ଭୁବନେଶ୍ୱର/କେନ୍ଦୁଝର: ଆମ୍ବୁଲାନ୍ସ ଏକ ଅତି ଜରୁରିକାଳୀନ ସେବା। ତେଣୁ ଖଣି ପ୍ରଭାବିତ କେନ୍ଦୁଝର ଜିଲ୍ଲାରେ ଅଧିକ ଚିକିତ୍ସା ଆବଶ୍ୟକ କରୁଥିବା ଗୁରୁତର ରୋଗୀମାନଙ୍କୁ ମାଗଣାରେ ଗ୍ରାମାଞ୍ଚଳ ସ୍ୱାସ୍ଥ୍ୟ କେନ୍ଦ୍ରରୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ବା ଜିଲ୍ଲା ବାହାରେ ଥିବା ବଡ଼ ଡାକ୍ତରଖାନାକୁ ପଠାଇବା ପାଇଁ ଅତ୍ୟାଧୁନିକ ଆମ୍ବୁଲାନ୍ସ ସେବା ଚାଲୁଛି। ଏଥିପାଇଁ ଓମ୍ବାଡସି ପାଣ୍ଠିରୁ ଆର୍ଥିକ ସହାୟତା ଯୋଗାଇ ଦିଆଯାଉଛି। ଓମ୍ବାଡସି ସହାୟତାରେ କେନ୍ଦୁଝର ଜିଲ୍ଲାରେ ୨୦୨୧ ମସିହାରୁ ୩ଟି ଅତ୍ୟାଧୁନିକ ଆମ୍ବୁଲାନ୍ସ ସେବା କାର୍ଯ୍ୟକ୍ଷମ ହେଉଛି। ସେଥିମଧ୍ୟରୁ ଗୋଟିଏ ଆଡଭାନ୍ସଡ୍ ଲାଇଫ୍ ସପୋର୍ଟ ଆମ୍ବୁଲାନ୍ସ (ଏଏଲଏସ୍) ରହିଥିବା ବେଳେ ୨ଟି ହେଉଛି ବେସିକ୍ ଲାଇଫ୍ ସପୋର୍ଟ ଆମ୍ବୁଲାନ୍ସ (ବିଏଲଏସ୍)। ଏହି ଆମ୍ବୁଲାନ୍ସଗୁଡ଼ିକୁ ଜିଲ୍ଲାର ବିଭିନ୍ନ ସ୍ୱାସ୍ଥ୍ୟ କେନ୍ଦ୍ର ସହିତ ଯୋଡ଼ା ଯାଇଛି।
ଜିଲ୍ଲାର ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଳୟ ସହିତ ଶାଳଣିଆଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଏବଂ ସାଇଁକୁଳ ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ରରେ ଏହି ଆମ୍ବୁଲାନ୍ସ ସେବା ଉପଲବ୍ଧ ରହିଛି। ଏହି ଆମ୍ବୁଲାନ୍ସର ନାମ ‘ଓମ୍ବାଡସି ସେବା ସଂଯୋଗ ବାହନ’ ରଖାଯାଇଛି। ଏହି ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସିତ ରୋଗୀମାନଙ୍କୁ ବଡ଼ ଡାକ୍ତରଖାନାକୁ ପଠାଇବା ବେଳେ ଓମ୍ବାଡସିର ଏହି ଆମ୍ବୁଲାନ୍ସ ସେବା ଏକ ପ୍ରମୁଖ ଭୂମିକା ଗ୍ରହଣ କରୁଛି। ୨୦୨୧ ମେ’ରୁ ୨୦୨୩ ଡିସେମ୍ବର ଭିତରେ ୬ ହଜାର ୪୯୩ ଜଣ ରୋଗୀ ଏହି ଆମ୍ବୁଲାନ୍ସ ସେବା ଦ୍ୱାରା ଉପକୃତ ହୋଇଛନ୍ତି। ଓମ୍ବାଡସିର ଏହି ସ୍ୱତନ୍ତ୍ର ଆମ୍ବୁଲାନ୍ସ ସେବା ଫଳରେ ୨୦୨୧ ମେ’ରୁ ୨୦୨୨ ମାର୍ଚ୍ଚ ଭିତରେ ୧୭୬୨ ଜଣ ରୋଗୀ ଉପକୃତ ହୋଇଛନ୍ତି। ସେହିପରି ୨୦୨୨ ଏପ୍ରିଲରୁ ୨୦୨୩ ମାର୍ଚ୍ଚ ଭିତରେ ୨୬୬୯, ଏପ୍ରିଲ ୨୦୨୩ରୁ ୨୦୨୪ ଜାନୁଆରି ମାସ ସୁଦ୍ଧା ୨୦୬୨ ଜଣ ରୋଗୀଙ୍କୁ ଏହି ଆମ୍ବୁଲାନ୍ସ ସେବା ଯୋଗାଇ ଦେଇଛି। ପ୍ରତି ମାସରେ ୨୦୦ରୁ ୨୫୦ ଜଣ ରୋଗୀ ଏହି ସେବା ପାଇଛନ୍ତି।
/sambad/media/post_attachments/wp-content/uploads/2024/02/WhatsApp-Image-2024-02-13-at-12.18.28_f793a73f-e1707818418808.jpg)
ଆଡଭାନ୍ସଡ୍ ଲାଇଫ୍ ସପୋର୍ଟ ଆମ୍ବୁଲାନ୍ସରେ ଅକ୍ସିଜେନ, ଭେଣ୍ଟିଲେଟର, ପଲ୍ସ ଅକ୍ସିମିଟର, ଗ୍ଲୁକୋମିଟର, ନେବିଲାଇଜର୍, ଇନଫ୍ୟୁଜନ୍ ପମ୍ପ, ସକ୍ସନ ମେସିନ ଏବଂ ବିଭିନ୍ନ ପ୍ରକାରର ଷ୍ଟ୍ରେଚର ଆଦି ରହିଛି। ସେହିପରି ବେସିକ୍ ଲାଇଫ୍ ସପୋର୍ଟ ଆମ୍ବୁଲାନ୍ସରେ ଭେଣ୍ଟିଲେଟର ଛଡ଼ା ଅନ୍ୟନ୍ୟ ପ୍ରାଥମିକ ଚିକିତ୍ସା ସୁବିଧା ରହିଛି। ତା’ଛଡ଼ା ଦୁର୍ଘଟଣାଗ୍ରସ୍ତ ରୋଗୀଙ୍କୁ ସୁବିଧାରେ ଡାକ୍ତରଖାନା ନେବା ପାଇଁ ସ୍ପାଇନ୍ ବୋର୍ଡ ସହିତ ଆବଶ୍ୟକ ଔଷଧ ଓ ଇଞ୍ଜେକ୍ସନ ମଧ୍ୟ ଉପଲବ୍ଧ ରହିଛି। ଏହି ଏଏଲଏସ୍ ଓ ବିଏଲଏସ୍ ଆମ୍ବୁଲାନ୍ସ ଛଡ଼ା କେନ୍ଦୁଝର ଜିଲ୍ଲାରେ ପ୍ରଶାସନ ପକ୍ଷରୁ ୧୦୮ ଓ ୧୦୨ ଆମ୍ବୁଲାନ୍ସ ସେବା ମଧ୍ୟ ଚାଲିଛି। ଫଳରେ ରୋଗୀମାନେ ଘର ପାଖରୁ ସୁବିଧାରେ ନିକଟସ୍ଥ ଡାକ୍ତରଖାନାରେ ପହଞ୍ଚି ପାରୁଛନ୍ତି।
କେନ୍ଦୁଝର ସହିତ ରାଜ୍ୟର ବିଭିନ୍ନ ଖଣି ପ୍ରଭାବିତ ଜିଲ୍ଲାରେ ଲୋକଙ୍କୁ ଉନ୍ନତ ମାନର ସ୍ୱାସ୍ଥ୍ୟ ସେବା ଯୋଗାଇଦେବା ପାଇଁ ଓମ୍ବାଡସି ପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନିଆଯାଉଛି। ବିଭିନ୍ନ ସ୍ୱାସ୍ଥ୍ୟ କେନ୍ଦ୍ରଗୁଡ଼ିକର ନବୀକରଣ କରାଯିବା ସହ ଅତ୍ୟାଧୁନିକ ଉପକରଣ ଯୋଗାଇ ଦେବା ଫଳରେ ସ୍ୱାସ୍ଥ୍ୟ ସେବାର ରୂପରେଖ ବଦଳିଛି। ଏଥିରେ ଆମ୍ବୁଲାନ୍ସ ସେବା ଯୋଡ଼ି ହେବା ଫଳରେ ଖଣି ପ୍ରଭାବିତ କେନ୍ଦୁଝର ଜିଲ୍ଲାରେ ସ୍ୱାସ୍ଥ୍ୟ ସେବା କ୍ଷେତ୍ର ଅଧିକ ସଦୃଢ଼ ହୋଇପାରିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2024/02/WhatsApp-Image-2024-02-13-at-12.18.29_20b29413.jpg)