ରାଜ୍ୟରେ ୬୬୫ ମହିଳା‌ କଏଦୀ

ଭୁବନେଶ୍ୱର : ରାଜ୍ୟର ବିଭିନ୍ନ ଜେଲ୍‌ରେ ଏବେ ୬୬୫ ଜଣ ମହିଳା କଏଦୀ ଅଛନ୍ତି। ସେମାନଙ୍କୁ ମଧ୍ୟରୁ ୧୧୪ ଜଣ ଦୋଷୀ ଓ ୫୫୧ ଜଣ ବିଚାରାଧୀନ କଏଦୀ। ସେମାନଙ୍କର ୩୬ ଜଣ ପିଲା ମଧ୍ୟ ଅଛନ୍ତି। ବିଧାନସଭାରେ ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ଚରଣ ମାଝୀଙ୍କ ଲିଖିତ ପ୍ରଶ୍ନର ଉତ୍ତରରେ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଟୁକୁନି ସାହୁ ଏହି ସୂଚନା ଦେଇଛନ୍ତି।

ମହିଳା କଏଦୀଙ୍କ ସାମାଜିକ ସୁରକ୍ଷା ସମ୍ପର୍କରେ ମନ୍ତ୍ରୀ ଜଣାଇଛନ୍ତି ଯେ ମମତା, ବିଧବା ପେନ୍‌ସନ୍‌, ବାର୍ତ୍ତକ୍ୟ ଭତ୍ତା, ବିକଳାଙ୍ଗ ଭତ୍ତା ଆଦି ସରକାରୀ ଯୋଜନା ଜେଲ୍‌ ବିଭାଗରେ କାର୍ଯ୍ୟକାରୀ ହୁଏ ନାହିଁ। ଜେଲ୍‌ରେ ବନ୍ଦୀ ଜୀବନ ବିତାଇ ମୁକୁଳିବା ପରେ ସେହି ମହିଳା କଏଦୀମାନଙ୍କର ଥଇଥାନ ପାଇଁ ସରକାରଙ୍କ ତରଫରୁ ସେମାନଙ୍କୁ ଆର୍ଥିକ ସହାୟତା ପ୍ରଦାନ କରାଯାଇଥାଏ। ଦାରିଦ୍ର୍ୟ ସୀମାରେଖା ତଳେ ଥିବା ମହିଳା ବନ୍ଦୀଙ୍କୁ ଆର୍ଥିକ ସହାୟତା ଦିଆଯାଏ। ଜେଲ୍‌ରୁ ବାହାରିଲା ପରେ ସେମାନେ ଯଦି ଇଚ୍ଛା ପ୍ରକାଶ କରିବେ, ତେବେ ସେମାନଙ୍କର ସାମୂହିକ ଥଇଥାନ ପାଇଁ ସେମାନଙ୍କୁ ନାରୀ ସେବା ସଦନରେ ରଖାଯାଇ ସେମାନଙ୍କର ଦକ୍ଷତା ବିକାଶ କରିବା ତଥା ଜୀବିକା ନିର୍ବାହ କରିବା ପାଇଁ ତାଲିମ୍‌ ଦିଆଯାଇଥାଏ। ଜେଲ୍‌ରେ ଥିବା ଅନ୍ତେବାସିନୀଙ୍କର ପିଲାମାନଙ୍କ ଶିକ୍ଷା ଦାନ ପାଇଁ ବାଳ ବିକାଶ କମିଟି (ସିଡବ୍ଲ୍ୟୁସି) ସାହାଯ୍ୟରେ ସେମାନଙ୍କର ଶିକ୍ଷାଦାନର ବ୍ୟବସ୍ଥା କରାଯାଉଛି।

ସମ୍ବନ୍ଧିତ ଖବର