ବନ୍ଦ ହେଲା କଲ୍‌ମାର ୬୪ଟି ଗେଟ୍‌

ସମ୍ବଲପୁର : ଛତିଶଗଡ଼ ସରକାର ମହାନଦୀ ଉପରେ ନର୍ମିତ କଲ୍‌ମା ବ୍ୟାରେଜର ୬୪ଟି ଗେଟ୍‌ ବନ୍ଦ କରି ଦେଇଛନ୍ତି। ପ୍ରଥମ ପର୍ଯ୍ୟାୟରେ ଗତ ୫ ଅକ୍ଟୋବରରେ ୨୦ଟି ଗେଟ୍‌ ବନ୍ଦ କରାଯାଇଥିବା ବେଳେ ପରବର୍ତ୍ତୀ ସମୟରେ ବାକି ଗେଟ୍‌ ବନ୍ଦ କରାଯାଇଛି। ଶନିବାର କଲ୍‌ମାର ୬୬ଟି ଗେଟ୍‌ ମଧ୍ୟରୁ ମାତ୍ର ୨ଟି ଗେଟ୍‌ ଖୋଲା ରହିଛି। କଲ୍‌ମାର ୩୦ ଓ ୩୧ ନମ୍ବର ଗେଟ୍‌ ଦେଇ ୩୦୮.୯୨୦ କ୍ୟୁମେକ ଜଳ ପ୍ରତି ସେକେଣ୍ଡ ଛଡ଼ାଯାଇଥିବା ଜଣାପଡ଼ିଛି।

କଲମାର ଜଳସ୍ତର ୧୯୫.୧୦୦ ମିଟର ରହିଥିବା ଛତିଶଗଡ଼ ଜଳସଂପଦ ବିଭାଗର ଜଣେ ବରିଷ୍ଠ ଯନ୍ତ୍ରୀ ସୂଚନା ଦେଇଛନ୍ତି। ଅପରପକ୍ଷରେ ଶନିବାର ସନ୍ଧ୍ୟା ୬ଟାରେ ହୀରାକୁଦ ଜଳଭଣ୍ଡାର ଜଳସ୍ତର ୬୨୯.୬୩ ଫୁଟ୍‌ ରହିଛି। ଜଳଭଣ୍ଡାରକୁ ୧୩,୪୩୪ କୁସେକ ପ୍ରବେଶ କରୁଥିବା ବେଳେ ୨୫,୦୫୧ କ୍ୟୁସେକ ନିଷ୍କାସିତ ହେଉଛି। ଏଥିରୁ ପାଓ୍ଵାର ଚାନେଲ ଦେଇ ୧୯,୩୪୧ କ୍ୟୁସେକ,ବରଗଡ଼ କେନାଲରେ ୩୮୩୨ କ୍ୟୁସେକ, ଶାସନ କେନାଲରେ ୬୩୦ କ୍ୟୁସେକ ଓ ସମ୍ବଲପୁର କେନାଲରେ ୧୧୯ କ୍ୟୁସେକ ଜଳ ନିଷ୍କାସିତ ହେଉଛି।

ଗତ ସେପ୍‌ଟେମ୍ବର ମାସରେ ଓଡ଼ିଶା ସରକାର କଲ୍‌ମା ବ୍ୟାରେଜର ଗେଟ୍‌ ବନ୍ଦ ନକରିବାକୁ ଛତିଶଗଡ଼ ଜଳ ସଂପଦ ବିଭାଗର ସବୋର୍ଚ୍ଚ ଯନ୍ତ୍ରୀଙ୍କୁ ପତ୍ର ଲେଖିଥିଲେ। ମାତ୍ର ଛତିଶଗଡ଼ ସରକାର ଏହାକୁ ଅଣଦେଖା କରି ନିଜ ପୂର୍ବ ଯୋଜନା ମୁତାବକ ଅକ୍ଟୋବର ପ୍ରଥମ ସପ୍ତାହରୁ କଲ୍‌ମା ଗେଟ୍‌ ପକାଇବାକୁ ଆରମ୍ଭ କରିଥିଲେ। ହୀରାକୁଦ ଜଳଭଣ୍ଡାରର ଠିକ୍‌ ଉପରେ ମହାନଦୀରେ ଥିବା କଲ୍‌ମା ବ୍ୟାରେଜ ନିର୍ମାଣ କାର୍ଯ୍ୟ ସଂପୂର୍ଣ୍ଣ ହେବା ପରେ ୨୦୧୬ ଅକ୍ଟୋବରରେ ଛତିଶଗଡ଼ ଏହାର ଗେଟ୍‌ ପକାଇ ଥିଲା। ୬୬ଟି ଗେଟ୍‌ ମଧ୍ୟରୁ ନାମକୁମାତ୍ର ୧/୨ଟି ଗେଟ୍‌ ସାମାନ୍ୟ ଖୋଲାଯାଇଥିଲା। ଏଭଳି ସ୍ଥିତିରେ ଗତବର୍ଷ ଅଣମୌସୁମୀ ଋତୁରେ ହୀରାକୁଦକୁ ସ୍ୱାଭାବିକ ଜଳପ୍ରବେଶ ମାତ୍ରଠାରୁ ୭୮ ପ୍ରତିଶତ କମି ଯାଇଥିଲା।

ହୀରାକୁଦ ଜଳଭଣ୍ଡାର କ୍ୟାଚ୍‌ମେଣ୍ଟ ଏରିଆ ପାଖାପାଖି ୯୦ ପ୍ରତିଶତ ଛତିଶଗଡ଼ରେ ରହିଥିବା ବେଳେ ବାକି ଅଂଚଳ ଓଡ଼ିଶାରେ ରହିଛି। ମୌସୁମୀ ଋତୁରେ(ଜୁନ୍‌ରୁ ଅକ୍ଟୋବର ମାସ)ରେ ହୀରାକୁଦକୁ ଯେତିକି ପାଣି ଆସିଥାଏ, ଅଣମୌସୁମୀ ଋତୁରେ(ନଭେମ୍ବରରୁ ମେ’)ରେ ତା’ଠାରୁ ଯଥେଷ୍ଟ କମ୍‌ ପାଣି ଜଳଭଣ୍ଡାରକୁ ପ୍ରବେଶ କରିିଥାଏ। ଗତ ୪ ବର୍ଷର ପରିସଂଖ୍ୟାନ ଦେଖିଲେ ହୀରାକୁଦ ଜଳଭଣ୍ଡାରକୁ ଜଳପ୍ରବେଶ ମାତ୍ରା ହ୍ରାସ ପାଇବାରେ ଲାଗିଛି। ୨୦୧୩-୧୪ ମସିହାରେ ଅଣମୌସୁମୀ ଋତୁରେ ୧.୪୫୦ ନିୟୁତ ଏକର ଫୁଟ୍‌, ୨୦୧୪ -୧୫ମସିହାରେ ୧.୩୫୫ ନିୟୁତ ଏକର ଫୁଟ୍‌ ଏବଂ ୨୦୧୫-୧୬ ଅଣମୌସୁମୀ ଋତୁରେ ମାତ୍ର ୦.୯୦୭ ନିୟୁତ ଏକର ଫୁଟ୍‌ ପାଣି ପ୍ରବେଶ ଜଳଭଣ୍ଡାରକୁ ପ୍ରବେଶ କରିଥିଲା। ଏଭଳି ସ୍ଥିତିରେ ଏଥର ବି ସେଭଳି ସମସ୍ୟା ସୃଷ୍ଟି ହେବାର ଆଶଙ୍କା ପ୍ରକାଶ ପାଇଛି।

ମହାନଦୀ ଶଯ୍ୟା(ବେଡ୍‌ ଲେବଲ) ସମୁଦ୍ର ପତ୍ତନରୁ ୫୦୦ ଫୁଟ୍‌ ଉଚ୍ଚତାରେ ରହିଛି। ୧୯୮୮ ମସିହାର ରୁଲ୍‌କର୍ଭ ଅନୁଯାୟୀ ୩୦ ସେପ୍‌ଟେମ୍ବରରେ ହୀରାକୁଦରେ ଏହାର ସର୍ବୋଚ୍ଚ ଜଳସ୍ତର ୬୩୦ ଫୁଟ୍‌ ରଖାଯାଇଥାଏ। ଅନ୍ୟ ବର୍ଷ ଅଗଷ୍ଟ ମାସରେ ବନ୍ୟା ଜଳ ନିଷ୍କାସନ କରାଯାଉଥିବା ବେଳେ ଚଳିତ ବର୍ଷ ପ୍ରଥମ ଥର ପାଇଁ ୨୩ ଜୁଲାଇରେ ହୀରାକୁଦରୁ ପାଣି ଛଡ଼ାଯାଇଥିଲା। ତେବେ ମହାନଦୀରେ କମ୍‌ ଜଳ ପ୍ରବାହ ଯୋଗୁଁ ଜୁଲାଇ ପରେ ଆଉ ହୀରାକୁଦର ଗେଟ୍‌ ଖୋଲାଯାଇନଥିଲା। ସେପ୍‌ଟେମ୍ବରରେ ଛତିଶଗଡ଼ ସରକାର ଅଚାନକ ନିଜ ବ୍ୟାରେଜଗୁଡ଼ିକର ଜଳ ନିଷ୍କାସନ କରିବାରୁ ଧାର୍ଯ୍ୟ ତାରିଖ ପୂର୍ବରୁ ହୀରାକୁଦ ଏହାର ସର୍ବୋଚ୍ଚ ସ୍ତର ଅତିକ୍ରମ କରିବାରୁ ଅଚାନକ ଗେଟ୍‌ ଖୋଲି ଜଳ ନିଷ୍କାସନ କରାଯାଇଥିଲା।

 

ସମ୍ବନ୍ଧିତ ଖବର