୮ ରାଜ୍ୟରେ ଶିଶୁ ଖୋଜିବାକୁ ଯିବେ ୬୪ ଅଧିକାରୀ

କ୍ରାଇମ୍‌ବ୍ରାଞ୍ଚର ‘ପରୀ-୨’ ବୈଠକ, ସ୍ୱତନ୍ତ୍ର ଟିମ୍‌ରେ ମହିଳା ଓ ଶିଶୁ କଲ୍ୟାଣ ବିଭାଗ ସାମିଲ

କଟକ : ରାଜ୍ୟ ବାହାରେ ନିଖୋଜ ଶିଶୁଙ୍କୁ ଉଦ୍ଧାର କରିବାକୁ ଯୋଜନା ପ୍ରସ୍ତୁତ ହୋଇଛି। ଏଥିପାଇଁ ମୋଟ ୮ଟି ରାଜ୍ୟ ଚିହ୍ନଟ ହୋଇଛି। ଏହି ରାଜ୍ୟରେ ଓଡ଼ିଶାର ସର୍ବାଧିକ ଶିଶୁଙ୍କୁ ଶ୍ରମିକ ଭାବରେ ନିୟୋଜିତ କରାଯାଇଛି। ଉଭୟ ରାଜ୍ୟ କ୍ରାଇମ୍‌ବ୍ରାଞ୍ଚ ଏବଂ ମହିଳା ଓ ଶିଶୁ କଲ୍ୟାଣ ବିଭାଗ ପକ୍ଷରୁ ୬୪ ଜଣ ଅଧିକାରୀ ଏହି ଟିମ୍‌ରେ ସାମିଲ ହେବେ ବୋଲି କ୍ରାଇମ୍‌ବ୍ରାଞ୍ଚ ଏଡିଜି ସନ୍ତୋଷ ଉପାଧ୍ୟାୟ କହିଛନ୍ତି।

କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ଆରମ୍ଭ ହୋଇଥିବା ଅପରେସନ୍‌ ‘ମୁସ୍କାନ୍‌’ ଓ ‘ସ୍ମାଇଲ’ ଯୋଜନା ପରେ ନିଖୋଜ ଶିଶୁଙ୍କୁ ଉଦ୍ଧାର କରିବା ପାଇଁ ରାଜ୍ୟ ସରକାର ‘ପରୀ-୨’ ଯୋଜନାରେ ସେପ୍ଟେମ୍ବର ୧ ରୁ ୧୫ ତାରିଖ ପର୍ଯ୍ୟନ୍ତ ରାଜ୍ୟ ଭିତରେ ଶିଶୁଙ୍କୁ ଉଦ୍ଧାର କରାଯାଉଛି। ସର୍ବାଧିକ ଗଞ୍ଜାମ ଜିଲ୍ଲାରେ ୨୫୧ ଜଣ ଶିଶୁଙ୍କୁ ଉଦ୍ଧାର କରାଯାଇଛି। ଦ୍ୱିତୀୟରେ ବ୍ରହ୍ମପୁର ପୁଲିସ ଜିଲ୍ଲାରୁ ୧୪୦ ଶିଶୁ ଶ୍ରମିକଙ୍କୁ ଉଦ୍ଧାର କରାଯାଇଥିବା ରିପୋର୍ଟରୁ ଜଣାପଡ଼ିଛି। କ୍ରାଇମ୍‌ବ୍ରାଞ୍ଚର ରିପୋର୍ଟ ଅନୁଯାୟୀ, ୧୧ ତାରିଖ ସୁଦ୍ଧା ମୋଟ ୧୪୯୭ ଜଣ ଶିଶୁ ଶ୍ରମିକଙ୍କୁ ରାଜ୍ୟର ୩୬ଟି ପୁଲିସ ଜିଲ୍ଲାରୁ ଉଦ୍ଧାର କରାଯାଇଛି। ସେମାନଙ୍କ ମଧ୍ୟରୁ ୧୨୬୮ ଜଣ ନାବାଳକ ଓ ୨୨୯ ଜଣ ନାବାଳିକା ଜିଲ୍ଲା ପୁଲିସ ଦ୍ୱାରା ଉଦ୍ଧାର ହୋଇଛନ୍ତି। ଶିଶୁଙ୍କୁ ଚାଲାଣ ଓ ନିର୍ଯାତନା ଅଭିଯୋଗରେ ପୁଲିସ ମୋଟ ୮୪ଟି ମାମଲା ରୁଜୁ କରିଛି। ଯେଉଁମାନଙ୍କ ପରିଚୟ ଠାବ ହୋଇପାରି ନାହିଁ, ସେମାନଙ୍କୁ କ୍ରାଇମ୍‌ବ୍ରାଞ୍ଚର ନିର୍ଦ୍ଦେଶ ଅନୁଯାୟୀ, ଶିଶୁ ଯତ୍ନ ଅନୁଷ୍ଠାନରେ ଥଇଥାନ କରାଯାଇଛି। ଆସନ୍ତା ସେପ୍ଟେମ୍ବର ୧୬ରୁ ୩୦ ତାରିଖ ପର୍ଯ୍ୟନ୍ତ ରାଜ୍ୟ ବାହାରକୁ କ୍ରାଇମ୍‌ବ୍ରାଞ୍ଚ ଏବଂ ରାଜ୍ୟ ମହିଳା ଓ ଶିଶୁ କଲ୍ୟାଣ ବିଭାଗର ଏକ ସ୍ୱତନ୍ତ୍ର ଟିମ୍‌ ଗସ୍ତ କରିବ। ପ୍ରତ୍ୟେକ ଟିମ୍‌ରେ ୭ ଜଣ ପୁଲିସ ଅଫିସର ଏବଂ ଜଣେ ମହିଳା ଓ ଶିଶୁ କଲ୍ୟାଣ ବିଭାଗର ଅଧିକାରୀ ସାମିଲ ହେବେ। ଆଜି ସକାଳ ୧୦ଟାରେ କ୍ରାଇମ୍‌ବ୍ରାଞ୍ଚ କାର୍ଯ୍ୟାଳୟରେ ଏଡିଜି ଶ୍ରୀ ଉପାଧ୍ୟାୟଙ୍କ ଅଧ୍ୟକ୍ଷତାରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକରେ ଏହି ନିଷ୍ପତ୍ତି ହୋଇଛି।

ବାଲେଶ୍ୱର ପୂର୍ବାଞ୍ଚଳ ରେଞ୍ଜର ଟିମ୍‌ ପଶ୍ଚିମବଙ୍ଗ ଯିବ। ସେହିପରି କମିସନରେଟ୍‌ ପୁଲିସର ଟିମ୍‌ ଦିଲ୍ଲୀ, କଟକ କେନ୍ଦ୍ରାଞ୍ଚଳର ଟିମ୍‌ ମହାରାଷ୍ଟ୍ର, ବ୍ରହ୍ମପୁର ଦକ୍ଷିଣାଞ୍ଚଳର ଟିମ୍‌ ଆନ୍ଧ୍ର ପ୍ରଦେଶ, କୋରାପୁଟ ଦକ୍ଷିଣ ପଶ୍ଚିମାଞ୍ଚଳ ରେଞ୍ଜର ଟିମ୍‌ ତଲେଙ୍ଗାନା, ସମ୍ବଲପୁର ଉତ୍ତରାଞ୍ଚଳ ଟିମ୍‌ ଛତିଶଗଡ଼, ତାଳଚେର ଉତ୍ତର କେନ୍ଦ୍ରାଞ୍ଜଳର ଟିମ୍‌ ତାମିଲନାଡ଼ୁ, ରାଉରକେଲା ପଶ୍ଚିମାଞ୍ଚଳର ଟିମ୍‌ ଝାଡ଼ଖଣ୍ଡ ଏବଂ ବାଲେଶ୍ୱର ପୂର୍ବାଞ୍ଚଳ ରେଞ୍ଜର ଟିମ୍‌ ପଶ୍ଚିମବଙ୍ଗ ଗସ୍ତ କରିବାକୁ ନିଷ୍ପତ୍ତି ହୋଇଛି। ଉକ୍ତ ରାଜ୍ୟରେ ଓଡ଼ିଶାର ଚାଲାଣ ହୋଇଥିବା ଶିଶୁ ସେଠାରେ ଦୀର୍ଘ ଦିନ ହେବ ନିର୍ଯାତିତା ହେଉଥିବା ସମ୍ପର୍କରେ ରିପୋର୍ଟ ମିଳିଛି। ସେହି ରିପୋର୍ଟ ଆଧାରରେ ୮ଟି ମୋଟ ୮ଟି ରାଜ୍ୟକୁ ଗସ୍ତ କରିବାକୁ ନିଷ୍ପତ୍ତି ହୋଇଛି।

ଆଜିର ବୈଠକରେ ଶ୍ରୀ ଉପାଧ୍ୟାୟଙ୍କ ସମେତ ଆଇଜି ଅସିତ ପାଣିଗ୍ରାହୀ, ଶ୍ରମ ବିଭାଗ ଅଧିକାରୀ ବି. ବି ଆଚାର୍ଯ୍ୟ, ଗୀତା ପଟ୍ଟନାୟକ, ସଂଗ୍ରାମ ବିଶ୍ୱାଳ ପ୍ରମୁଖ ବୈଠକରେ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର