ବାଲିପାଟଣା: ପଞ୍ଚାୟତ ନିର୍ବାଚନର ଚତୁର୍ଥ ପର୍ଯ୍ୟାୟ ମତାଦାନ ଅବସରରେ ଆଜି ଖୋର୍ଦ୍ଧା ଜିଲ୍ଲା ବାଲିପାଟଣା ବ୍ଲକ୍ରେ ଭୋଟ୍ ଗ୍ରହଣ ଶେଷ ହୋଇଛି। ଏହି ବ୍ଲକ୍ର ୧୭ ପଞ୍ଚାୟତରେ ମୋଟ୍ ୨୪୫ ବୁଥ୍ରେ ଭୋଟ ଗ୍ରହଣ ସରିଛି ଓ ୬୫ ପ୍ରତିଶତ ମତଦାନ ହୋଇଛି ବୋଲି ନିର୍ବାଚନ ଅଧିକାରୀ ତଥା ବିଡିଓ ଆଦିକନ୍ଦ ବେହେରା ସୂଚନା ଦେଇଛନ୍ତି। ଭୋଟ୍ ଗ୍ରହଣ ଆପାତତଃ ଶାନ୍ତିପୂର୍ଣ୍ଣ ହୋଇଥିବା ବେଳେ କେତେକ ପଞ୍ଚାୟତରେ କାଁ ଭାଁ ନିର୍ବାଚନୀ ହିଂସା ଦେଖିବାକୁ ମିଳିଛି। ତେବେ ସୋମଣା ଶାସନ ପଞ୍ଚାୟତର ସୋମଣା ପ୍ରଧାନ ୩ ନଂ ବୁଥ୍ରେ ଭୋଟଗ୍ରହଣ ବାତିଲ କରାଯାଇଛି।
ଏହି ବୁଥ୍ରେ ବିଜେପି ଦଳର ଏଜେଣ୍ଟ ଭୋଟ୍ବାକ୍ସରେ ପାଣି ପୂରେଇ ଦେବାରୁ ମତଦାନ ବନ୍ଦ କରାଯାଇଛି। ରାଜ୍ୟ ନିର୍ବାଚନ କମିସନରଙ୍କ ନିର୍ଦ୍ଦେଶାନୁସାରେ, ଏଠାରେ ସାନି ମତଦାନ ହେବ। ଏନେଇ ବ୍ଲକ୍ ପ୍ରଶାସନ ପକ୍ଷରୁ ଉକ୍ତ ଏଜେଣ୍ଟଙ୍କ ନାମରେ ଏତଲା ଦିଆଯାଇଛି ଓ ସେ ଫେରାର୍ ହୋଇଯାଇଛନ୍ତି।
ସୂଚନାନୁସାରେ, ସୋମଣାପ୍ରଧାନ ବୁଥ୍ ନମ୍ବର ୩ରେ ଭୋଟର୍ ତାଲିକାକୁ ନେଇ ପ୍ରଥମେ ବିବାଦ ସୃଷ୍ଟି ହୋଇଥିଲା। ଭୋଟର୍ ତାଲିକାରେ ନାଁ ଅଦଳ ବଦଳ ହୋଇଥିବା କାରଣରୁ ବହୁ ଭୋଟର୍ ମତଦାନ କରିବାରୁ ବଞ୍ଚିତ ହୋଇଥିଲେ। ଏହାକୁ ନେଇ ଏଜେଣ୍ଟ ଗଦାଧର ପ୍ରଧାନ ରାଗି ଯାଇଥିଲେ। ବୁଥ୍ ଭିତରେ ପାଟିତୁଣ୍ଡ କରିଥିଲେ। ଫଳରେ ଅନ୍ୟ ଏଜେଣ୍ଟମାନଙ୍କ ସହ ଗଦାଧରଙ୍କ କଥା କଟାକଟି ହୋଇଥିଲା। ହଠାତ୍ ଗଦାଧର ଭୋଟ ବାକ୍ସ ଭିତରେ ପାଣି ପୂରେଇ ଦେଇଥିଲେ। ସେତେବେଳକୁ କିଛି ମତଦାତା ଭୋଟ ଦେଇସାରିଥିଲେ।
ଗଦାଧର ଭୋଟ୍ ବାକ୍ସରେ ପାଣି ପୂରାଇ ସେଠାରୁ ଚାଲି ଯାଇଥିଲେ। ତୁରନ୍ତ ପ୍ରିଜାଇଡିଂ ଅଫିସର ଏନେଇ ବାଲିପାଟଣା ବିଡିଓଙ୍କୁ ଜଣାଇଥିଲେ। ଖବର ପାଇ ବିଡିଓ ଘଟଣାସ୍ଥଳରେ ପହଞ୍ଚି ମତଦାନ ବାତିଲ କରାଇଥିଲେ। ସେହିଭଳି ଗୁଆପୁର, ମଝିହରା, ଆମେଣାକୁଦ ପଞ୍ଚାୟତରେ ବି ମତଦାନ ବେଳେ ସାମାନ୍ୟ ଗଣ୍ଡଗୋଳ ଘଟିଛି। କିନ୍ତୁ ଏନେଇ କୌଣସି ଅଭିଯୋଗ ଥାନାରେ ପହଞ୍ଚି ନାହିଁ। ଭୋଟବାକ୍ସ ସବୁ ବୁଦ୍ଧନାଥ ହାଇସ୍କୁଲ୍ ଷ୍ଟ୍ରଙ୍ଗ୍ରୁମ୍ରେ ରଖାଯାଇଛି। ଏହି ବ୍ଲକ୍ରେ ଥିବା ଖୋର୍ଦ୍ଧା ଜିଲ୍ଲା ପରିଷଦର ୩ ଜୋନ୍ ୧୯, ୨୦ ଓ ୨୧ରେ ପର୍ଯ୍ୟାୟକ୍ରମେ ଆସନ୍ତା ୨୬, ୨୭ ଓ ୨୮ ତାରିଖରେ ଭୋଟ ଗଣତି ହେବ।
୧୧ ନମ୍ବର ଏଜେଣ୍ଟ ଫର୍ମ ଦାବିରେ ବିଜେପିର ଧାରଣା
/sambad/media/post_attachments/wp-content/uploads/2022/02/29-2.jpg)
୧୧ନମ୍ବର ଏଜେଣ୍ଟ ଫର୍ମ ଦାବିରେ ଆଜି ଜୟଦେବ ବିଜେପି ପକ୍ଷରୁ ମତଦାନ କେନ୍ଦ୍ର ସମ୍ମୁଖରେ ଧାରଣା ଦିଆଯାଇଛି। ଏଭଳି ଘଟଣା ଆଜି ଶ୍ରୀବୁଦ୍ଧନାଥ ହାଇସ୍କୁଲ ମତଦାନ କେନ୍ଦ୍ର ପରିସରରେ ଦେଖିବାକୁ ମିଳିଛି। ବିଳମ୍ବିତ ରାତିରେ ଏଜେଣ୍ଟ ଫର୍ମ ମିଳିବା ପରେ ଧାରଣା ପ୍ରତ୍ୟାହୃତ ହୋଇଥିବା ଜଣାପଡ଼ିଛି।
ବାଲିପାଟଣା ବ୍ଲକରେ ଆଜି ମତଦାନ ସରିଛି। ମତଦାନ ପରେ ଏଜେଣ୍ଟମାନଙ୍କୁ ୧୧ ନମ୍ବର ଫର୍ମ ଦେବାର ନିୟମ ଅଛି। ହେଲେ ପ୍ରଶାସନ ତରଫରୁ ସାଧା କାଗଜରେ ସୂଚନା ମିଳିବା ପରେ ଅସନ୍ତୋଷ ଦେଖାଦେଇଥିଲା। ଜୟଦେବ ବିଜେପି ତରଫରୁ ଶ୍ରୀବୁଦ୍ଧନାଥ ହାଇସ୍କୁଲ ମତଦାନ କେନ୍ଦ୍ର ପରିସରରେ ଜୟଦେବ ବିଜେପି ପକ୍ଷରୁ ଧାରଣା ଦିଆଯାଇଥିଲା। ଅପରାହ୍ଣ ୫ଟାରୁ ନେତା ଓ କର୍ମୀମାନେ ଧାରଣାରେ ବସିଥିଲେ।
ଖୋର୍ଦ୍ଧା ଜିଲ୍ଲାପାଳଙ୍କ ପରାମର୍ଶକ୍ରମେ ଭୁବନେଶ୍ୱର ଉପଜିଲ୍ଲାପାଳ ଦେବବ୍ରତ ସାହୁ ଧାରଣାକାରୀ ବୁଝାସୁଝା କରିଥିଲେ ହେଁ ସେମାନେ ୧୭ଟି ପଞ୍ଚାୟତର ୨୪୫ ବୁଥ୍ ରିପୋର୍ଟ ମିଳିବା ପରେ ଧାରଣାରୁ ଉଠିବେ ବୋଲି ଅଡ଼ି ବସିଥିଲେ। ଏହି ଧାରଣାରେ ଖୋର୍ଦ୍ଧା ଜିଲ୍ଲାର ପୂର୍ବତନ ବିଜେପି ସଭାପତି ନିକୁଞ୍ଜ ପଟ୍ଟନାୟକ, ବରିଷ୍ଠ ବିଜେପି ନେତା ବସନ୍ତ ନାୟକ, ଜୟଦେବ ନିର୍ବାଚନ ମଣ୍ଡଳୀର ସାଂସଦଙ୍କ ପ୍ରତିନିଧି ତାପସ କୁମାର ଜେନା, ୧୯ ନଂ ଜୋନ୍ ବିଜେପି ଜିଲ୍ଲା ପରିଷଦ ପ୍ରାର୍ଥୀ ପ୍ରସନ୍ନ ଭୋଇ, ୨୦ ନଂ ଜୋନ୍ ପ୍ରାର୍ଥୀ ମିନତି ବେହେରା, ୨୧ନଂ ଜୋନ୍ ପ୍ରାର୍ଥୀ ପ୍ରଶାନ୍ତ ଆଦିତ୍ୟ, ଅନନ୍ତ ପ୍ରଧାନ, ନିରଞ୍ଜନ ରାଉତରାୟ, ସଞ୍ଜୟ ବଳିଆର ସିଂ, ଉପେନ୍ଦ୍ର ମହାପାତ୍ର ପ୍ରମୁଖ ସାମିଲ ହୋଇଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/02/28-2.jpg)