ପଟ୍ଟାଙ୍ଗି: କୋଟିଆବାସୀ ଓଡ଼ିଶାକୁ ବହୁତ ଭଲ ପାଆନ୍ତି। ଏହାର ସଦ୍ୟତମ ଉଦାହରଣ ହେଉଛି ପଞ୍ଚାୟତ ନିର୍ବାଚନ। ଓଡ଼ିଶା ପଞ୍ଚାୟତ ନିର୍ବାଚନରେ କୋଟିଆବାସୀ ଉତ୍ସାହର ସହିତ ସାମିଲ ହୋଇଛନ୍ତି। ଫଳରେ ଆଜି ଏଠାରେ ୬୫ ପ୍ରତିଶତ ମତଦାନ ‌ହୋଇଛି। ଓଡ଼ିଶା ପଞ୍ଚାୟତ ନିର୍ବାଚନର ୨ୟ ପର୍ଯ୍ୟାୟରେ କୋରାପୁଟ ଜିଲ୍ଲା ପଟ୍ଟାଙ୍ଗି ବ୍ଲକ ସମେତ କୋଟିଆରେ ମଧ୍ୟ ଆଜି ସକାଳ ୭ଟାରୁ ଦିନ ୧ଟା ଯାଏଁ ମତଦାନ ହୋଇଥିଲା। କୋଟିଆବାସୀ ବଡ଼ ଉତ୍ସାହର ସହିତ ମତଦାନ କେନ୍ଦ୍ରକୁ ଆସି ମତଦାନ କରିଥିଲେ।

Advertisment

କୋଟିଆରେ ଆଜି ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଥିବାରୁ ୬୫ ପ୍ରତିଶତ ମତଦାନ ହୋଇପାରିଛି। ଏଠାରେ ଶାନ୍ତିଶୃଙ୍ଖଳାର ସହିତ ମତଦାନ ଶେଷ ହୋଇଛି।  ଅତିିରିକ୍ତ ଏସପି ଉତ୍କଳ ଦାସ ଏହି ସୂଚନା ଦେଇଛନ୍ତି। ସେହିପରି ପଟ୍ଟାଙ୍ଗୀ ବିଧାୟକ ପ୍ରୀତମ ପାଢ଼ୀ କହିଛନ୍ତି, ଆନ୍ଧ୍ରର ସବୁ ପ୍ରକାରର ଷଡ଼ଯନ୍ତ୍ର ଫେଲ୍‌ ହୋଇଛି। ସରକାର ଓ ସ୍ଥାନୀୟ ପ୍ରଶାସନ ପଞ୍ଚାୟତ ନିର୍ବାଚନକୁ ସଫଳ କରାଇପାରିଛନ୍ତି। ଲୋକେ ମତଦାନ କେନ୍ଦ୍ରକୁ ଆସି ନିର୍ଭୟ ଭାବେ ଭୋଟ୍‌ ଦେଇଛନ୍ତି।

ସୂଚନାଯୋଗ୍ୟ, କୋଟିଆରେ ଆଜି ୧୩ଟି ବୁଥରେ ମତଦାନ ହୋଇଥିଲା। ସୁରକ୍ଷା ପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇଥିଲା। ସବୁ ସ୍ଥାନରେ ପୁଲିସ ମୁତୟନ କରାଯାଇଥିଲା ୪ଟି ସମ୍ବେଦନଶୀଳ ବୁଥରେ ଇଣ୍ଡିଆନ୍‌ ରିଜର୍ଭ ବାଟାଲିଅନ୍‌ (ଆଇଆରବି)ର ୪ ପ୍ଲାଟୁନ ପୁଲିସ ମୁତୟନ ଥିଲେ। ସବୁଠାରୁ ବଡ଼କଥା ହେଲା କୋଟିଆରେ ଗତ କିଛି ମାସ ପୂର୍ବରୁ ଆନ୍ଧ୍ରପ‌୍ରଦେଶ ସରକାର ପଞ୍ଚାୟତ ନିର୍ବାଚନ କରିଥିଲେ। ସେହି ସମୟରେ ୧୭ ପ୍ରତିଶତ ମତଦାନ ହୋଇଥିଲା। ଏଥିରୁ ସ୍ବଷ୍ଟ ହେଉଛି ଯେ, କୋଟିଆବାସୀଙ୍କ ମନରେ ଓଡ଼ିଶାପ୍ରୀତି ରହିଛି।