ମୟୂରଭଞ୍ଜ : ପୁରୁଣାରେ ୬୬୩, ନୂଆରେ ୩୩୩ ବିଦ୍ୟାଳୟରେ ପଡ଼ିବ ତାଲା

ପୁରୁଣା ଓ ନୁଆ ଉଭୟରେ ବାଙ୍ଗିରିପୋଷିରୁ ବନ୍ଦ ହେବ ସର୍ବାଧିକ ସ୍ମୁଲ୍
୧୪୬ ବିଦ୍ୟାଳୟରେ ଅଛନ୍ତି ୧୫ରୁ କମ ଛାତ୍ରଛାତ୍ରୀ
ଶିକ୍ଷାର ଗୁଣାତ୍ମକ ମାନ ବଢ଼ିବ ନା ବଢ଼ିବ ଅଧାରୁ ପାଠ ଛାଡ଼ିବା ଟ୍ରେଣ୍ଡ୍

ବାରିପଦା : ମୟୂରଭଞ୍ଜରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ରହିଥିବା ୬୬୩ଟି ବିଦ୍ୟାଳୟରେ ତାଲା ପଡ଼ିବା ନେଇ ରାଜ୍ୟ ସରକାର ମଞ୍ଜୁରୀ ପ୍ରଦାନ କରିଛନ୍ତି। ଏଥିମଧ୍ୟରୁ ୨୦ରୁ କମ ଛାତ୍ରଛାତ୍ରୀ ଥିବା ବିଦ୍ୟାଳୟ ସଂଖ୍ୟା ହେଉଛି ୪୭୬। ବନ୍ଦ ହେବାକୁ ଥିବା ଅପର ପ୍ରାଇମେରୀ ସ୍କୁଲ୍ ସଂଖ୍ୟା ୧୫୨ ଥିବାବେଳେ ୧-୫ ଶ୍ରେଣୀ ପର୍ଯ୍ୟନ୍ତ ଥିବା ୩୫ଟି ବିଦ୍ୟାଳୟରେ ୪୦ରୁ କମ ଛାତ୍ରଛାତ୍ରୀ ଥିବାରୁ ଏଗୁଡ଼ିକ ବନ୍ଦ ହେବାକୁ ଯାଉଛି। ଏହି ସୂଚୀ ଅନୁସାରେ ବାଙ୍ଗିରିପୋଷି ବ୍ଲକ୍ରୁ ସର୍ବାଧିକ ୪୪ ସ୍କୁଲରେ ତାଲା ପଡ଼ିବ।

ପୂର୍ବରୁ ପ୍ରାଥମିକ ପର୍ଯ୍ୟାୟରେ ରାଜ୍ୟ ସରକାର ମୟୂରଭଞ୍ଜରେ ୧୧୦୬ଟି ବିଦ୍ୟାଳୟକୁ ବନ୍ଦ କରିବାକୁ ଚିହ୍ନଟ କରିଥିଲେ। ମାତ୍ର ପରବର୍ତ୍ତୀ ସମୟରେ ଏହି ସଂଖ୍ୟା ୬୬୩ରେ ସିମୀତ ରହିଲା। ମାତ୍ର ରାଜ୍ୟରେ ୨୦ରୁ କମ ଛାତ୍ରଛାତ୍ରୀ ଥିବା ବିଦ୍ୟାଳୟଗୁଡ଼ିକୁ ବନ୍ଦ କରିବାର ରାଜ୍ୟ ସରକାରଙ୍କ ନିଷ୍ପତିକୁ ଜୋରଦାର ବିରୋଧ ହୋଇଥିଲା। ଫଳରେ ଆଜି ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ପୁନର୍ବାର ବିଦ୍ୟାଳୟ ବନ୍ଦ ହେବା ନେଇ ଏକ ସଂଶୋଧିତ ନିୟମ ସମ୍ପର୍କରେ ସୂଚନା ଦେଇଛନ୍ତି। ଶିକ୍ଷାମନ୍ତ୍ରୀଙ୍କ ଅନୁସାରେ ଏଣିକି ୨୦ ପରିବର୍ତ୍ତେ ୧୫ରୁ କମ ଛାତ୍ରଛାତ୍ରୀ ଥିବା ବିଦ୍ୟାଳୟ ହିଁ ବନ୍ଦ ହେବ। ରାଜ୍ୟର ଅନେକ ସିଡ୍ୟୁଲ୍ ଏରିଆରେ ଅଧିକାଂଶ ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କ ସଂଖ୍ୟା ୨୦ରୁ କମ ରହିଛି। ତେଣୁ ଏଣିକି ନୂତନ ନିୟମ ଅନୁସାରେ ବିଦ୍ୟାଳୟ ବନ୍ଦ ହେବ। ଯଦି ଏହି ନୁଆ ନିୟମ ଲାଗୁହୁଏ ତେବେ ମୟୂରଭଞ୍ଜରେ ୩୩୩ ବିଦ୍ୟାଳୟରେ ତାଲା ପଡ଼ିବ। କାରଣ ହିସାବ ଅନୁସାରେ ଜିଲ୍ଲାରେ ୧୫ରୁ କମ ଛାତ୍ରଛାତ୍ରୀ ଥିବା ବିଦ୍ୟାଳୟ ସଂଖ୍ୟା ହେଉଛି ୧୪୬। ତେଣୁ ୬୬୩ ପରିବର୍ତ୍ତେ ନୁଆ ନିୟମରେ ଜିଲ୍ଲାରେ ୩୩୩ ବିଦ୍ୟାଳୟ ବନ୍ଦ ହେବା ନିଶ୍ଚିତ।

ସଂଶୋଧିତ ନିୟମ ଅନୁସାରେ ଜିଲ୍ଲାରେ ୧୪୬ ବିଦ୍ୟାଳୟରେ ୧୫ରୁ କମ ଛାତ୍ରଛାତ୍ରୀ ରହିଛନ୍ତି। ଯାହାକି ଚିନ୍ତାଜନକ ବିଷୟ। ଉଭୟ ନୁଆ ଓ ପୁରୁଣା ନିୟମ ଅନୁସାରେ ବାଙ୍ଗିରିପୋଷି ବ୍ଲକରେ ସର୍ବାଧିକ ବିଦ୍ୟାଳୟ ବନ୍ଦ ହେବାକୁ ଯାଉଛି। ପୁରୁଣା ନିୟମ ଅନୁସାରେ ଏହି ବ୍ଲକରୁ ୪୪ଟି ବିଦ୍ୟାଳୟ ବନ୍ଦ ହେବ। ତେବେ ଆଜି ଦେଇଥିବା ଶିକ୍ଷାମନ୍ତ୍ରୀଙ୍କ ବୟାନ ଅନୁସାରେ ଏହି ବ୍ଲକରୁ ୧୭ଟି ବିଦ୍ୟାଳୟରେ ୧୫ରୁ କମ ଛାତ୍ରଛାତ୍ରୀ ଅଛନ୍ତି। ସେହିପରି ଜିଲ୍ଲାର ବହଳଦା ବ୍ଲକରେ ୬, ବଡ଼ସାହିରେ ୧୧, ବାରିପଦା ବ୍ଲକରେ ଗୋଟିଏ, ବେତନଟୀରେ ୩, ବିଜାତଳାରେ ୬, ବିଶୋଇରେ ୪, ଜିବି ନଗରରେ ୩, ଜାମଦାରେ ୪, ଯଶୀପୁରରେ ୮, କପ୍ତିପଦାରେ ୧୨, କରଞ୍ଜିଆରେ ୪, କରଞ୍ଜିଆ ଏନଏସସିରେ ୧, ଖୁଣ୍ଟାରେ ୧, କୁଳିଅଣାରେ ୩, କୁସୁମୀରେ ୫, ମୋରଡ଼ାରେ ୯, ରାଇରଙ୍ଗପୁର ବ୍ଲକରେ ୪, ରାଇରଙ୍ଗପୁର ପୌରପାଳିକାରେ ୨, ରରୁଁଆରେ ୧, ରାସଗୋବିନ୍ଦପୁରରେ ୫, ସାରସକଣାରେ ୮, ଶ୍ୟାମାଖୁଣ୍ଟାରେ ୫, ଶୁକୃଳିରେ ୨, ଶୁଳିଆପଦାରେ ୪, ତିରିଂରେ ୭ ଏବଂ ଉଦଳା ବ୍ଲକରେ ୧୦ଟି ବିଦ୍ୟାଳୟରେ ୧୫ରୁ କମ ଛାତ୍ରଛାତ୍ରୀ ଅଛନ୍ତି। ଫଳରେ ଉପରୋକ୍ତ ୧୪୬ଟି ବିଦ୍ୟାଳୟରେ ତାଲା ପଡ଼ିବ। ଅବଶ୍ୟ ବିଦ୍ୟାଳୟ ପରିବର୍ତ୍ତନ କରୁଥିବା ଛାତ୍ରଛାତ୍ରୀମାନଙ୍କୁ ଗସ୍ତ ଖର୍ଚ୍ଚ ବାବଦକୁ ସରକାର ଅର୍ଥ ଭରଣା କରିବେ। ୟୁପି ସ୍କୁଲ୍ ଛାତ୍ରଛାତ୍ରୀଙ୍କୁ ୩କିମିରୁ ଅଧିକ ଏବଂ ପ୍ରାଥମିକ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ଏକ କିମିରୁ ଅଧିକ ବାଟ ଯିବାକୁ ପଡ଼ୁଥିଲେ ବାର୍ଷିକ ୬ହଜାର ଟଙ୍କା ସେମାନଙ୍କ ଅଭିଭାବକଙ୍କ ଆକାଉଣ୍ଟରେ ଜମା କରାଯିବା ନେଇ ସରକାର ଘୋଷଣା କରିଛନ୍ତି।

ପୁରୁଣା ନିୟମ ଅନୁସାରେ ମଞ୍ଜୁରୀ ପାଇଥିବା ୬୬୩ ବିଦ୍ୟାଳୟ ବନ୍ଦ ହେଲେ ଉକ୍ତ ବିଦ୍ୟାଳୟରେ ଅଧ୍ୟୟନ କରୁଥିବା ଛାତ୍ରଛାତ୍ରୀମାନେ ଯେପରି ଅଧାରୁ ପାଠ ଛାଡ଼ି ରହିନଯାଆନ୍ତି ସେନେଇ ପ୍ରଶାସନ ଯତ୍ନବାନ ହେବାକୁ ଶିକ୍ଷାବିତଙ୍କ ମହଲରେ ଦାବି ହୋଇଛି। କାରଣ ଆଦିବାସୀ ଅଧ୍ୟୁଷିତ ମୟୂରଭଞ୍ଜ ଜିଲ୍ଲାରେ ଗୋଟିଏ ବିଦ୍ୟାଳୟ ଛାଡ଼ି ଅନ୍ୟ ବିଦ୍ୟାଳୟକୁ ଯାଇ ପାଠ ପଢ଼ିବା ପ୍ରାୟତଃ ଏକ କଷ୍ଟକର ବ୍ୟାପାର ବୋଲି କୁହାଯାଉଛି। ତେବେ ଶିକ୍ଷାର ଗୁଣାତ୍ମକମାନ ବଢ଼ାଇବା ପାଇଁ ଏପରି ପଦକ୍ଷେପ ନିଆଯାଉଥିବା ଶିକ୍ଷା ବିଭାଗ ପକ୍ଷରୁ କୁହାଯାଇଛି।

ସମ୍ବନ୍ଧିତ ଖବର