ସମ୍ବଲପୁର: ହୀରାକୁଦ ଜଳଭଣ୍ଡାରକୁ ଜଳପ୍ରବେଶ ହାର ବଢ଼ିବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ଗୁରୁବାର ଆହୁରି ୪ଟି ଗେଟ୍ ଖୋଲାଯାଇଛି। ଆଜି ୨୦ଟି ଗେଟ୍ ଦେଇ ମହାନଦୀରେ ଜଳ ନିଷ୍କାସନ କରାଯାଉଛି। ଏଥିସହିତ ଆଜି ସନ୍ଧ୍ୟା ୬ଟାରେ ହୀରାକୁଦ ଜଳସ୍ତର ୬୨୮.୯୩ ଫୁଟରେ ପହଞ୍ଚିଛି। ଗତ ୨୪ ଘଣ୍ଟା ମଧ୍ୟରେ (ସକାଳ ୮ଟା ସୁଦ୍ଧା) ହୀରାକୁଦ ଉପର ମୁଣ୍ଡରେ ୫୮ ମିମି ବର୍ଷା ରେକର୍ଡ କରାଯାଇଛି। ଫଳରେ ସନ୍ଧ୍ୟାରେ ଜଳଭଣ୍ଡାରକୁ ହାରାହାରି ୨,୭୮,୯୨୬ କ୍ୟୁସେକ୍ ଜଳ ପ୍ରବେଶ କରୁଥିବାବେଳେ ସର୍ବମୋଟ ୩,୬୧,୫୧୭ କ୍ୟୁସେକ୍ ଜଳ ନିଷ୍କାସିତ ହେଉଥିଲା।
ଏହି ସମୟରେ ସ୍ଲୁଇସ୍ ଗେଟ୍ଗୁଡ଼ିକ ଦେଇ ୩,୨୭,୨୦୦ କ୍ୟୁସେକ୍ ଓ ପାୱାର ଚ୍ୟାନେଲ୍ ଦେଇ ୩୧,୮୭୪ କ୍ୟୁସେକ୍ ଜଳ ମହାନଦୀରେ ଛଡ଼ାଯାଉଛି। ଏପଟେ ହୀରାକୁଦ ଜଳଭଣ୍ଡାରର ତଳମୁଣ୍ଡ ମହାନଦୀର ଖଇରମାଳଠାରେ ୪,୯୬,୦୦୦ କ୍ୟୁସେକ୍, ବରମୂଳଠାରେ ୪,୭୨,୦୦୦ କ୍ୟୁସେକ୍ ଏବଂ ମୁଣ୍ଡଳିଠାରେ ୨,୦୯,୫୩୬ ଜଳ ପ୍ରବାହିତ ହେଉଛି। ଆସନ୍ତାକାଲି ସକାଳ ୬ଟା ପରେ ମୁଣ୍ଡଳିଠାରେ ପ୍ରାୟ ୬,୫୦,୦୦୦ କ୍ୟୁସେକ୍ ଜଳ ପ୍ରବାହିତ ହେବ ବୋଲି ଆକଳନ କରାଯାଇଛି। ଆସନ୍ତା ୨୮ ଆଡ଼କୁ ପ୍ରବଳ ବର୍ଷା ସମ୍ଭାବନା ଥିବାରୁ ଜଳଭଣ୍ଡାରକୁ ଏବେ ଖାଲି ରଖାଯାଉଛି।