୬୪ ଅନ୍ତେବାସୀ ପଜିଟିଭ୍: ଏସଓପି ପାଳନରେ ହୋଇଥିଲା କି ଅବହେଳା?

ବିଶେଷଜ୍ଞ ଟିମର ଗସ୍ତ ପରେ ନିୟମାବଳୀ ଜାରି କଲେ ସରକାର

ରାୟଗଡ଼ା: ରାଜ୍ୟରେ କରୋନା ସଂକ୍ରମଣ ପ୍ରଭାବହୀନ ରହିଛି। କଟକଣା କୋହଳ ଥିବାରୁ ସ୍କୁଲ୍, କଲେଜ ସମେତ ଅନ୍ୟ ସବୁ ଅନୁଷ୍ଠାନ ସ୍ବାଭାବିକ ସ୍ଥିତିରେ ଚାଲିଛି। ଏପରି ସ୍ଥିତିରେ ରାୟଗଡ଼ାରେ କରୋନା କରାଳ ରୂପ ଦେଖାଇ ସ୍କୁଲ୍ ଅନ୍ତେବାସୀଙ୍କୁ ସଂକମ୍ରିତ କରିଛି। ତାହା ପୁଣି ଅନୁସୂଚିତ ଜାତି ଓ ଜନଜାତି କଲ୍ୟାଣ ବିଭାଗ ମନ୍ତ୍ରୀ ଜଗନ୍ନାଥ ସାରକାଙ୍କ ନିଜ ଜିଲ୍ଲାରେ। ଅନ୍ବେଷା ଯୋଜନାରେ ଅଧ୍ୟୟନ କରୁଥିବା ୪୪ ଅନ୍ତେବାସୀ କରୋନା ପଜିଟିଭ୍ ଚିହ୍ନଟ ପରେ ୨ ଜଣିଆ ବିଶେଷଜ୍ଞ ଟିମ୍ ରାୟଗଡ଼ା ଗସ୍ତ କରି ସ୍ଥିତି ଅନୁଧ୍ୟାନ କରିଛନ୍ତି। କିପରି ଓ କେଉଁ ପରିସ୍ଥିତିରେ ଏତେ ସଂଖ୍ୟକ ଅନ୍ତେବାସୀ ପଜିଟିଭ୍ ହେଲେ ସେ ନେଇ କାରଣ ଖୋଜା ଚାଲିଥିବା ବେଳେ ସଂକ୍ରମଣ ରୋକିବାକୁ ଏସଓପି ଜାରି କରିଛନ୍ତି ରାଜ୍ୟ ସରକାର।

କରୋନା ସ୍ଥିତିରେ ସୁଧାର ଆସିବା ପରେ ମାର୍ଚ୍ଚ ୧ ତାରିଖରୁ ହଷ୍ଟେଲ୍ ଖୋଲିବାକୁ ନିର୍ଦେଶ ଦେଇଥିଲେ ସରକାର। ଦୁଇ ବର୍ଷ ଧରି ଶିକ୍ଷାନୁଷ୍ଠାନ ଓ ହଷ୍ଟେଲ୍ ବନ୍ଦ ଥିବାରୁ ପରିଷ୍କାର, ପରିଚ୍ଛନ୍ନତାକୁ ଗୁରୁତ୍ବ ଦେବାକୁ କଡା ନିର୍ଦେଶ ଥିଲା। ସଂପୂର୍ଣ୍ଣ ହଷ୍ଟେଲ୍ ସାନିଟାଇଜ୍ ସହ ପାଇଖାନା, ଗାଧୁଆ ଘର, ରୋଷୋଇ ଶାଳକୁ ସଂକ୍ରମଣମୁକ୍ତ ଏବଂ ନିୟମିତ ବ୍ୟବଧାନରେ ଅନ୍ତେବାସୀଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରିବାକୁ ଏସଓପି ଜାରି ହୋଇଥିଲା। ପ୍ରତି ଛାତ୍ରଛାତ୍ରୀଙ୍କ ସ୍ବାସ୍ଥ୍ୟବସ୍ଥା ଉପରେ କଡା ନଜର ସହ ମାଇକ୍ରୋ ଲେବଲରେ ସୁରକ୍ଷାଜନିତ ପଦକ୍ଷେପ ନେବାକୁ ସ୍କୁଲ୍ ପ୍ରଧାନଶିକ୍ଷକ, ହଷ୍ଟେଲ୍ ସୁପରିଟେଣ୍ଡଣ୍ଟଙ୍କୁ ଦାୟିତ୍ବ ନ୍ୟସ୍ତ କରାଯାଇଥିଲା। ସ୍କୁଲ୍ ଖୋଲିବା ପରେ ମେଡ଼ିକାଲ୍ ଟିମ୍ ପହଞ୍ଚି ଅନ୍ତେବାସୀଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରିଥିବା ବେଳେ ବିଭାଗୀୟ ଏଏନ୍ଏମ୍ ନିଜ ଦାୟିତ୍ବ ସଠିକ୍ ଭାବେ ତୁଲାଇଥିବା ବିଶେଷଜ୍ଞ ଟିମ୍ ଆଗରେ ପ୍ରକାଶ କରିଛନ୍ତି। ତେବେ କେଉଁ କାରଣ ଓ କାହାର ଅବହେଳା ପାଇଁ ୬୪ ଅନ୍ତେବାସୀ କରୋନା ପଜିଟିଭ୍ ହେଲେ ତାକୁ ନେଇ ସୃଷ୍ଟି ହୋଇଛି ପ୍ରଶ୍ନବାଚୀ।

ଏ ସଂପର୍କରେ ବିଭାଗୀୟ ଅଧିକାରୀ ମୁହଁ ଖୋଲୁନଥିବାରୁ ଅନୁସୂଚିତ ଜାତି ଓ ଜନଜାତି ବିଭାଗ ସ୍ବତନ୍ତ୍ର ସଚିବ ଜାରି କରିଥିବା ଏସଓପି ପାଳନରେ ଅବହେଳା କରାଯାଇଥିବା ନେଇ ଚର୍ଚ୍ଚା ହେଉଛି। ଖୋଦ୍ ମନ୍ତ୍ରୀ ଜଗନ୍ନାଥ ସାରକାଙ୍କ ଜିଲ୍ଲାରେ ବିଭାଗୀୟ ଏସଓପି ପାଳନରେ ଯଦି ଅବହେଳା ତାହାହେଲେ ଅନ୍ୟ ଜିଲ୍ଲାରେ ହଜାର ହଜାର ଅନ୍ତେବାସୀଙ୍କ ସୁରକ୍ଷା ଦାୟିତ୍ବରେ ଥିବା ଅଧିକାରୀଙ୍କ କର୍ତ୍ତବ୍ୟ ଓ ଦାୟିତ୍ବ ପ୍ରତି ସଚେତନତା ରାୟଗଡ଼ା ଘଟଣା ପରେ ସ୍ପଷ୍ଟ ଅନୁମେୟ। ରାୟଗଡ଼ାରେ ସଂକ୍ରମିତ ହୋଇଥିବା ୪୪ ଅନ୍ତେବାସୀ ସହରର ବିଭିନ୍ନ ଘରୋଇ ସ୍କୁଲରେ ପଢ଼ୁଥିବା ବେଳେ ସଂକ୍ରମିତ ସୂଚନା ପରେ ଅନ୍ତେବାସୀ ପଢ଼ୁଥିବା ସ୍କୁଲକୁ ବିଭାଗୀୟ କର୍ତ୍ତୃପକ୍ଷ ଛୁଟି ଘୋଷଣା କରି ଦେଇଛନ୍ତି। ସଂକ୍ରମଣ ବଢ଼ିବା ଭୟରେ ନା ଅନ୍ୟ କେଉଁ କାରଣ ପାଇଁ ସ୍କୁଲ୍ ଛୁଟି ଘୋଷଣା ହୋଇଛି ସେ ନେଇ ସ୍ପଷ୍ଟ ହୋଇପାରିନି।

ଚଳିତ ରାଜ୍ୟ ସରକାର ଗ୍ରୀଷ୍ମ ଛୁଟି ଘୋଷଣା କରିନଥିବା ବେଳେ କେଉଁ କାରଣ ପାଇଁ ସହରର ୫ ଘରୋଇ ସ୍କୁଲ୍ ଛୁଟି ହେଲା ତାକୁ ନେଇ ଅଭିଭାବକ ଦ୍ବନ୍ଦ୍ବରେ ଅଛନ୍ତି। ରାୟଗଡ଼ା ଭଳି ବିଷମକଟକ ବ୍ଲକ୍ ହାଟମୁନିଗୁଡ଼ା ସ୍କୁଲର ୨୦ ଅନ୍ତେବାସୀ ପଜିଟିଭ୍ ହେବା ପରେ ରାଜ୍ୟ ବିଶେଷଜ୍ଞ ଟିମ୍ ଉଭୟ ଅଞ୍ଚଳ ଗସ୍ତ କରି ସ୍ଥିତି ଅନୁଧ୍ୟାନ କରିଛନ୍ତି। ବିଶେଷଜ୍ଞ ଟିମ୍ ଗସ୍ତ ପୂର୍ବରୁ ବିଭାଗୀୟ ସ୍ବତନ୍ତ୍ର ସଚିବ ନୂତନ ଏସଓପି ଜାରି କରି ସତର୍କତା ଅବଲମ୍ବନ କରିବାକୁ ଜିଲ୍ଲାପାଳ, ଜିଲ୍ଲା ମଙ୍ଗଳ ଅଧିକାରୀ ଓ ପିଏ ଆଇଟିଡିଏଙ୍କୁ ଅବଗତ କରିଛନ୍ତି। ସମସ୍ତ ଛାତ୍ରଛାତ୍ରୀଙ୍କ ନିୟମିତ ସ୍ବାସ୍ଥ୍ୟ ପରୀକ୍ଷା ପାଇଁ ଅକ୍ସିମିଟର, ଥର୍ମୋମିଟର କିଣିବାକୁ ବାଧ୍ୟତା ମୂଳକ କରାଯାଇଛି। ବାହାର ଲୋକଙ୍କୁ ହଷ୍ଟେଲ୍ ପ୍ରବେଶ ଉପରେ ରୋକ୍ ଲଗାଯାଇଛି। ଅନ୍ତେବାସୀଙ୍କୁ ଗରମ ଖାଦ୍ୟ ପ୍ରଦାନ ସହ ଶ୍ରେଣୀ ଗୃହ ଓ ହଷ୍ଟେଲରେ ସାମାଜିକ ଦୂରତା ରକ୍ଷା କରିବା, ମାସ୍କ ବ୍ୟବହାର ବାଧ୍ୟତାମୂଳକ, ନିୟମିତ ହାତ ଧୋଇବା, ଥଣ୍ଡା, କାଶ ଜ୍ବର ହେଲେ ସଙ୍ଗରୋଧରେ ରହିବାକୁ କୁହାଯାଇଛି।

ସମ୍ବନ୍ଧିତ ଖବର