ବାରିପଦା: ମୟୂରଭଞ୍ଜ ଜିଲ୍ଲାର ବିଭିନ୍ନ ନଦୀଘାଟରୁ ପ୍ରତିଦିନ ବେଆଇନ ବାଲି ଉତ୍ତୋଳନ ହୋଇ ଚାଲାଣ କରାଯାଉଛି। ଫଳରେ ସରକାରଙ୍କ କୋଟି କୋଟି ଟଙ୍କା ରାଜସ୍ବ କ୍ଷତି ହେଉଛି। ତେବେ ବାଲି ଚୋରା ଚାଲାଣ ଉପରେ ଜାତୀୟ ଗ୍ରିନ୍ ଟ୍ରିବ୍ୟୁନାଲ୍ ହସ୍ତକ୍ଷେପ କରିଥିଲେ। ଗୋଟିଏ ବର୍ଷରେ ୩୦ କୋଟି ଟଙ୍କା ରାଜସ୍ବ କ୍ଷତି ହୋଇଥିବା ଟ୍ରିବ୍ୟୁନାଲ୍‌ ରିପୋର୍ଟରେ କୁହାଯାଇଥିଲା। ଏଥିରେ ଜଣେ ତହସିଲଦାରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇଥିଲା। ସେହିପରି ୨ ଜଣ ଟେଣ୍ଡରଧାରୀଙ୍କ ନାଁରେ ମାମଲା ରୁଜୁ ହୋଇଥିଲା। ସବୁଠାରୁ ବଡ଼କଥା ହେଲା; ବାଲି ଚୋରା ଚାଲାଣ ରୋକିବାରେ ବିଫଳତା ପାଇଁ ଜିଲ୍ଲା ପ୍ରଶାସନକୁ ଟ୍ରିବ୍ୟୁନାଲ୍‌ ସମାଲୋଚନା କରିବାକୁ ପଛାଇ ନଥିଲେ। ଟ୍ରିବ୍ୟୁନାଲ୍‌ ଛାଟ୍ ପରେ ବାଲି ସଇରାତ ନିଲାମ ନେଇ ପ୍ରଶାସନ ପକ୍ଷରୁ ତତ୍ପରତା ପ୍ରକାଶ ପାଉ ନଥିବା ବେଳେ ନିଲାମ ନେବା ପାଇଁ ଟେଣ୍ଡରଧାରୀଙ୍କ ମଧ୍ୟରେ ଆଗ୍ରହ ନଥିବା ଜଣାପଡ଼ିଛି।
ଚଳିତ ବର୍ଷ ଜିଲ୍ଲାରେ ସବୁ ବାଲି ସଇରାତ ନିଲାମ ହେବା ନେଇ ଅନିଶ୍ଚିତତା ଦେଖାଦେଇଛି।

Advertisment

ଜିଲ୍ଲାରେ ମୋଟ୍ ୧୧୪ଟି ବାଲି ସଇରାତ ଥିବା ବେଳେ ସେଥିମଧ୍ୟରୁ ୪୮ଟିର ନିଲାମ ହୋଇଛି। ବାକି ୬୫ଟି ବାଲି ସଇରାତ ନିଲାମ ହେବା ନେଇ ଅନିଶ୍ଚିତତା ଦେଖା ଦେଇଛି। ଜିଲ୍ଲାର ବଡ଼ସାହି ତହସିଲ ଅଧୀନରେ ୧୧ଟି ସଇରାତ ରହିଛି। ସେଥିମଧ୍ୟରୁ ମାତ୍ର ଗୋଟିଏର ନିଲାମ ହୋଇଛି। ରରୁଆଁ ତହସିଲ ଅଧୀନରେ ୧୧ଟି ସଇରାତ ଥିବା ବେଳେ ସେଥିରୁ ୪ଟିର ନିଲାମ ହୋଇଛି। ସେହିଭଳି ଗୋପବନ୍ଧୁନଗର ତହସିଲ ଅଧୀନରେ ୧୧ଟି ସଇରାତ ଥିବା ବେଳେ ସେଥିରୁ ଗୋଟିଏର ନିଲାମ ହୋଇଛି। ବାରିପଦା ତହସିଲ ଅଧୀନରେ ଥିବା ୩ଟି ସଇରାତରୁ ୨ଟି, ଶ୍ୟାମାଖୁଣ୍ଟାର ୪ଟିରୁ ୨ଟି, ବେତନଟୀର ୫ଟିରୁ ୩ଟି, ରାସଗୋବିନ୍ଦପୁରର ୭ଟିରୁ ୨ଟି, ମୋରଡ଼ାର ୮ଟିରୁ ୪ଟି, କପ୍ତିପଦା‌ର ୬ଟିରୁ ୪ଟି, ରାଇରଙ୍ଗପୁରର ୪ଟିରୁ ଗୋଟିଏ, କୁସୁମୀର ୪ଟିରୁ ୨ଟି, ତିରିଂର ୬ଟିରୁ ୫ଟି, ଜାମଦାର ୫ଟିରୁ ୩ଟି, କରଞ୍ଜିଆର ୫ଟିରୁ ୩ଟି, ଶୁକ୍ରୁଳିର ୭ଟିରୁ ୨ଟି, ଠାକୁରମୁଣ୍ଡାର ୨ଟିରୁ ଗୋଟିଏ ସଇରାତର ନିଲାମ ହୋଇ ପାରୁନାହିଁ। ସାରସକଣା ତହସିଲ ଅଧୀନରେ ଥିବା ୨ଟି ଏବଂ ଶୁଳିଆପଦା ତହସିଲ ଅଧୀନରେ ଥିବା ୧ଟି ସଇରାତ ନିଲାମ ହୋଇଛି। କୁଳିଅଣାରେ ଥିବା ୨ଟି ସଇରାତ ନିଲାମ ହୋଇନାହିଁ। ସେହିପରି ବହଳଦାରେ ଥିବା ୩ଟି ସଇରାତ ନିଲାମ ହୋଇନାହିଁ।

ତେବେ ଜିଲ୍ଲାର ବାଙ୍ଗିରପୋଷି, ଖୁଣ୍ଟା, ବିଶୋଇ, ବିଜାତଳା ଓ ଯଶିପୁର ତହସିଲରେ ଆଦୌ ବାଲି ସଇରାତ ନଥିବା ସରକାରୀ ରିପୋର୍ଟରୁ ଜଣାପଡ଼ିଛି। ତିରିଂ ତହସିଲରେ ଥିବା ଏକ ବାଲି ସଇରାତରୁ ନିଲାମ ତାଲିକାରୁ ବାଦ୍ ଦିଆଯାଇ ସବୁ ଦିନ ପାଇଁ ବନ୍ଦ କରି ଦିଆଯାଇଛି। ଆସନ୍ତା ଡିସେମ୍ବର ଶେଷ ସୁଦ୍ଧା ଆଉ ୨୦ରୁ ୨୫ଟି ବାଲି ସଇରାତ ନିଲାମ ହେବାର ସମ୍ଭାବନା ରହିଛି ବୋଲି ଅତିରିକ୍ତ ଜିଲ୍ଲାପାଳ (ରାଜସ୍ବ) ସୁଚାରୁ କୁମାର ବଳ କହିଛନ୍ତି। ଗ୍ରିନ୍ ଟ୍ରିବ୍ୟୁନାଲ୍‌ ଛାଟ ଲାଗି ମାମଲା କୋର୍ଟରେ ବିଚାରଧୀନ ଥିବାରୁ ବଡ଼ସାହି ତହସିଲର ୭ଟି ବାଲି ସଇରାତକୁ ନିଲାମ ତାଲିକାରୁ ବାଦ୍ ଦିଆଯାଇଛି ବୋଲି ସେ କହିଛନ୍ତି। ଝୁଲି ରହିଥିବା ବାଲି ସଇରାତଗୁଡିକ ପରବର୍ତ୍ତୀ ସମୟରେ ଯେ ନିଲାମ ହେବ, ଏନେଇ ପ୍ରଶାସନ ନିଶ୍ଚିତ କରି ପାରୁ ନାହିଁ। ନିଲାମ ହୋଇ ନଥିବା ବାଲି ସଇରାତଗୁଡ଼ିକରେ ପ୍ରଶାସନର କଟକଣା ଜାରି ରହିଛି। ଏଥିଯୋଗୁ ସ୍ଥାନୀୟ ଲୋକମାନେ ଘର ନିର୍ମାଣ ପାଇଁ ବାଲି ଉପରେ ପଡ଼ୋଶୀ ଜିଲ୍ଲା ବାଲେଶ୍ବର ଓ କେନ୍ଦୁଝର ଉପରେ ନିର୍ଭର କରୁଛନ୍ତି।

ଏଥିପାଇଁ ଅଧିକ ଖର୍ଚ୍ଚାନ୍ତ ହେବାକୁ ପଡ଼ୁଛି। ଏହା ବାଦ୍ ସରକାରୀ ପ୍ରକଳ୍ପ କିମ୍ବା ଆବାସ ଗୃହ ନିର୍ମାଣରେ ସମସ୍ୟା ଦେଖାଦେଇଛି। ଟେଣ୍ଡରଧାରୀମାନେ ଅନ୍ୟ ଜିଲ୍ଲାରୁ ବାଲି ଆଣିବାକୁ ବାଧ୍ୟ ହେଉଛନ୍ତି। ଏହି ଧାରା ଜାରି ରହେ ଆଗାମୀ ଦିନରେ ସମସ୍ୟା ଆଇନଶୃଙ୍ଖଳା ସୃଷ୍ଟି କରିବାର ଅଧିକ ସମ୍ଭାବନା ରହିଛି। ବାଲି ସଇରାତଗୁଡ଼ିକ ସିନା ନିଲାମ ହେବ ନାହିଁ, ବାଲି ଚୋରା ଚାଲାଣ କିନ୍ତୁ ବଢ଼ିବା ନିଶ୍ଚିତ। ସେତେବେଳକୁ ଏହାକୁ ରୋକିବା ପ୍ରଶାସନ ଓ ପୁଲିସ ପାଇଁ ମୁସ୍କିଲ ହୋଇ ପଡ଼ିବ। ସରକାର କୋଟି କୋଟି ଟଙ୍କା ରାଜସ୍ବ ହରାଇବେ। ତେଣୁ ସରକାରୀ ନିୟମ ଆଧାରରେ ସଇରାତଗୁଡ଼ିକୁ ତୁରନ୍ତ ନିଲାମ କରିବାକୁ ପ୍ରଶାସନ ପକ୍ଷରୁ ଉଦ୍ୟମ ଜରୁରୀ ହୋଇପଡ଼ିଛି। ନହେଲେ ଜାତୀୟ ଗ୍ରିନ୍ ଟ୍ରିବ୍ୟୁନାଲ୍‌ ଛାଟଠୁ ଆଇନଶୃଙ୍ଖଳାର କଷ୍ଟ ବଢ଼ିଯିବ।