ଗଜପତି ଜିଲ୍ଲାରେ ହାରାହାରି ୬୫ ପ୍ରତିଶତ ଆଣ୍ଟିବଡ଼ି ସୃଷ୍ଟି ହୋଇଛି: ଡ. ସଂଘମିତ୍ରା ପତି

ଅକ୍ଟୋବର ୫ରୁ ମାଲକାନଗିରି ଜିଲ୍ଲାରେ ସେରୋ ସର୍ଭେ

ଭୁବନେଶ୍ୱର: କରୋନା ଭାଇରସ ମହାମାରୀ ସହିତ ଓଡ଼ିଶା ସଫଳତାର ସହିତ ମୁକାବିଲା କରୁଛି । ଗଜପତି ଜିଲ୍ଲାରେ ସର୍ବାଧିକ ହାରାହାରି ୬୫ ପ୍ରତିଶତ ଆଣ୍ଟିବଡ଼ି ସୃଷ୍ଟି ହୋଇଛି । ଭୁବନେଶ୍ୱରରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନରେ ଆରଏମ୍‌ଆରସି ନିର୍ଦ୍ଦେଶିକା ଡ.ସଂଘମିତ୍ରା ପତି ଆଜି ଏହା କହିଛନ୍ତି । ଗଜପତି ଜିଲ୍ଲାରେ ସେରୋ ସର୍ଭେ ନେଇ ସେ କହିଛନ୍ତି ଯେ, ଜିଲ୍ଲାରେ ସର୍ବନିମ୍ନ ୪୪  ଓ ସର୍ବାଧିକ ୯୨ ପ୍ରତିଶତ ଯାଏଁ ଆଣ୍ଟିବଡ଼ି ସୃଷ୍ଟି ହୋଇଛି । ସେ ମଧ୍ୟରୁ ସ୍ୱାସ୍ଥ୍ୟକର୍ମୀଙ୍କ ଠାରେ ୫୦ ପ୍ରତିଶତ ଓ ପୁଲିସ କର୍ମୀଙ୍କ ଠାରେ ୫୪ ପ୍ରତିଶତ ଆଣ୍ଟିବଡ଼ି ସୃଷ୍ଟି ହୋଇଥିବା ସୂଚନା ରହିଛି । ଆସନ୍ତା ଅକ୍ଟୋବର ୫ ତାରିଖରୁ ମାଲକାନଗିରି ଜିଲ୍ଲାରେ ସେରୋ ସର୍ଭେ ହେବ ବୋଲି ଆରଏମ୍‌ଆରସି ନିର୍ଦ୍ଦେଶିକା କହିଛନ୍ତି।

ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ୱେବସାଇଟରୁ ମିଳିଥିବା ତଥ୍ୟ ଅନୁସାରେ ରାଜ୍ୟରେ ଏ ପର୍ଯ୍ୟନ୍ତ ୨ ଲକ୍ଷ ୨୨ ହଜାର ୭୩୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥିରୁ ୧ ଲକ୍ଷ ୮୫ ହଜାର ୭୦୦ ଜଣ ସୁସ୍ଥ ହୋଇଥିବା ବେଳେ ୩୬ ହଜାର ୧୨୨ ଜଣ ସକ୍ରିୟ ଆକ୍ରାନ୍ତ ଅଛନ୍ତି । କିନ୍ତୁ ଦୁଃଖର ବିଷୟ ଯେ, ୮୫୯ ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି ।

ଗଜପତି ଜିଲ୍ଲାରେ ଏପର୍ଯ୍ୟନ୍ତ ୩ ହଜାର ୫୮୪ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ଏଥିରୁ ୩ ହଜାର ୩୯୮ ଜଣ ସୁସ୍ଥ ହୋଇଛନ୍ତି । କିନ୍ତୁ ୨୩ ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ବେଳେ ଏବେ ୧୬୨ ଜଣ ଚିକିତ୍ସାଧୀନ ଅଛନ୍ତି । ମାଲକାନଗିରି ଜିଲ୍ଲାରେ ୩ ହଜାର ୬୮୮ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ୩ ହଜାର ୨୨୭ ଜଣ ସୁସ୍ଥ ହୋଇଛନ୍ତି । କିନ୍ତୁ ଏବେ ୪୪୭ ଜଣ ସକ୍ରିୟ ଆକ୍ରାନ୍ତ ଚିକିତ୍ସାଧୀନ ଥିବା ବେଳେ ୧୧ ଜଣଙ୍କର ମୃତ୍ୟୁ ହୋଇଛି ।

ସମ୍ବନ୍ଧିତ ଖବର