ଭୁବନେଶ୍ବର: ଆସନ୍ତାକାଲିଠୁ ଆରମ୍ଭ ହେବାକୁ ଯାଉଥିବା ଯୁକ୍ତ ୨ ପରୀକ୍ଷା ପରିଚାଳନାରେ ସହଯୋଗ କରିବେ ୬୬୨ ବର୍ଗ ଅଧ୍ୟାପକ। ରାଜ୍ୟ ଅର୍ଥମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବୈଠକ ପରେ ଏପରି ନିଷ୍ପତ୍ତି ନିଆଯାଇଥିବା ୬୬୨ ବର୍ଗ ଅଧ୍ୟାପକ ସଂଘର ସଭାପତି ଗୋଲକ ନାୟକ କହିଛନ୍ତି। ସେ ଆହୁରି କହିଛନ୍ତି, ରାଜ୍ୟ ସଚିବାଳୟରେ ଅର୍ଥମନ୍ତ୍ରୀଙ୍କ ପ୍ରକୋଷ୍ଠରେ ଆଲୋଚନା ହୋଇଛି। ଅର୍ଥମନ୍ତ୍ରୀ ସେମାନଙ୍କର ଦାବି ସଂପର୍କରେ ଅବଗତ ଅଛନ୍ତି। ତେବେ ପ୍ରତୀକ ଗଣଧାରଣା ଜାରି ରହିବ। ଆସନ୍ତା ୧୨ ତାରିଖ ମଧ୍ୟରେ ସେମାନଙ୍କ ଦାବି ପୂରଣ ନ ହେଲେ ପୁଣିଥରେ ଆନ୍ଦୋଳନକୁ ତୀବ୍ରତର କରାଯିବ ବୋଲି ସେ ଚେତାବନୀ ଦେଇଛନ୍ତି।
ସୂଚନାଯୋଗ୍ୟ, ‘ନିଖିଳ ଓଡ଼ିଶା ୬୬୨ବର୍ଗ ବେସରକାରୀ କଲେଜ ଅଧ୍ୟାପକ କର୍ମଚାରୀ ସଂଘ’ ପକ୍ଷରୁ ଦାବି କରାଯାଇଛି ଯେ ସରକାର ପାତରଅନ୍ତର ଓ ବର୍ଗୀକରଣ ନକରି ୭ମ ବେତନ କମିସନ୍ଙ୍କ ନିୟମ ଆଧାରରେ ସମାନ ଗ୍ରେଡ୍-ପେ’କୁ ସମାନ ଦରମା ଦିଅନ୍ତୁ। ସମସ୍ତଙ୍କୁ ଗ୍ରାଚ୍ୟୁଇଟି ଓ ପେନସନ୍, ୨୦୧୮ ଜି.ଓ ପ୍ରତ୍ୟାଶୀମାନଙ୍କୁ ୭ମ ବେତନ ଏବଂ ଅସଂଗତି ପଦ ପାଇଁ ଆହୂତ ତଥ୍ୟକୁ ତୁରନ୍ତ ଯାଞ୍ଚ କରି ଅନୁଦାନ ପ୍ରଦାନ କରନ୍ତୁ। ମୁଖ୍ୟମନ୍ତ୍ରୀ ହସ୍ତକ୍ଷେପ କରି ତୁରନ୍ତ ଏହି ସମସ୍ୟାର ସମାଧାନ କରନ୍ତୁ। ନଚେତ ଆମରଣ ଅନଶନ, ଆବଶ୍ୟକ ପଡ଼ିଲେ ଆଗାମୀ +୨ ଓ +୩ ବାର୍ଷିକ ପରୀକ୍ଷାରେ ଅସହଯୋଗ ଏବଂ ପରବର୍ତ୍ତୀ ସମୟରେ ମୂଲ୍ୟାଙ୍କନ ବର୍ଜନ ଭଳି କଠୋର ନିଷ୍ପତ୍ତି ନେବ ବୋଲି ସଂଘ ପକ୍ଷରୁ କୁହାଯାଇଥିଲା। ଏଥିଲାଗି ସଂଘ ପକ୍ଷରୁ ଲୋୟର ପିଏମଜିରେ ଅହୋରାତ୍ର ଗଣଧାରଣା ଦିଆଯାଇଛି।