୩ ଜିଲ୍ଲାରେ ୬୫% ଲୋକଙ୍କ ଶରୀରରେ ଆଣ୍ଟିବଡି

ସ୍ବାସ୍ଥ୍ୟକର୍ମୀଙ୍କଠାରେ ସର୍ବାଧିକ ୮୫%
ଗଞ୍ଜାମ ୭୦.୯%, ରାୟଗଡ଼ା ୬୩%, କୋରାପୁଟରେ ୬୧%
ଆଉ ୧୮୬୪ ପଜିଟିଭ୍, ୬୮ ମୃତ

ଭୁବନେଶ୍ବର : କରୋନା(କୋଭିଡ-୧୯) ବିରୋଧରେ ଦେଶର ୬୭ ପ୍ରତିଶତ ଲୋକଙ୍କ ଆଣ୍ଟିବଡି ସୃଷ୍ଟି ହୋଇଥିବା ନିକଟରେ ଜାତୀୟସ୍ତରରେ ସେରୋ ସର୍ଭେରେ ସ୍ପଷ୍ଟ ହୋଇଥିଲା। ଜାତୀୟ ସେରୋ ସେ‌ର୍ଭେରେ ଓଡ଼ିଶାର ୩ଟି ଜିଲ୍ଲା ଅଂଶଗ୍ରହଣ କରିଥିଲା। ଏହି ୩ଟି ଜିଲ୍ଲାରେ ହାରାହାରି ୬୫ ପ୍ରତିଶତ ଲୋକଙ୍କଠାରେ ଆଣ୍ଟିବଡି ଦେଖିବାକୁ ମିଳିଛି। ସ୍ବାସ୍ଥ୍ୟକର୍ମୀଙ୍କ ନିକଟରେ ସର୍ବାଧିକ ୮୫ ପ୍ରତିଶତ ଆଣ୍ଟିବଡି ସୃଷ୍ଟି ହୋଇଥିବା ଜଣାପଡ଼ିଛି।

ଗତ ମାସ ୧୬-୨୦ ତାରିଖରେ ଗଞାୟଗଡ଼ା ଓ କୋରାପୁଟରେ ଚତୁର୍ଥ ରାଉଣ୍ଡ ସେରୋ ସର୍ଭେ ହୋଇଥିଲା। ଏଥିରେ ଗୋଷ୍ଠୀସ୍ତରରେ ସମୁଦାୟ ୧୨୩୦ ନମୁନା ସଂଗ୍ରହ ହୋଇଥିବା ବେଳେ ସ୍ବାସ୍ଥ୍ୟକର୍ମୀଙ୍କଠାରୁ ୩୧୧ ନମୁନା ସଂଗ୍ରହ କରାଯାଇଥିଲା। ଗଞ୍ଜାମ ଜିଲ୍ଲାରେ ୭୦.୯, ରାୟଗଡ଼ା ୬୩ ଓ କୋରାପୁଟରେ ୬୧ ପ୍ରତିଶତ ଲୋକଙ୍କଠାରେ ଆଣ୍ଟିବଡି ସୃଷ୍ଟି ହୋଇଥିବା ନଜରକୁ ଆସିଛି। ୬୦ବର୍ଷରୁ ଅଧିକ ଲୋକଙ୍କଠାରେ ୮୦ ପ୍ରତିଶତରୁ ଅଧିକ ଆଣ୍ଟିବଡି ସୃଷ୍ଟି ହୋଇଥିବା ବେଳେ ୬-୯ ବର୍ଷର ଶିଶୁଙ୍କଠାରେ ୫୦ପ୍ରତିଶତରୁ ଅଧିକ ଆଣ୍ଟିବଡି ସୃଷ୍ଟି ହୋଇଛି। ୬୦ ବର୍ଷରୁ ଅଧିକ ବର୍ଗର ଲୋକଙ୍କୁ ପ୍ରଥମେ ଟିକାକରଣ କରାଯାଇଥିଲା। ୧୦-୧୭ ବର୍ଷର କିଶୋରଙ୍କ ୫୫ ପ୍ରତିଶତ, ୧୮-୪୪ ବର୍ଗର ୬୦ ପ୍ରତିଶତରୁ ଅଧିକ ଓ ୪୫ ବର୍ଷରୁ ଅଧିକ ଲୋକଙ୍କ ଶରୀରରେ ପ୍ରାୟ ୮୦ ପ୍ରତିଶତ ଆଣ୍ଟିବଡି ସୃଷ୍ଟି ହୋଇଥିବା ସେରୋ ସର୍ଭେରୁ ସ୍ପଷ୍ଟ ହୋଇଛି। ସେରୋ ସର୍ଭେ ପାଇଁ ରୢାଣ୍ଡମ୍ ନମୁନା ସଂଗ୍ରହ ହୋଇଥିବାରୁ ଏଥିରେ ଭୂତାଣୁ ଦ୍ବାରା ସଂକ୍ରମିତ ଓ ଟିକା ନେବା ଦ୍ବାରା କେତେ ଲେଖାଏଁ ଆଣ୍ଟିବଡି ସୃଷ୍ଟି ହୋଇଛି, ସେ ସଂପର୍କରେ କିଛି ସ୍ପଷ୍ଟ ହୋଇପାରିନାହିଁ।

ବରିଷ୍ଠ ଚିକିତ୍ସିକ ଡା. ନିରୋଜ ମିଶ୍ର କହିଛନ୍ତ ଯେ ପ୍ରଥମ କରୋନା ଭୂତାଣୁ ଯୋଗୁଁ ୬୦-୭୦ ପ୍ରତିଶତ ଆଣ୍ଟିବଡି ପାଇଁ ହର୍ଡ ଇମ୍ୟୁନିଟି ବା ଗୋଷ୍ଠୀ ପ୍ରତିରୋଧକ ଶକ୍ତି ସୃଷ୍ଟି ହେଉଥିବା କୁହାଯାଉଥିଲା। ମାତ୍ର ଡେଲ୍‌ଟା ଭାରିଏଣ୍ଟ କ୍ଷେତ୍ରରେ ୮୦-୮୭ପ୍ରତିଶତ ପର୍ଯ୍ୟନ୍ତ ଆଣ୍ଟିବଡି ସୃଷ୍ଟି ହେବାର ଆବଶ୍ୟକତା ରହିଥିବା ବିଶେଷଜ୍ଞମାନେ ମତ ରଖୁଛନ୍ତି। ଯେହେତୁ ଓଡ଼ିଶା ସମେତ ଦେଶରେ ଡେଲ୍‌ଟା ଭାରିଏଣ୍ଟ ଦ୍ବାରା ୯୦ ପ୍ରତିଶତରୁ ଅଧିକ ସଂକ୍ରମଣ ହୋଇଥିବା ଜିନ୍ ଅନୁଶୀଳନରୁ ସଷ୍ଟ ହୋଇଛି, ତେଣୁ ରାଜ୍ୟରେ ୮୦ ପ୍ରତିଶତରୁ ଅଧିକ ଆଣ୍ଟିବଡି ସୃଷ୍ଟି ହେବା ଲାଗି ଆହୁରି କିଛି ମାସ ସମୟ ଲାଗିପାରେ। ଏହା ସହିତ ଟିକାକରଣକୁ ତ୍ବରାନ୍ବିତ କରିବାକୁ ହେବ। ୟୁକେରେ ୯୩ ପ୍ରତିଶତ ଆଣ୍ଟିବଡି ସ୍ତର ରହିବା ସତ୍ତ୍ବେ ସେଠାରେ ସଂକ୍ରମଣ ବଢ଼ୁଛି। ମାତ୍ର କମ୍ ସଂଖ୍ୟାରେ ଲୋକ ଗୁରୁତର ହେଉଛନ୍ତି। ତେଣୁ ଲୋକମାନଙ୍କୁ ପୂର୍ବଭଳି କୋଭିଡ ନିୟମାବଳୀକୁ ମାନିବାକୁ ହେବ ବୋଲି ଡା. ମିଶ୍ର କହିଛନ୍ତି।

ଅନ୍ୟପକ୍ଷରେ ରାଜ୍ୟରେ ଦୈନିକ କରୋନା ସଂକ୍ରମଣ ହ୍ରାସ ଧିମେଇ ଯାଇଛି। ଗତ ୨୪ ଘଣ୍ଟାରେ ରାଜ୍ୟରେ ୧୮୬୪ କୋଭିଡ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ରାଜ୍ୟର ସଂକ୍ରମଣ ହାର ରହିଛି ୨.୫ ପ୍ରତିଶତ। ମାତ୍ର ଖୁସିର କଥା, ରାଜ୍ୟର କୌଣସି ଜିଲ୍ଲାରେ ସଂକ୍ରମଣ ହାର ୫ପ୍ରତିଶତରୁ ଅଧିକ ନାହିଁ। କେନ୍ଦ୍ରାପଡ଼ାରେ ସର୍ବାଧିକ ୪.୯ ପ୍ରତିଶତ ଥିବା ବେଳେ କଟକରେ ୪.୮ ଓ ଖୋର୍ଧାରେ ୪.୪ ପ୍ରତିଶତ ଦେଖିବାକୁ ମିଳିଛି। ତେଣୁ ଉପକୂଳ ଓଡ଼ିଶାରେ ଏବେ ବି ସଂକ୍ରମଣ ସଂପୂର୍ଣ୍ଣ ନିୟନ୍ତ୍ରଣକୁ ଆସି ପାରିନାହିଁ।

ରାଜ୍ୟ ସ୍ବାସ୍ଥ୍ୟ ବିଭାଗର ଜଣେ ବରିଷ୍ଠ ଅଧିକାରୀଙ୍କ ମତରେ, ରାଜ୍ୟରେ ସଂକ୍ରମଣ ହାର ଏବେ ୨.୪ ପ୍ରତିଶତରେ ଚାଲୁଛି। ତଥାପି ରାଜ୍ୟର ୨/୩ଟି ଜିଲ୍ଲାରେ ସଂକ୍ରମଣ ହାର ସହିତ ସଂକ୍ରମିତ ସଂଖ୍ୟା ଶହେ ଉପରେ ରହୁଛି। ଏଥିପାଇଁ ସଜାଗ ରହିବାକୁ ହେବ। କଟକ ଓ ଭୁବନେଶ୍ବରରେ କେମିତି ସଂକ୍ରମଣ କମିବ, ସେ ଦିଗରେ ସ୍ବାସ୍ଥ୍ୟ ବିଭାଗ କାର୍ଯ୍ୟ କରୁଛି। ସେରୋ ସର୍ଭେରେ ଜାତୀୟ ହାର ତୁଳନାରେ ରାଜ୍ୟର ସେରୋ ସର୍ଭେ ରିପୋର୍ଟ ଭଲ ରହିଛି। ବୟସ୍କ ଲୋକଙ୍କଠାରେ ଅଧିକ ଆଣ୍ଟିବଡି ସୃଷ୍ଟି ହୋଇଛି। ତେଣୁ ଭୂତାଣରୁ ଦୁଇଟି ଲହରରେ ସଂକ୍ରମଣ ଓ ଟିକାର ପ୍ରଭାବ ଯୋଗୁଁ ଆଣ୍ଟିବଡି ବିକଶିତ ହୋଇଛି ବୋଲି ଅଧିକାରୀ ଜଣକ ସୂଚନା ଦେଇଛନ୍ତି।

ଗତ ୨୪ ଘଣ୍ଟାାରେ ଖୋର୍ଧାରେ ସର୍ବାଧିକ ୪୯୬ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାବାଦ୍‌ କଟକ ୨୨୧, ବାଲେଶ୍ବର ୧୧୪, ଯାଜପୁର ୧୦୭, ଜଗତସିଂହପୁର ୮୯, ଢେଙ୍କାନାଳ ୮୪, ଅନୁଗୁଳ ୬୯, ଭଦ୍ରକ ୬୫, ପୁରୀ ୫୯, ସୁନ୍ଦରଗଡ଼ ୫୬ ଓ ଷ୍ଟେଟପୁଲ୍‌ରୁ ୧୦୦ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାସହ ରାଜ୍ୟରେ ଏବେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୯ଲକ୍ଷ ୬୫ ହଜାର ୭୧୫ରେ ପହଞ୍ଚିଛି। ରାଜ୍ୟରେ ଆଉ ୬୮ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଖୋର୍ଧା ଜିଲ୍ଲାରେ ସର୍ବାଧିକ ୩୦ଜଣ ପ୍ରାଣ ହରାଇଛନ୍ତି। ଏହାବ୍ୟତୀତ ପୁରୀ ୧୧, ଅନୁଗୁଳ ୮, ମୟୂରଭଞ୍ଜ ୭, କେନ୍ଦୁଝର ୬, ସୁନ୍ଦରଗଡ଼, ନୂଆପଡ଼ା, ମାଲକାନଗିରି, କନ୍ଧମାଳ, ଜଗତସିଂହପୁର, ଗଞ୍ଜାମରେ ଜଣେ ଲେଖାଏଁ ଆକ୍ରାନ୍ତ ପ୍ରାଣ ହରାଇଛନ୍ତି। ମୋଟ ମୃତ୍ୟୁ ସଂଖ୍ୟା ୫୪୪୫ରେ ପହଞ୍ଚିଛି।

ରାଜ୍ୟରେ ଆଉ ୨୦୪୪ଜଣ କରୋନାରୁ ସୁସ୍ଥ ହୋଇଛନ୍ତି। ସମୁଦାୟ ସୁସ୍ଥ ରୋଗୀଙ୍କ ସଂଖ୍ୟା ୯ଲକ୍ଷ ୪୧ହଜାର ୨୦୪କୁ ବୃଦ୍ଧି ପାଇଛି। ରାଜ୍ୟରେ ଏବେ ୧୯,୦୧୩ ଚିକିତ୍ସାଧୀନ ରୋଗୀ ରହିଛନ୍ତି।

ସମ୍ବନ୍ଧିତ ଖବର