ନାତିକୁ ବଞ୍ଚାଇବା ପାଇଁ ୩୦ ଫୁଟ କୂଅକୁ ଡେଇଁଲେ ୬୬ ବର୍ଷୀୟ ଜେଜେମା

କଟକ : ନାତିକୁ ବଞ୍ଚାଇବା ପାଇଁ ନିଜର ଜୀବନକୁ ବାଜି ଲଗାଇ ୩୦ ଫୁଟର ଗଭୀର କୂଅକୁ ଡେଇଁଲେ ୬୬ ବର୍ଷୀୟ ଜେଜେମା। କଥାଟି ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ଏଭଳି ଏକ ଘଟଣା ଘଟିଛି କଟକ ଜିଲ୍ଲା ଅନ୍ତର୍ଗତ ବାଙ୍କୀରେ।

ଘଟଣାରୁ ପ୍ରକାଶ ଯେ, ବାଙ୍କୀ ଚର୍ଚ୍ଚିକା ମନ୍ଦିର ସାହିର ସାଇ ପ୍ରସାଦ ରଣା ନାମକ ୩ ବର୍ଷର ପିଲା ଜଣକ ଘର ବାଡ଼ିପଟରେ ଥିବା ଖୋଲାକୂଅ ପାଖରେ ସବୁ ଦିନ ଭଳି ଖେଳୁଥିଲା। ପାଖରେ ଜେଜେମା ବି ଥିଲେ। ହେଲେ ଖେଳକୁଦ ଭିତରେ କେତେବେଳେ ୩୦ ଫୁଟର ଗଭୀର କୂଅରେ ପଡ଼ିଗଲେ ତିନି ବର୍ଷର ନାତି, ଜେଜେମାଙ୍କ ଖିଆଲ ନାହିଁ। ହଠାତ୍‌ ଜୋରରେ ଶବ୍ଦ ଶୁଭିବାରୁ କୂଅକୁ ଅନାଇ ଦେଲାବେଳକୁ ପାଣିରେ ନାତି ପଡିଯାଇଛି। ନାତିକୁ ବଞ୍ଚାଇବା ପାଇଁ ଅନ୍ୟ କୌଣସି ଉପାୟ ନ ପାଇ କୂଅ ଭିତରକୁ ଡେଇଁ ପଡିଲେ ଜେଜେମା।

ଜେଜେମା ଓ ନାତି କୂଅ ଭିତରେ ପଡିଯିବା ଦେଖି ପାଟି କରି ଡାକ ପକାଇଥିଲା ନାତୁଣୀ। ଘଟଣାସ୍ଥଳରେ ସାହି ପଡିଶା ଲୋକ ପହଁଚି ଉଭୟ ନାତି ଓ ଜେଜେମାଙ୍କୁ ଉଦ୍ଧାର କରିଥିଲେ। ନାତିକୁ ଜେଜେମା ଭଲ ପାଇବାର ଅନେକ ନଜିର ଆପଣ ଦେଖିଥିବେ, ହେଲେ ନାତିର ଜୀବନ ପାଇଁ ନିଜ ଜୀବନକୁ ବାଜି ଲଗାଇ ଦେବା ନଜିର ହୁଏତ ଅତି ବିରଳ।

ସମ୍ବନ୍ଧିତ ଖବର