ପଦ୍ମପୁରରେ ଅପରାହ୍ଣ ୩ଟା ସୁଦ୍ଧା ୬୫.୨୮ ପ୍ରତିଶତ ମତଦାନ, ୪ଟାରେ ସରିବ ଭୋଟ୍

ପଦ୍ମପୁର: ବରଗଡ଼ ଜିଲ୍ଲା ପଦ୍ମପୁରରେ ଚାଲିଛି ମତଦାନ। ଭୋଟଦାନ ଶେଷ ହେବାକୁ ଆଉ ଏକ ଘଣ୍ଟା ବାକି ଥିଲା ବେଳେ ଅପରାହ୍ଣ  ୩ଟା ସୁଦ୍ଧା ସେଠାରେ ୬୫.୨୮ ପ୍ରତିଶତ ମତଦାନ ହୋଇଛି ବୋଲି ନିର୍ବାଚନ କମିସନଙ୍କ ସୂତ୍ରରୁ ପ୍ରକାଶ । ସୂଚନା ଅନୂସାରେ ଅଧିକାଂଶ ସ୍ଥାନରେ ଶାନ୍ତି ଶୃଙ୍ଖଳାର ସହ ଚାଲିଛି ମତଦାନ ।  ଅଧିକରୁ ଅଧିକ ମତଦାନ କରିବାକୁ ଅପିଲ କରିଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ । ତେବେ ବିଜେଡି ପକ୍ଷରୁ ଅଭିଯୋଗ କରାଯାଇଛି କି କେତେକ ସ୍ଥାନରେ ବିଜେପି ପକ୍ଷରୁ ଭୋଟରଙ୍କୁ ପ୍ରଭାବିତ କରିବାକୁ ଏକ ନିର୍ଦ୍ଦିଷ୍ଟ ଗଣମାଧ୍ୟମର କର୍ମଚାରୀଙ୍କ ଦ୍ବାରା ଟଙ୍କା ବଣ୍ଟାଯାଉଛି। ଏନେଇ ବିଜେଡିର ଏକ ପ୍ରତିନିଧି ଦଳ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଫେରାଦ ହେବା ସହ କାର୍ଯ୍ୟାନୁଷ୍ଠାନ ଦାବି କରିଛି।

ଆଜି ସକାଳ ୭ଟାରୁ ପଦ୍ମପୁର ଉପନିର୍ବାଚନ ପାଇଁ ଭୋଟ୍‌ ଗ୍ରହଣ ଚାଲିଛି। ଅପରାହ୍‌ଣ ୪ଟାରେ ଶେଷ ହେବ। ସୁରକ୍ଷା ଦୃଷ୍ଟିରୁ ପୁଲିସ୍‌ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ନିର୍ବାଚନମଣ୍ତଳୀରେ ସମୁଦାୟ ୩୧୯ଟି ବୁଥ୍‌ରୁ ୪୬ଟି ମାଓ ଅଧ୍ୟୁଷିତ ଇଲାକାରେ ରହିଛି। ୧୫୨ଟି ସମ୍ବେଦନଶୀଳ ଓ କ୍ରିଟିକାଲ୍‌ ବୁଥ୍‌ ରହିଛି। ଏହି ବୁଥ୍‌ଗୁଡ଼ିକରେ ଶାନ୍ତି ଶୃଙ୍ଖଳାର ସହିତ ମତଦାନ ପାଇଁ ସିସିଟିଭି ଓ ୱେବ୍‌ କ୍ୟାମେରା ବ୍ୟବହାର ସହ ବୁଥ୍ ପିଛା ଜଣେ ମାଇକ୍ରୋ ଅବଜର୍ଭର ରହିଛନ୍ତି। ମୋଟ ୩୧୯ଟି ବୁଥ୍‌ରେ ୧୨୭୬ ଜଣ ପୋଲିଂ ଅଧିକାରୀ ୧୨୮ ଜଣ ରିଜର୍ଭ ପୋଲିଂ ଅଧିକାରୀ ରହିଛନ୍ତି।  ୩୮ ଜଣ ପୁଲିସ ଅଧିକାରୀ, ୩୪ ସେକ୍ସନ ସିଆର୍‌ପିଏଫ୍‌, ୩୧୯ ସୁରକ୍ଷା କର୍ମୀ, ୧୨୩ ଜଣ ହୋମଗାର୍ଡ ସୁରକ୍ଷା ଦାୟିତ୍ବରେ ରହିଛନ୍ତି। ନିର୍ବାଚନମଣ୍ଡଳୀର ପ୍ରତି ବ୍ଲକ୍‌ରେ ୨ଟି ଲେଖାଏଁ ମୋଟ୍‌ ୬ଟି ପିଙ୍କ୍‌ ବୁଥ୍‌ ଓ ୧୫ଟି ଆଦର୍ଶ ଭୋଟ୍‌ଗ୍ରହଣ କେନ୍ଦ୍ର କରାଯାଇଛି।

ମୈଦାନରେ ତିନି ପ୍ରମୁଖ ରାଜନୈତିକ ଦଳର ପ୍ରାର୍ଥୀଙ୍କ ସମେତ ୧୦ ଜଣଙ୍କ ପାଇଁ ପଦ୍ମପୁରବାସୀ ମତଦାନ କରୁଛନ୍ତି । ବିଭିନ୍ନ ମତଦାନ କେନ୍ଦ୍ର ଗୁଡିକରେ ଲାଗିଛି ଭିଡ । ସକାଳ ୭ଟାରୁ ୩୧୯ଟି ବୁଥରେ ମତଦାନ ଆରମ୍ଭ ହୋଇଯାଇଥିବା ବେଳେ ଅପରାହ୍ନ୍ଣ ୪ଟା ଯାଏଁ ଏହି ଭୋଟ ଗ୍ରହଣ ଚାଲିବ । ମତଦାନ କେନ୍ଦ୍ର ଗୁଡିକରେ ଭିଡ ବଢିବାରେ ଲାଗିଛି । ପୁଲିଂ ବୁଥ ଗୁଡ଼ିକରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି ।

ପଦ୍ମପୁରର ମୋଟ ୩୧୯ ବୁଥ ମଧ୍ୟରୁ ୧୨୦ଟି ବୁଥରେ ୱେବକାଷ୍ଟିଂ, ୬୬ଟି ବୁଥରେ ସିସିଟିଭି ବ୍ୟବସ୍ଥା କରାଯାଇଛି । ୧୫ଟି ମଡେଲ ବୁଥ ଏବଂ ୬ଟି ପିଙ୍କ୍ ବୁଥରେ ଭୋଟିଂ ବ୍ୟବସ୍ଥା କରାଯାଇଛି । ଏହି ପିଙ୍କ୍ ବୁଥରେ କେବଳ ମହିଳା ପୋଲିଂ କର୍ମଚାରୀ ରହିଛନ୍ତି । ଦୃଷ୍ଟି ବାଧିତଙ୍କ ପାଇଁ ସ୍ୱତନ୍ତ୍ର ବ୍ରେଲି ବାଲଟ୍ ବ୍ୟବସ୍ଥା କରାଯାଇଛି । ଦିବ୍ୟାଙ୍ଗ ମାନଙ୍କ ପାଇଁ ମଧ୍ୟ ସ୍ୱତନ୍ତ୍ର ବ୍ୟବସ୍ଥା ହୋଇଛି । ପ୍ରତ୍ୟେକ ବୁଥ୍ ପାଇଁ ୪ଜଣ ଲେଖାଏଁ ପୋଲିଂ ଅଧିକାରୀ ରହିଛନ୍ତି । ସୁରକ୍ଷା ଦୃଷ୍ଟିରୁ ପୁଲିସ ଫୋର୍ସ ସହ ୯ କମ୍ପାନୀ ସିଆରପିଏଫ ଫୋର୍ସ ମୃତୟନ ହୋଇଛନ୍ତି । ଉଜେତନାପୂର୍ଣ୍ଣ ଓ ସମ୍ବେଦନଶୀଳ ବୁଥ ଗୁଡ଼ିକ ଉପରେ ପୁଲିସ ଓ ପ୍ରଶାସନର ସ୍ୱତନ୍ତ୍ର ନଜର ରହିବ ।

ସମ୍ବନ୍ଧିତ ଖବର