନାଯୋଗ୍ୟ, କଟକ ସହରରେ ଏବେ ୧୩୮୯ କରୋନା ପଜିଟିଭ ଅଛନ୍ତି। ଏଥିରୁ ୬୭୧ ସୁସ୍ଥ ହୋଇଛନ୍ତି। ୧୦ ଜଣଙ୍କର ମୃତ୍ୟୁ ହୋଇଛି। ୭୦୮ ଜଣ ସକ୍ରିୟ ଆକ୍ରାନ୍ତ ଅଛନ୍ତି।

ସ୍ଥାନୀୟ ସଂକ୍ରମଣ ଯୋଗୁଁ ୨ ଜଣ ପୁରୁଷ କୋଭିଡ ଯୋଦ୍ଧା (୫୧ ବର୍ଷିଅ ଜଣେ ଅରବିନ୍ଦ ନଗର ଓ ୨୮ ବର୍ଷିଅ ଅନ୍ୟ ଜଣେ ଓଏସ୍‌ଏପି ୬ଷ୍ଠ ବାଟାଲିଅନ୍‌) ମଧ୍ୟ କୋଭିଡ ହସ୍‌ପିଟାଲରେ ଭର୍ତ୍ତି ହୋଇଛନ୍ତି। କେଶରପୁର, ତେଲେଙ୍ଗାବଜାର ଓ ବାଲିକୁଦାରୁ ଜଣେ ଲେଖାଏଁ ପରୁଷ ଓ ଦେଉଳ ସାହିରୁ ୨, ଦୋଳମୁଣ୍ଡାଇ, ଜଗତପୁର, ବଢେଇ ସାହିରୁ ଜଣେ ଲେଖାଏଁ ମହିଳା ଆକ୍ରାନ୍ତ ହୋଇଛନ୍ତି।

ସମ୍ବନ୍ଧିତ ଖବର