ଶ୍ରାବଣ ମାସ ଶେଷ, ଖୋର୍ଦ୍ଧା ଜିଲ୍ଲାରେ ୬୪ ପ୍ରତିଶତ ଜମିରେ ଧାନ ଚାଷ ଆରମ୍ଭ

ଖୋର୍ଦ୍ଧା: ଆଷାଢ଼, ଶ୍ରାବଣ, ଭାଦ୍ରବ ଓ ଆଶ୍ୱିନ ମାସରେ ବେଉଷଣ, ଧାନବୁଣା, ରୁଆ ଆଦି କାମ ହୁଏ ଏବଂ ମାର୍ଗଶିର ମାସରେ ଧାନ କଟା ହୁଏ । ପ୍ରଥମ ଚାରି ମାସରେ ଯଦି ବର୍ଷା ଠିକ ନହୁଏ ତେବେ ଧାନ ଚାଷ ପ୍ରଭାବିତ ହୁଏ । ଚଳିତ ବର୍ଷ ଆଷାଢ଼ ଶେଷ ହୋଇ ଶ୍ରାବଣ ଶେଷ ହେବାକୁ ବସିଛି, କିନ୍ତୁ ଜିଲ୍ଲାରେ କେବଳ ୬୪ ପ୍ରତିଶତ ଅଂଚଳରେ ଧାନ ଚାଷ କାମ ଆରମ୍ଭ ହୋଇଛି ।

ଜିଲ୍ଲା କୃଷି ବିଭାଗର ତଥ୍ୟାନୁସାରେ, ଚଳିତ ଖରିଫ ଋତୁରେ ଚାଷ ହେଉଥିବା ୧ଲକ୍ଷ ୨୦ ହଜାର ହେକ୍ଟର ଜମି ମଧ୍ୟରୁ ୧ଲକ୍ଷ ୩ହଜାର ହେକ୍ଟର ଜମିରେ ଧାନ ଓ ୧୭ ହଜାର ହେକ୍ଟର ଜମିରେ ଅନ୍ୟାନ୍ୟ ଚାଷ କାମ ହେବା ଲକ୍ଷ୍ୟ ରଖାଯାଇଥିଲା । ଚଳିତ ମାସ ପ୍ରଥମ ସପ୍ତାହ ସୁଦ୍ଧା ଜିଲ୍ଲାରେ ୭୪, ୨୩୦ ହେକ୍ଟର ଜମିରେ ଚାଷ କାମ ଆରମ୍ଭ ହୋଇଛି । ଏହା ମଧ୍ୟରୁ ଧାନ ଚାଷ ୬୪,୨୧୮ ହେକ୍ଟରରେ ଆରମ୍ଭ ହୋଇଥିବା ବେଳେ ମାଣ୍ଡିଆ, ବିରି, ଆଳୁ, ପରିବା ଆଦି ୧୦ହଜାର ହେକ୍ଟର ଅଟେ । ଧାନ ଚାଷ ଆରମ୍ଭ ହୋଇଥିବା ମୋଟ ଜମି ମଧ୍ୟରୁ ଖୋର୍ଦ୍ଧାରେ ୭୭୦୯ ହେକ୍ଟର, ବେଗୁନିଆରେ ୯୪୨୧ ହେକ୍ଟର, ବୋଲଗଡ଼ରେ ୧୦,୫୪୦ ହେକ୍ଟର, ଟାଙ୍ଗୀରେ ୩୮୯୦ ହେକ୍ଟର, ଚିଲିକାରେ ୭୦୫୫ ହେକ୍ଟର, ବାଣପୁରରେ ୬୧୫୫ ହେକ୍ଟର, ଭୁବନେଶ୍ୱର ବ୍ଳକରେ ୬୦୩୧ ହେକ୍ଟର, ଜଟଣୀରେ ୪୦୧୨ ହେକ୍ଟର, ବାଲିଅନ୍ତାରେ ୫୩୨୦ ହେକ୍ଟର ଓ ବାଲିପାଟଣାରେ ୪୦୮୫ ହେକ୍ଟର ଜମିରେ ଚାଷ କାମ ଆରମ୍ଭ ହୋଇଛି । ଖୋର୍ଦ୍ଧା ଜିଲ୍ଲାରେ ସର୍ବାଧିକ ଧାନ ଚାଷ ଅଂଚଳ ଭାବେ ବାଲିପାଟଣା, ବାଲିଅନ୍ତା ଓ ଭୁବନେଶ୍ୱର ବ୍ଲକ ରହିଥିବା ବେଳେ ଏହି ବ୍ଲକରେ ବର୍ତମାନ ସର୍ବନିମ୍ନ ଧାନ ଚାଷ କାମ ଆରମ୍ଭ ହୋଇଛି ।

ଏନେଇ ଜିଲ୍ଲା କୃଷି ଅଧିକାରୀ ପ୍ରଫୁଲ୍ଲ କୁମାର ମହାରଣା କହିଛନ୍ତି ଯେ ବର୍ଷା ଭଲ ଭାବେ ପଡ଼ିଛି, ଯଦିଓ ପ୍ରଥମ ପର୍ଯ୍ୟାୟରେ ବର୍ଷାର ପରିମାଣ କମ ରହିଥିଲା । ସେହିଭଳି ଜିଲ୍ଲାରେ ଧାନଚାଷର ପ୍ରକାର ଭୁବନେଶ୍ୱର, ବାଲିଅନ୍ତା, ବାଲିପାଟଣା ଠାରୁ ଚିଲିକା, ବାଣପୁର ଏବଂ ବେଗୁନିଆ, ବୋଲଗଡ଼ ଭିନ୍ନ ଅଟେ । ଆମେ ଆଶା ରଖୁଛୁ ଯେ ଆସନ୍ତା କିଛି ଦିନ ମଧ୍ୟରେ ଜିଲ୍ଲାର ପ୍ରାୟ ସମସ୍ତ ଧାନ ଚାଷ ହେଉଥିବା ଜମିରେ ଧାନ ରୁଆ ଶେଷ ହୋଇଯିବ ।

ପାଣିପାଗ ବିଭାଗର ସୂଚନାନୁସାରେ, ଚଳିତ ଅଗଷ୍ଟ ମାସର ୧୦ ତାରିଖ ସୁଦ୍ଧା ଜିଲ୍ଲାରେ ହାରାହାରି ୧୨୧.୮୩ ମିମି ବର୍ଷା ହୋଇଛି । ଜୁଲାଇ ମାସରେ ସ୍ୱାଭାବିକ ଭାବେ ୩୦୪.୯୯ ମିମି ବର୍ଷା ହେବା କଥା କିନ୍ତୁ ଚଳିତ ବର୍ଷ ହାରାହାରି ୪୪୩.୬୯ ମିମି ବର୍ଷା ହୋଇଛି, ଅର୍ଥାତ୍ ସ୍ୱାଭାବିକ ଠାରୁ ପ୍ରାୟ ୧୪୦ ମିମି ଅଧିକ ବର୍ଷା ହୋଇଛି । ବୃଷ୍ଟିପାତ ତଥ୍ୟାନୁସାରେ ଯଦିଓ ବର୍ଷା ବର୍ତମାନ ସୁଦ୍ଧା ସଠିକ ରହିଛି କିନ୍ତୁ ଆଷାଢ଼ ମାସର ପ୍ରଥମ ୧୫ ଦିନ ବର୍ଷା ବିଳମ୍ବ ହୋଇଥିବାରୁ ଚାଷ କାମ ମଧ୍ୟ ବିଳମ୍ବରେ ଆରମ୍ଭ ହୋଇଥିଲା ।

ସମ୍ବନ୍ଧିତ ଖବର