ରାଉରକେଲା: ତୃତୀୟ ରେଳଲାଇନ, ଇଣ୍ଟରଲକିଂ ଓ ସିଗ୍‌ନାଲ ବ୍ୟବସ୍ଥା ଆଦି କାର୍ଯ୍ୟର ଉନ୍ନତୀକରଣ ପାଇଁ ଶୁକ୍ରବାରଠୁ ଅକ୍ଟୋବର ୧୫ ପର୍ଯ୍ୟନ୍ତ ରାଉରକେଲା ଷ୍ଟେସନ ଦେଇ ରେଳସେବା ବ୍ୟାପକ ମାତ୍ରାରେ ପ୍ରଭାବିତ ହେବ। ଦକ୍ଷିଣପୂର୍ବ ରେଳବାଇ ଚକ୍ରଧରପୁର ରେଳମଣ୍ଡଳ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି। ପୂଜା ପୂର୍ବରୁ ରେଳବାଇ କର୍ତ୍ତୃପକ୍ଷଙ୍କ ଏଭଳି ନିଷ୍ପତ୍ତି ଯାତ୍ରୀମାନଙ୍କ ମଧ୍ୟରେ ଘୋର ଅସନ୍ତୋଷ ସୃଷ୍ଟି କରିଛି। ଏହି ସମୟ ମଧ୍ୟରେ ବିଭିନ୍ନ ଦିନରେ ଭିନ୍ନଭିନ୍ନ ଏକ୍ସପ୍ରେସ୍‌, ପାସେଞ୍ଜର ଓ ବନ୍ଦେ ଭାରତ ଆଦି ଟ୍ରେନ୍‌କୁ ମିଶାଇ ପ୍ରାୟ ୬୬ଟି ଟ୍ରେନ୍‌ ବାତିଲ ହୋଇଛି। ଏକକାଳୀନ ଏତେ ସଂଖ୍ୟକ ଟ୍ରେନ୍‌ ବାତିଲ ହୋଇଥିବାରୁ ଟିକଟ୍‌ ବୁକିଂ କରିଥିବା ଓ ଦୂର ସ୍ଥାନକୁ ଯିବାକୁ ଚାହୁଁଥିବା ହଜାରହଜାର ଯାତ୍ରୀଙ୍କୁ ନାହିଁ ନଥିବା ଅସୁବିଧାରେ ସମ୍ମୁଖୀନ ହେବାକୁ ପଡ଼ିବ।

Advertisment

ଟାଟାନଗର, ସିନି, ରାଜଖରସୁଆଁ, ଚକ୍ରଧରପୁର, ଗୋଏଲକେରା, ମନୋହରପୁର, ରାଉରକେଲା, ରାଜଗାଙ୍ଗପୁର, ଝାରସୁଗୁଡ଼ା ଆଦି ଷ୍ଟେସନ ଦେଇ ଦୈନିକ ଯାତାୟତ କରୁଥିବା ଟ୍ରେନ୍‌ଗୁଡ଼ିକ ଆସନ୍ତା ଅକ୍ଟୋବର ୧୫ ତାରିଖ ଭିତରେ ବହୁ ସଂଖ୍ୟାରେ ବାତିଲ ରହିବ। ଶୁକ୍ରବାରଠୁ ଅକ୍ଟୋବର ୧୫ ପର୍ଯ୍ୟନ୍ତ ରାଉରକେଲା-ଚକ୍ରଧରପୁର ଏକ୍ସପ୍ରେସ୍‌, ହଟିଆ- ରାଉରକେଲା ପାସେଞ୍ଜର, ବୀରମିତ୍ରପୁର-ବରସୁଆଁ ପାସେଞ୍ଜର, ଚକ୍ରଧରପୁର-ରାଉରକେଲା ମେମୁ, ରାଉରକେଲା-ଝାରସୁଗୁଡା ମେମୁ, ରାଉରକେଲା-ପୁରୀ-ରାଉରକେଲା ଏକ୍ସପ୍ରେସ୍‌, ରାଉରକେଲା-ଭୁବନେଶ୍ବର ଇଣ୍ଟରସିଟି, ରାଉରକେଲା-ଜଗଦଲପୁର-ରାଉରକେଲା ଇଣ୍ଟରସିଟି ସୁପରଫାଷ୍ଟ, ରାଉରକେଲା-ଗୁଣପୁର ରାଜ୍ୟରାଣୀ ଏକ୍ସପ୍ରେସ୍‌, ଟାଟାନଗର-ବିଳାସପୁର ଏକ୍ସପ୍ରେସ୍‌ ଆଦି ଚାଲିବନି। ଆସନ୍ତା ଅକ୍ଟୋବର ୨ରୁ ୧୬ ତାରିଖ ପର୍ଯ୍ୟନ୍ତ ସୁରତ ମାଲଦା ଟାଉନ ଏକ୍ସପ୍ରେସ୍‌ ଗଡିବନି।

publive-image

୩୦ ସେପ୍ଟେମ୍ବରରୁ ଅକ୍ଟୋବର ୧୪ ପର୍ଯ୍ୟନ୍ତ ସାନ୍ତରାଗାଛି-ପୁରୀ ହମସଫର ଏକ୍ସପ୍ରେସ୍‌, ୩ ଅକ୍ଟୋବରୁ ୧୭ ଅକ୍ଟୋବର ପର୍ଯ୍ୟନ୍ତ ମୁମ୍ବାଇ ‌ଲୋକମାନ୍ୟ ତିଲକ ଟର୍ମିନସ୍‌ କାମାକ୍ଷା କର୍ମଭୂମି ଏକ୍ସପ୍ରେସ୍‌, ଅକ୍ଟୋବର ୮ରୁ ୧୧ ପର୍ଯ୍ୟନ୍ତ ପୁନେ ହଟିଆ ଏକ୍ସପ୍ରେସ୍‌, ଅକ୍ଟୋବର ୯ରୁ ୧୩ ପର୍ଯ୍ୟନ୍ତ ହଟିଆ-ପୁନେ ଏକ୍ସପ୍ରେସ୍‌ ବାତିଲ ରହିବ। ସେମିତି ଅକ୍ଟୋବର ୧୧ରୁ ୧୪ ତାରିଖ ପର୍ଯ୍ୟନ୍ତ ହାୱଡା-ଜଗଦଲପୁର ସମଲେଶ୍ବରୀ ଏକ୍ସପ୍ରେସ୍‌, ଅକ୍ଟୋବର ୧୨ରୁ ୧୫ ପର୍ଯ୍ୟନ୍ତ ଜଗଦଲପୁର-ହାୱଡା ସମଲେଶ୍ବରୀ ଏକ୍ସପ୍ରେସ୍‌ ବାତିଲ ‌ହୋଇଛି। ଆସନ୍ତକାଲି ଶୁକ୍ରବାରରୁ ଆସନ୍ତା ଅକ୍ଟୋବର ୪ ପର୍ଯ୍ୟନ୍ତ ଇତୱାରୀ-ଟାଟା ଏକ୍ସପ୍ରେସ୍‌, ଆସନ୍ତା ୩୦, ଅକ୍ଟୋବର ୨, ୪, ୯, ୧୧, ୧୩ ଓ ୧୪ ତାରିଖ କଣ୍ଟାବାଞ୍ଜି - ହାୱଡା ଇସ୍ପାତ ଏକ୍ସପ୍ରେସ୍‌, ଅକ୍ଟୋବର ୧୧ରୁ ୧୪ ପର୍ଯ୍ୟନ୍ତ ପୁରୀ-ହଟିଆ ଏକ୍ସପ୍ରେସ୍‌ ବାତିଲ ହୋଇଛି। ସେମିତି କିଛି ଟ୍ରେନ୍‌ର ଦିଗ ପରବର୍ତ୍ତନ କରାଯାଇଛି। ଶୁକ୍ରବାରଠୁ ଅକ୍ଟୋବର ୧୫ ପର୍ଯ୍ୟନ୍ତ ପୁରୀ-ଯୋଗନଗରୀ ରିଷିକେଶ କଳିଙ୍ଗ ଉତ୍କଳ ଏକ୍ସପ୍ରେସ୍‌ ସମ୍ବଲପୁର ଦେଇ ଚଳାଚଳ କରିବ। ଆସନ୍ତା ୧୧ ଅକ୍ଟୋବରୁ ଚାଲିବାକୁ ଥିବା ଏର୍ଣ୍ଣାକୁଲମ୍‌-ଟାଟାନଗର ଏକ୍ସପ୍ରେସ୍‌ କଟକ, ଜଖପୁରରା, ନୟାଗଡ଼, ଜରୋଲି, ରାଜଖରସୁଆଁ ଦେଇ ଚାଲିବ। ଆସନ୍ତା ୩୦ ଓ ଅକ୍ଟୋବର ୧୪ରେ ଚାଲିବାକୁ ଥିବା ଭୁବନେଶ୍ବର-ନୂଆଦିଲ୍ଲୀ ରାଜଧାନୀ ଏକ୍ସପ୍ରେସ୍‌ କଟକ, ଯାଜପୁର, କେନ୍ଦୁଝର ରୋଡ, ଭଦ୍ରକ, ମେଦିନାପୁର, ଆଦ୍ରା, ଭୋଜୁଡି‌ହି ଆଦି ଷ୍ଟେସନ ଦେଇ ଚଳାଚଳ କରିବ। ଆସନ୍ତା ୧ ଅକ୍ଟୋବରୁ ଚାଲିବାକୁ ଥିବା ଜମ୍ମୁତୱି-ସମ୍ବଲପୁର ଏକ୍ସପ୍ରେସ୍‌ ସମ୍ବଲପୁର ଯିବା ପରିବର୍ତ୍ତେ ହଟିଆ ପର୍ଯ୍ୟନ୍ତ ଆସିବ। ଶୁକ୍ରବାର, ଅକ୍ଟୋବର ୨, ୪, ୬, ୯, ୧୧ ଓ ୧୩ରୁ ଚାଲିବାକୁ ଥିବା ଜୟନଗର-ରାଉରକେଲା ଏକ୍ସପ୍ରେସ୍‌ ରାଉରକେଲା ଷ୍ଟେସନ ପରିବର୍ତ୍ତେ ହଟିଆ ପର୍ଯ୍ୟନ୍ତ ଚାଲିବ।