ପୁରୀ: ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ଓଡ଼ିଶାକୁ ୬ହଜାର ୬ଶହ କୋଟି ଟଙ୍କାର ୨୮ଟି ପ୍ରକଳ୍ପ ଭେଟି ଦେଇଛି କେନ୍ଦ୍ର ପରିବହନ ଓ ରାଜପଥ ମନ୍ତ୍ରାଳୟ। ଏ ମଧ୍ୟରୁ ଆଜି ଦୁଇଟି ପ୍ରକଳ୍ପର ଲୋକାର୍ପଣ କରାଯାଇଥିବା ବେଳେ ୨୬ଟିର ଶିଳାନ୍ୟାସ କରାଯାଇଛି। ଯେଉଁଥିରେ ଜାତୀୟ ରାଜପଥ ଦୋହରୀକରଣ, ସଂପ୍ରସାରଣ ଆଦି ପ୍ରକଳ୍ପ ରହିଛି। ଆଜି ଭର୍ଚୁଆଲ୍‌ ଜରିଆରେ ଏସବୁ କରାଯାଇଛି। ଶ୍ରୀ ଗଡ଼କରୀ ଆଜି ପୁରୀ ଗସ୍ତ କରି ଏହି ୨୮ଟି ପ୍ରକଳ୍ପର ଲୋକାର୍ପଣ ଓ ଶିଳାନ୍ୟାସ କରିବାର କାର୍ଯ୍ୟକ୍ରମ ପାଇଁ ଶ୍ରୀଗୁଣ୍ଡିଚା ମନ୍ଦିର ସମ୍ମୁଖ ଶରଧାବାଲିରେ ସଭାର ଆୟୋଜନ କରାଯାଇଥିଲା। କିନ୍ତୁ ଗତକାଲି ରାତିରେ ତାଙ୍କ ଭାଉଜଙ୍କ ଦେହାନ୍ତ ପରେ ଶେଷ ମୁହୂର୍ତ୍ତରେ ଆଜିର ଗସ୍ତ ବାତିଲ୍‌ କରାଯାଇଥିଲା। ଏଣୁ ଶ୍ରୀ ଗଡ଼କରୀ ଭର୍ଚୁଆଲ୍‌ରେ ଶରଧାବାଲିଠାରେ ଆୟୋଜିତ ସଭାରେ ଯୋଗ ଦେଇଥିଲେ। ଏହି ଅବସରରେ ମନ୍ତ୍ରୀ ୧୬ ନମ୍ବର ଜାତୀୟ ରାଜପଥର ଚଣ୍ଡିଖୋଲ-ଭଦ୍ରକ ୬ ଲେନ୍‌ ସଂପ୍ରସାରଣ କାର୍ଯ୍ୟର ଲୋକାର୍ପଣ କରିଥିଲେ। ୭୪.୫ କିଲୋମିଟରର ଏହି ରାସ୍ତା ସଂପ୍ରସାରଣ ପାଇଁ ୧୫୨୨ କୋଟି ଟଙ୍କା ଖର୍ଚ୍ଚ କରାଯାଇଛି। ରାସ୍ତାରେ ୩ଟି ଫ୍ଲାଏଓଭର୍‌, ୧୪ଟି ପ୍ରମୁଖ ସେତୁ, ୭୧ଟି ଛୋଟ ସେତୁ, ୮୭ କିଲୋମିଟର ସର୍ଭିସ୍‌ ରୋଡ୍‌ ଆଦି କରାଯାଇଛି। ସେହିଭଳି ଝାଡ଼ଖଣ୍ଡ ଦେଇ ଯାଇଥିବା ୪୯ ନମ୍ବର ଜାତୀୟ ରାଜପଥର ବହରାଗୋଡ଼ା-ସିଂଘରା ରାସ୍ତା ୪ ଲେନ୍‌ ସଂପ୍ରସାରଣ କାର୍ଯ୍ୟର ବି ଆଜି ଲୋକାର୍ପଣ କରିଛନ୍ତି। ୧୧୧.୬୦୬ କିଲୋମିଟରର ଏହି ରାସ୍ତା ପାଇଁ ୧୧୦୨.୬୩ ଟଙ୍କା ଖର୍ଚ୍ଚ କରାଯାଇଛି। ଏହା ମୟୂରଭଞ୍ଜ ଓ ଆଖପାଖ ଅଞ୍ଚଳକୁ ଗମନାଗମନରେ ସୁବିଧା କରିବ।

Advertisment

publive-image

ଭାରତମାଳା ଯୋଜନାରେ ୧୬ ନମ୍ବର ଜାତୀୟ ରାଜପଥର ଛତ୍ରପୁରଠାରୁ ଗୋପାଳପୁର ବନ୍ଦର ପର୍ଯ୍ୟନ୍ତ ୬.୪୭ କିଲୋମିଟର ରାସ୍ତା ନିର୍ମାଣ କରାଯାଉଛି। ଏ ବାବଦରେ ୨୫୦ କୋଟି ଟଙ୍କା ଖର୍ଚ୍ଚ କରାଯାଉଥିବା ବେଳେ ୧୮ ମାସରେ କାମ ସାରିବାକୁ ଧାର୍ଯ୍ୟ ହୋଇଛି। ୨୦୩ କୋଟି ଟଙ୍କାରେ ଓଡ଼ିଶା ଭିତରେ ୪୯ ନମ୍ବର ଜାତୀୟ ରାଜପଥର ବହରାଗୋଡ଼ା-ସିଂଘାରା ସେକ୍ସନ୍‌ ଅଧୀନରେ ହାତୀ ଚଳପ୍ରଚଳ ପାଇଁ ୮ଟି ଅଣ୍ଡରପାସ୍‌, ଭାରିଯାନ ଚଳାଚଳ ପାଇଁ ଗୋଟିଏ ଅଣ୍ଡରପାସ୍‌‌, ହାଲୁକା ଯାନ ପାଇଁ ଅଣ୍ଡରପାସ୍‌, ପାଦଚଲା ଅଣ୍ଡରପାସ୍‌, ଫୁଟ୍‌ ଓଭରବ୍ରିଜ୍‌, ଝାରପୋଖରିଆ ଫ୍ଲାଏଓଭରଠାରେ ଆପ୍ରୋଚ୍‌ରୋଡ୍‌ ଆଦି ନିର୍ମାଣର ଶିଳାନ୍ୟାସ କରାଯାଇଛି। ସେହିଭଳି ୫୭ ନମ୍ବର ଜାତୀୟ ରାଜପଥରେ ୩୦୦.୩୩ କୋଟି ଟଙ୍କାରେ ନୟାଗଡ଼ ଟାଉନ୍‌ ବାଇପାସ୍‌ ରାସ୍ତା, ୧୩୭.୬୧ କୋଟି ଟଙ୍କାର ପୁରୀ-କୋଣାର୍କ ରାସ୍ତା ମାଟିଆପଡ଼ା ରେଳ ଓଭରବ୍ରିଜ୍‌, ୫୭ ନମ୍ବର ରାଜପଥରେ ୧୫୭.୪୯ କୋଟି ଟଙ୍କାରେ ଖୋର୍ଦ୍ଧା ଟାଉନ୍‌ ବାଇପାସ୍‌ ରାସ୍ତା, ୫୩ ନମ୍ବର ଜାତୀୟ ରାଜପଥରେ ୬୬.୩୧ କୋଟି ଟଙ୍କାରେ ରିଆମାଳ ଟାଉନ୍‌ ବାଇପାସ୍‌ ରାସ୍ତା ନିର୍ମାଣ ପାଇଁ ଶିଳାନ୍ୟାସ କରିଛନ୍ତି। କେବଳ ସେତିକି ନୁହେଁ, ୨୬ ନମ୍ବର ରାଜପଥରେ ୧୩୫.୧୮ କୋଟି ଟଙ୍କାରେ ଜୟପୁର ଟାଉନ୍‌ ବାଇପାସ୍‌ ରାସ୍ତା, ମାଲକାନାଗିରି-ମୋଟୁ ୩୨୬ ନମ୍ବର ରାଜପଥରେ ୬୭.୮୮ କୋଟି ଟଙ୍କାରେ ୪ଟି ଉଚ୍ଚକ୍ଷମତା ସଂପନ୍ନ ସେତୁ, ୪୯୯.୭୯ କୋଟି ଟଙ୍କାରେ କନ୍ଦରପୁର-ବାଲିକୁଦା ୫୫ ନମ୍ବର ରାଜପଥର ସଂପ୍ରସାରଣ, ୭୪.୪୮ କୋଟି ଟଙ୍କାରେ ୬୩ ନମ୍ବର ରାଜପଥରେ କୋଟପାଡ଼ ଟାଉନ୍‌ ବାଇପାସ୍‌ ରାସ୍ତା, ୨୯.୬୯ କୋଟି ଟଙ୍କାରେ ୧୫୭ ନମ୍ବର ରାଜପଥର କଳିଙ୍ଗାଘାଟି ରାସ୍ତା ସଂପ୍ରସାରଣ, ୧୮୬.୫୨ କୋଟି ଟଙ୍କାରେ ୩୨୬ ନମ୍ବର ରାଜପଥର ଢଉଗଁା-ପୋଡ଼ାମାରି ରାସ୍ତା ସଂପ୍ରସାରଣ, ୫୧୧.୫୪ କୋଟି ଟଙ୍କାରେ ବାଲିକୁଦା-ମୂଳକଣି ୫୫ ନମ୍ବର ରାଜପଥର ସଂପ୍ରସାରଣର ଶିଳାନ୍ୟାସ ହୋଇଛି।

ଏହାବ୍ୟତୀତ ୫୩.୨୫ କେଟି ଟଙ୍କାରେ ବାଘମାରି ଟାଉନ୍‌ ବାଇପାସ୍‌ ରାସ୍ତା, ୩୬.୦୮ କୋଟି ଟଙ୍କାରେ ନୟାଗଡ଼ ଜିଲ୍ଲା ଡାହୁକା ନଦୀ ଉପରେ ବ୍ରିଜ୍‌, ୮.୮୧ କୋଟି ଟଙ୍କାରେ ରାୟଗଡ଼ା ଜିଲ୍ଲା ଝେରିଗୁଡ଼ା ନଳା ଉପରେ ବ୍ରିଜ୍‌, ୧୫୫.୯୭ କୋଟି ଟଙ୍କାରେ ନୟାଗଡ଼ ବାଇପାସ୍‌ ରାସ୍ତା, ୧୯୯.୫ କୋଟି ଟଙ୍କାରେ ମାଧପୁର-ବଡ଼ବନ୍ତ ୨୦ ନମ୍ବର ରାଜପଥରେ ବ୍ରିଜ୍‌, ୪୪.୦୬ କୋଟି ଟଙ୍କାରେ କୋରାପୁଟ ୨୬ ନମ୍ବର ରାଜପଥର ସଂପ୍ରସାରଣ, ୧୬୮.୯୫ କୋଟି ଟଙ୍କାରେ ନବରଙ୍ଗପୁର ଟାଉନ୍‌ ବାଇପାସ ରାସ୍ତା, ୩୨୩.୭୬ କୋଟି ଟଙ୍କାରେ ରାୟଗଡ଼ା ଓ ଜେକେପୁର ଟାଉନ୍‌ ବାଇପାସ ରାସ୍ତା, ୧.୪୦ କୋଟି ଟଙ୍କାରେ କୋରାପୁଟ-ସୁଙ୍କି ରାସ୍ତାରେ ୪ଟି କଲଭର୍ଟ, ୫୩.୭୮ କୋଟି ଟଙ୍କାରେ ବାହାନଗା ବଜାର-ସୋର ରେଳ ଓଭରବ୍ରିଜ୍‌, ୫୭.୮୫ କୋଟି ଟଙ୍କାରେ ପଟ୍ଟନାୟିକିଆ-ଡେଲାଙ୍ଗ ରେଳ ଓଭରବ୍ରିଜ୍‌, ୩୪.୯୮ କୋଟି ଟଙ୍କାରେ କରଞ୍ଜିଆ ଓ ପାଟଣା ୨୨୦ ନମ୍ବର ରାଜପଥର ସଂପ୍ରସାରଣ ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି। ଏହି ଲୋକାର୍ପଣ ଓ ଶିଳାନ୍ୟାସ କାର୍ଯ୍ୟକ୍ରମରେ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ, ବିଜେପି ମୁଖପାତ୍ର ସମ୍ବିତ ପାତ୍ର, ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ, ଜିଲ୍ଲା ବିଜେପି ସଭାପତି ଆଶ୍ରିତ ପଟ୍ଟନାୟକ, ପ୍ରଭାତୀ ପରିଡ଼ା, ଶଙ୍କର୍ଷଣ ପରିଡ଼ା, ଉପାସନା ମହାପାତ୍ର, ଓମ୍‌ପ୍ରକାଶ ମିଶ୍ର, ଅମିୟ ଦାଶ ପ୍ରମୁଖ ଉପସ୍ଥିତ ଥିଲେ।