୬୫% ଅଙ୍ଗନବାଡ଼ିରେ ପାଇଖାନା, ୪୦%ରେ ପିଇବା ପାଣି ନାହିଁ

ଭୁବନେଶ୍ୱର : ପାଞ୍ଚ ବର୍ଷ ପର୍ଯ୍ୟନ୍ତ ଶିଶୁଙ୍କ ପୁଷ୍ଟିସାଧନ ସମେତ ସେମାନଙ୍କ ସ୍ୱାସ୍ଥ୍ୟର ଯତ୍ନ ଏବଂ ପ୍ରାକ୍‌ ବିଦ୍ୟାଳୟ ଶିକ୍ଷା ପ୍ରଦାନ ଲକ୍ଷ୍ୟରେ ପରିଚାଳିତ ଅଙ୍ଗନବାଡ଼ିଗୁଡ଼ିକର ଭୂମିକା ଗୁରୁତ୍ୱପୂର୍ଣ୍ଣ। ମାତ୍ର ବିଡ଼ମ୍ବନା ହେଲା-ଅଧିକଂଶ ଅଙ୍ଗନବାଡ଼ିର ନିଜସ୍ୱ ଘର, ଶିଶୁଙ୍କ ପାଇଁ ବିଶୁଦ୍ଧ ପିଇବା ପାଣି ଓ ପାଇଖାନା ନାହିଁ। ଏଭଳି ସର୍ବନିମ୍ନ ଆବଶ୍ୟକତାକୁ ତୁରନ୍ତ ପୂରଣ କରିବା ଲାଗି ହାଇକୋର୍ଟ ଏକାଧିକବାର ତାଗିଦ୍‌ କରିଥିଲେ ମଧ୍ୟ ବାସ୍ତବ ‌େକ୍ଷତ୍ରରେ ସମସ୍ୟା ଦୂର ହେଉ ନାହିଁ। ବିଧାନସଭାର ସଦ୍ୟ ସମାପ୍ତ ଶୀତ ଅଧିବେଶନରେ ବିଧାୟକ ସୌମ୍ୟ ରଂଜନ ପଟ୍ଟନାୟକଙ୍କ ପ୍ରଶ୍ନର ଉତ୍ତରରେ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଟୁକୁନି ସାହୁ ପରୋକ୍ଷରେ ଏହା ସ୍ୱୀକାର କରିଛନ୍ତି।

ମନ୍ତ୍ରୀଙ୍କ ଉତ୍ତର ଅନୁଯାୟୀ ରାଜ୍ୟରେ ମୋଟ ୭୨,୫୮୭ ମଞ୍ଜୁରୀପ୍ରାପ୍ତ ଅଙ୍ଗନବାଡ଼ି ଓ ମିନି ଅଙ୍ଗନବାଡ଼ି କେନ୍ଦ୍ର ମଧ୍ୟରୁ ୨୬,୩୩୦ ଅନୁଷ୍ଠାନର ନିଜସ୍ୱ କୋଠା ନାହିଁ। ପାଇଖାନା ଓ ପିଇବା ପାଣି ବ୍ୟବସ୍ଥା ନଥିବା ଅଙ୍ଗନବାଡ଼ି ସଂଖ୍ୟା ଯଥାକ୍ରମେ ୪୭,୦୯୦ ଓ ୨୯,୦୧୮। ମୁଖ୍ୟମନ୍ତ୍ରୀ ନିର୍ବାଚିତ ହୋଇଥିବା ଗଞ୍ଜାମ ଜିଲ୍ଲାରେ ୫୧୪୧ ଅଙ୍ଗନବାଡ଼ି ମଧ୍ୟରୁ ୨୨୨୪ଟିର ନିଜସ୍ୱ କୋଠା, ୨୭୦୦ରେ ପାଇଖାନା ଓ ୨୩୧୫ରେ ପିଇବା ପାଣି ବ୍ୟବସ୍ଥା ନାହିଁ। ବାଲେଶ୍ୱର ଜିଲ୍ଲାର ୪୧୬୭ ଅଙ୍ଗନବାଡ଼ି ମଧ୍ୟରୁ ୨୩୯୨ର ନିଜସ୍ୱ କୋଠା, ୩୪୧୩ରେ ପାଇଖାନା ଓ ୨୬୪୨ରେ ପିଇବା ପାଣି ସୁବିଧା ନାହିଁ। ମୟୂରଭଞ୍ଜ ଜିଲ୍ଲାର ୪୮୮୦ ଅଙ୍ଗନବାଡ଼ି ମଧ୍ୟରୁ ୨୪୫୦ରେ ପାଇଖାନା୧୦୬୫ରେ ପିଇବା ପାଣି ନାହିଁ। ନଗଡ଼ା ଶିଶୁ ମଡ଼କର ଅପଯଶ ବହନ କରିଥିବା ଶିଳ୍ପ ଓ ଖଣି ସମୃଦ୍ଧ ଯାଜପୁର ଜିଲ୍ଲାରେ ୨୮୦୬ ଅଙ୍ଗନବାଡ଼ି ମଧ୍ୟରୁ ୧୫୨୪ର ନିଜସ୍ୱ କୋଠା କିମ୍ବା ପିଇବା ପାଣି ସୁବିଧା ନଥିବା ବେଳେ ୧୭୦୬ଟିରେ ପାଇଖାନା ନାହିଁ।

ଅନୁଗୁଳ, କେନ୍ଦୁଝର, ସୁନ୍ଦରଗଡ଼ ଭଳି ଜିଲ୍ଲାରେ ଖଣିଜ ଫାଉଣ୍ଡେସନ (ଡିଏମ୍‌ଏଫ୍‌) ପାଣ୍ଠିକୁ ବିପୁଳ ଅର୍ଥ ଆସୁଛି, ଅଥଚ ଶିଶୁଙ୍କ ଯତ୍ନ ଓ ବିକାଶ କ୍ଷେତ୍ରରେ ସେଥିରୁ ବ୍ୟୟ ପରିମାଣ ଅତ୍ୟନ୍ତ ନଗଣ୍ୟ। କେନ୍ଦୁଝର ଜିଲ୍ଲାର ୩୨୫୭ ଅଙ୍ଗନବାଡ଼ି ମଧ୍ୟରୁ ୨୦୩୬ରେ ପାଇଖାନା, ୯୧୪ ଅନୁଷ୍ଠାନରେ ପିଇବା ପାଣି ସୁବିଧା ନାହିଁ। ସୁନ୍ଦରଗଡ଼ ଜିଲ୍ଲାରେ ୩୮୦୯ ଅଙ୍ଗନବାଡ଼ି ମଧ୍ୟରୁ ୧୧୨୯ରେ ନିଜସ୍ୱ କୋଠା, ୨୧୮୩ରେ ପାଇଖାନା ଓ ୧୧୯୨ରେ ପିଇବା ପାଣି ସୁବିଧା ନଥିବା ଜଣାପଡ଼ିଛି। ଅନୁଗୁଳ ଜିଲ୍ଲାରେ ୧୬୫୪ ଅଙ୍ଗନବାଡ଼ି ମଧ୍ୟରୁ ୧୧୭୯ରେ ପାଇଖାନା ଓ ୫୮୯ରେ ପିଇବା ପାଣି ବ୍ୟବସ୍ଥା ନାହିଁ। କେନ୍ଦ୍ରାପଡ଼ା ଜିଲ୍ଲାରେ କାର୍ଯ୍ୟକ୍ଷମ ଅଙ୍ଗନବାଡ଼ି ସଂଖ୍ୟା ୨୧୪୭, ସେଥିରୁ ୧୨୭୫ର ନିଜସ୍ୱ କୋଠା ନଥିବା ବେଳେ ୧୫୫୯ରେ ପାଇଖାନା ଓ ୧୩୦୧ରେ ପିଇବା ପାଣି ସୁବିଧା ନାହିଁ। କଳାହାଣ୍ଡି ଜିଲ୍ଲାର ୨୨୫୮ ଅଙ୍ଗନବାଡ଼ି ମଧ୍ୟରୁ ୧୮୬୭ରେ, କନ୍ଧମାଳର ୨୧୦୨ ଅଙ୍ଗନବାଡ଼ିରୁ ପାଖାପାଖି ୧୬୦୦ରେ ପାଇଖାନା ନାହିଁ। ପୁରୀ ଜିଲ୍ଲାରେ ୨୫୯୯ ଅଙ୍ଗନବାଡ଼ି ମଧ୍ୟରୁ ମାତ୍ର ୯୮୭ର ନିଜସ୍ୱ କୋଠା ଥିବାବେଳେ ୧୭୨୬ରେ ପାଇଖାନା ନାହିଁ ତ ପୁଣି ୧୬୧୨ରେ ପାନୀୟ ଜଳ ବ୍ୟବସ୍ଥା ନାହିଁ। ସୁବର୍ଣ୍ଣପୁର ଜିଲ୍ଲାର ୧୫୫୬ ଅଙ୍ଗନବାଡ଼ି ମଧ୍ୟରୁ ୧୨୧୪ରେ ପାଇଖାନା, ୧୦୦୧ରେ ପିଇବା ପାଣି ସୁବିଧା ନଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର