ବୁର୍ଲା/ସମ୍ବଲପୁର: ନିଯୁକ୍ତି ଓ ବେତନ କ୍ଷେତ୍ରରେ ଆଇଆଇଏମ୍ ସମ୍ବଲପୁରର ଛାତ୍ରଛାତ୍ରୀମାନେ ପୁଣି ଏକ ନୂଆ ଉଚ୍ଚତା ଛୁଇଁଛନ୍ତି। ଗତ ୭ ବର୍ଷ ଭଳି ଏଥର ବି ଆଇଆଇଏମ୍-ଏସ୍ର ଏମ୍ଏ ବିଦ୍ୟାର୍ଥୀମାନେ ଶତ ପ୍ରତିଶତ ନିଯୁକ୍ତି ପାଇଛନ୍ତି। ହେଲେ କରୋନା ପରବର୍ତ୍ତୀ ଦୃଶ୍ୟପଟ୍ଟରେ ସେମାନଙ୍କ ବେତନରେ ଉଲ୍ଲେଖନୀୟ ବୃଦ୍ଧି ହୋଇଛି। ଚଳିତ ବର୍ଷ ଅବନୀ ମଲହୋତ୍ରା ନାମ୍ନୀ ଜଣେ ଛାତ୍ରୀ ସର୍ବାଧିକ ୬୪.୬୧ ଲକ୍ଷ ଟଙ୍କାର ବାର୍ଷିକ ପ୍ୟାକେଜ୍ ସହ ମାଇକ୍ରୋସଫ୍ଟରେ ଭାରତରେ ନିଯୁକ୍ତି ପାଇଛନ୍ତି। ସେ ଘରୋଇ କ୍ଷେତ୍ରରେ ନିଯୁକ୍ତ ହୋଇଥିବାବେଳେ ବିଦେଶୀ କ୍ଷେତ୍ରରେ ରମେୟା ଆର୍ ନାମକ ଆଉ ଜଣେ ଛାତ୍ରୀ ଦ୍ବିତୀୟ ସର୍ବାଧିକ ୬୪.୧୫ ଲକ୍ଷ ବାର୍ଷିକ ପ୍ୟାକେଜ୍ ସହ ନାଇଜେରିଆର ତୋଲାରାମ୍ ଗ୍ରୁପ୍ରେ ନିଯୁକ୍ତି ପାଇଛନ୍ତି।
ମଙ୍ଗଳବାର ନିର୍ଦ୍ଦେଶକ ପ୍ରଫେସର ମହାଦେବ ପ୍ରସାଦ ଜୟସ୍ବାଲ ଏକ ସାମ୍ବାଦିକ ସମ୍ମିଳନୀ ଆଇଆଇଏମ୍-ଏସ୍ର ୨୦୨୧-୨୩ ବ୍ୟାଚ୍ର ଛାତ୍ରଛାତ୍ରୀଙ୍କ ନିଯୁକ୍ତି ସଂପର୍କରେ ତଥ୍ୟ ରଖିଥିଲେ। ସେ କହିଲେ, ୨୦୨୩ରେ ଏମ୍ବିଏ ଉତ୍ତୀର୍ଣ୍ଣ ହେବାକୁ ଥିବା ସମସ୍ତ ୧୬୭ ଜଣ ଛାତ୍ରଛାତ୍ରୀ ବିଭିନ୍ନ ଜାତୀୟ ଓ ଅନ୍ତର୍ଜାତୀୟ କମ୍ପାନିରେ ନିଯୁକ୍ତି ପାଇଛନ୍ତି। ଏହି ୧୬୭ ଜଣଙ୍କ ମଧ୍ୟରେ ୮୭ ଜଣ ଛାତ୍ର ଓ ୮୦ ଛାତ୍ରୀ ଅଛନ୍ତି। ପୂର୍ବ ବ୍ୟାଚ୍ ଗୁଡ଼ିକ ତୁଳନାରେ ଏଥର ଛାତ୍ରୀଙ୍କ ପ୍ରତିଶତ ଅଧିକ (୪୮%) ଥିଲାବେଳେ ନିଯୁକ୍ତି ମଧ୍ୟ ଉତ୍ସାହଜନକ ବୋଲି ପ୍ରଫେସର ଜୟସ୍ୱାଲ କହିଥିଲେ।
ଚଳିତ ଶିକ୍ଷାବର୍ଷରେ ମାଇକ୍ରୋସଫ୍ଟ , ତୋଲାରାମ, ଆଦାନୀ, ବେଦାନ୍ତ, ମାଇକ୍ରନ, ଆଦିତ୍ୟ ବିର୍ଲା, ଜିନ୍ଦଲ ଗ୍ରୁପ୍, ଅମୁଲ, ଜିଏମ୍ଆର୍ ଗ୍ରୁପ୍, ଆମାଜନ୍, ମର୍ସିଡିଜ୍ ବେଞ୍ଜ, ଟାଟା ପାୱାର ଆଦି ୧୩୦ରୁ ଅଧିକ ଘରୋଇ ଓ ବିଦେଶୀ କମ୍ପାନି ଆଇଆଇଏମ୍ ସମ୍ବଲପୁରରୁ କ୍ୟାମ୍ପସ୍ ନିଯୁକ୍ତି ଜରିଆରେ ପ୍ରତିଭା ସାଉଁଟିଛନ୍ତି। ଅନ୍ୟ ଶିକ୍ଷା ବର୍ଷ ଅପେକ୍ଷା କମ୍ପାନି ସଂଖ୍ୟା ବି ୫୬% ବୃଦ୍ଧି ପାଇଛି। ଗତ ଶିକ୍ଷାବର୍ଷରେ ଛାତ୍ରଛାତ୍ରୀଙ୍କ ହାରାହାରି ଦରମା ବାର୍ଷିକ ୧୩.୨୬ ଲକ୍ଷ ଥିବାବେଳେ ଏଥର ତାହା ୨୬% ବୃଦ୍ଧି ପାଇ ୧୬.୬୪ ଲକ୍ଷ ଟଙ୍କାରେ ପହଞ୍ଚିଛି। ଗତ ବର୍ଷ ସର୍ବୋଚ୍ଚ ଦରମା ୨୬.୧୯ ଲକ୍ଷ ରୁ ୧୪୭ ପ୍ରତିଶତ ବୃଦ୍ଧି ପାଇ ୬୪.୬୧ ଲକ୍ଷ ଟଙ୍କା ହୋଇଛି। ଏହି ବ୍ୟାଚ୍ରେ ଛାତ୍ରମାନଙ୍କ ଅପେକ୍ଷା ଛାତ୍ରୀ ମାନେ ଉତ୍ତମ ପ୍ରଦର୍ଶନ କରିଛନ୍ତି। ସେମାନଙ୍କ ହାରାହାରି ବାର୍ଷିକ ଦରମା ୧୮.୨୫ ଲକ୍ଷ ଟଙ୍କା ରହିଛି।
ଏହା ବ୍ୟତୀତ ଏଥର କିଛି ଅଭିଜ୍ଞତା ନଥିବା ଛାତ୍ରଛାତ୍ରୀଙ୍କୁ ବି ଭଲ ସ୍ଥାନରେ ନିଯୁକ୍ତି ମିଳିଛି। ଆଗାମୀ ଦିନରେ ଆମେ ଅନ୍ତର୍ଜାତୀୟସ୍ତରର ବିଶ୍ଵବିଦ୍ୟାଳୟ ଗୁଡ଼ିକ ସହ ଏମ୍ଓୟୁ ସ୍ବାକ୍ଷର କରି ଛାତ୍ରଛାତ୍ରୀ ଆଦାନ ପ୍ରଦାନ କରିବାର ଯୋଜନା କରୁଛୁ, ଯାହାଦ୍ବାରା ଜଣେ ଛାତ୍ର ଗୋଟିଏ ସମୟରେ ଦୁଇଟି ଡିଗ୍ରି ହାସଲର ସୁଯୋଗ ପାଇପାରିବ ବୋଲି ପ୍ର. ଜୟସ୍ବାଲ କହିଥିଲେ।
ଆଇଆଇଏମ୍ ସମ୍ବଲପୁର ବିଦ୍ୟାର୍ଥୀଙ୍କ ଦରମା ପରିସଂଖ୍ୟାନ
ନିଯୁକ୍ତ ବର୍ଷ ହାରାହାରି ପ୍ୟାକେଜ୍ ସର୍ବୋଚ୍ଚ ପ୍ୟାକେଜ୍
୨୦୨୩ ୧୬.୬୪ ଲକ୍ଷ ୬୪.୬୧ ଲକ୍ଷ
୨୦୨୨ ୧୩.୨୬ ଲକ୍ଷ ୨୬.୧୯ ଲକ୍ଷ
୨୦୨୧ ୧୧.୨୧ ଲକ୍ଷ ୨୧ ଲକ୍ଷ
୨୦୨୦ ୧୧.୬୨ ଲକ୍ଷ ୧୮.୯୨ ଲକ୍ଷ
୨୦୧୯ ୧୧.୩୩ ଲକ୍ଷ ୫୮ ଲକ୍ଷ
୨୦୧୮ ୧୦.୫୫ ଲକ୍ଷ ୬୦.୭୪ ଲକ୍ଷ
୨୦୧୭ ୯.୧୫ ଲକ୍ଷ ୧୩.୮୦ ଲକ୍ଷ