୩ ବର୍ଷରେ ମଲେଣି ୬୫୧ରୁ ଅଧିକ ବିରଳ ପଶୁ : ସ୍ବତନ୍ତ୍ର କୋର୍ଟ, ସ୍କ୍ବାଡ୍ କେବେ ଗଠନ ହେବ ?

ଭୁବନେଶ୍ବର : ବନ୍ୟପ୍ରାଣୀ ଅପରାଧୀଙ୍କ ବିରୋଧରେ ମକଦ୍ଦମା ଶୀଘ୍ର ଫଏସଲା ପାଇଁ ସ୍ବତନ୍ତ୍ର କୋର୍ଟ ହେବ। ବନ୍ୟପ୍ରାଣୀ ଥିବା ଅଞ୍ଚଳରେ ଡିଏଫ୍‌ଓଙ୍କ ଅଧୀନରେ ସ୍ବତନ୍ତ୍ର ସ୍କ୍ବାଡ ହେବ। ବନ୍ୟପ୍ରାଣୀ ହତ୍ୟାକାରୀଙ୍କ ବାବଦରେ ଖବର ଦେଉଥିବା ବ୍ୟକ୍ତିଙ୍କ ନାମ ଗୁପ୍ତ ରଖି ୫୦ ହଜାର ଟଙ୍କା ପୁରସ୍କାର ଦେବେ। ଅକାଳରେ ଚାଲି ଯାଉଥିବା ବନ୍ୟପ୍ରାଣୀଙ୍କୁ ସୁରକ୍ଷା ସହ ଶିକାର ନିୟନ୍ତ୍ରଣ କରିବା ପାଇଁ ସରକାର ଏଭଳି ପଦକ୍ଷେପ ନେଲେ। ଅଥଚ ଏପର୍ଯ୍ୟନ୍ତ ଏହା ବାସ୍ତବ ରୂପ ନେଲା ନାହିଁ। ପ୍ରତ୍ୟେକ ବର୍ଷ ଦୁର୍ଘଟଣା ଓ ଶିକାର ଯୋଗୁଁ ଶହଶହ ବିରଳ ବନ୍ୟପ୍ରାଣୀ ଅକାଳରେ ପ୍ରାଣ ହରାଉଥିଲେ ହେଁ ଘୋଷଣାକୁ କାର୍ଯ୍ୟକାରୀ କରିବା ପାଇଁ ତତ୍ପରତା ପ୍ରକାଶ ପାଇନାହିଁ।

ଆଜି ଢେଙ୍କାନାଳରେ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ୭ଟି ହାତୀଙ୍କର ମୃତ୍ୟୁ ହୋଇଛି। ବାରମ୍ବାର ଏପରି ଘଟୁଥିଲେ ହେଁ ଚେତା ପଶୁନାହିଁ। ଗତ ୩ ବର୍ଷରେ ଏହିପରି ୬୪୪ ପଶୁଙ୍କର ମୃତ୍ୟୁ ଘଟିସାରିଲାଣି। ହରିଣମାନେ ବେଶି ଶିକାର ହେଉଛନ୍ତି। ୨୦୧୫-୧୬ ରୁ ୨୦୧୭-୧୮ ମଧ୍ୟରେ ୩୯୦ଟି ହରିଣ ମୃତ୍ୟୁବରଣ କରିଛନ୍ତି। ସେଥିମଧ୍ୟରୁ ୯୩ଟି ହରିଣ ଶିକାର ଯୋଗୁଁ ମରିଛନ୍ତି। ୩ ବର୍ଷ ମଧ୍ୟରେ ୨୪୫ଟି ହାତୀ ମରିଥିବା ବେଳେ ୨୯ଟି ବିଦ୍ୟୁତ ଆଘାତ ଓ ଶିକାର, ଦୁର୍ଘଟଣା, ଆନ୍ଥ୍ରାକ୍ସ, ପ୍ରାକୃତିକ କାରଣ ଏବଂ ବିଷ ଜନିତ କାରଣରୁ ଅନ୍ୟ ହାତୀମାନଙ୍କର ମୃତ୍ୟୁ ହୋଇଛି। ୧୪ଟି କଲରା ପତରିଆ ବାଘଙ୍କ ମୃତ୍ୟୁ ହୋଇଥିବା ବେଳେ ୯ଟି କେବଳ ଶିକାର ଜନିତ କାରଣରୁ ପ୍ରାଣ ହରାଇଛନ୍ତି। ଏଥିସହ ୨ଟି ମହାବଳ ବାଘଙ୍କର ମୃତ୍ୟୁ ହୋଇଛି। ୩ ବର୍ଷ ମଧ୍ୟରେ ଏମାନଙ୍କ ମୃତ୍ୟୁ ସଂଖ୍ୟା ୬୫୧ ଅତିକ୍ରମ କରିଥିବା ବେଳେ ୧୦୮ଜଣଙ୍କର ଶିକାର ଯୋଗୁଁ ମୃତ୍ୟୁ ହୋଇଛି।

ପ୍ରତ୍ୟେକ ସପ୍ତାହରେ ୨-୩ଟି ହାତୀ ଏବଂ ଅନ୍ୟ ବନ୍ୟପ୍ରାଣୀ ଶିକାରୀଙ୍କ କବଳରେ ପଡ଼ୁଛନ୍ତି। ଜଙ୍ଗଲର ସୁରକ୍ଷା ଓ ଉନ୍ନତି ପାଇଁ ଏହି ବନ୍ୟପ୍ରାଣୀଙ୍କର ପ୍ରମୁଖ ଯୋଗଦାନ ରହିଛି। ମାତ୍ର ଏହାକୁ ନିୟନ୍ତ୍ରଣ କରିବା ପାଇଁ ସ୍ବତନ୍ତ୍ର ସ୍କ୍ବାଡ୍‌ ଗଠନର ଆବଶ୍ୟକତା ଥିଲେ ମଧ୍ୟ ଏଥିପ୍ରତି ଗୁରୁତ୍ବ ଦିଆଯାଉ ନାହିଁ। ସେହିଭଳି ୨୪ ଘଣ୍ଟିଆ ଶିକାର ନିରୋଧି ମୋବାଇଲ୍‌ ସ୍କ୍ବାଡ୍‌ର ମଧ୍ୟ ତୁରନ୍ତ ଆବଶ୍ୟକତା ରହିଛି ବୋଲି ପୂର୍ବତନ ବିଧାୟକ ତଥା ଓଡ଼ିଶା କୃଷକ ମହାସଂଘର, ଭୁବନେଶ୍ବରର ସଭାପତି ବିଭୁଧେନ୍ଦ୍ର ପ୍ରତାପ ଦାସ କହିଛନ୍ତି। ସେହିଭଳି ୨୦୦୬ ମସିହାରେ ଓଡ଼ିଶାରେ ବାଘଙ୍କ ସଂଖ୍ୟା ୪୫ ଥିବା ବେଳେ ୨୦୧୦ ମସିହାରେ ଏହା ୩୨ ଏବଂ ୨୦୧୪ରେ ୨୮କୁ ଖସି ଆସିଛି। ତେଣୁ କ୍ରମାଗତ ଭାବେ ବିରଳ ବନ୍ୟପ୍ରାଣୀ ମୃତ୍ୟୁ ମୁଖରେ ପଡ଼ୁଥିବା ବେଳେ ଜଙ୍ଗଲର ସୁରକ୍ଷା ଦୃଷ୍ଟିରୁ ଜଙ୍ଗଲ ଓ ପରିବେଶ ବିଭାଗ ଘୋଷଣା କରିଥିବା ଯୋଜନାଗୁଡ଼ିକୁ କାର୍ଯ୍ୟକାରୀ ନକରିବା ପରିତାପର ବିଷୟ ବୋଲି ପରିବେଶବିତ୍‌ମାନେ କହିଛନ୍ତି।

ସମ୍ବନ୍ଧିତ ଖବର