ଚମକପୁର : ଚମ୍ପୁଆ ରେଞ୍ଜ ବାମେବାରୀ ସେକ୍ସନରେ ୬୭ଟି ହାତୀ ଅଛନ୍ତି। ଆଜି ହାତୀପଲଙ୍କ ଗତିବିଧି ଉପରେ ନଜର ରଖିବାକୁ ଥର୍ମାଲ ଡ୍ରୋନ୍ କ୍ୟାମେରା ଉଡ଼ିଛି। ଏ ନେଇ ହାତୀ ପ୍ରେମୀ ମାନଙ୍କ ମଧ୍ୟରେ ଆନନ୍ଦ ଦେଖା ଦେଇଛି।
ପ୍ରାପ୍ତ ସୂଚନା ମୁତାବକ, କେନ୍ଦୁଝର ଜିଲ୍ଲା ଚମ୍ପୁଆ ଅଞ୍ଚଳରେ ବଣୁଆ ହାତୀଙ୍କ ସର୍ବଦା ଚଳପ୍ରଚଳ ରହିଛି । ଏହି ରେଞ୍ଜକୁ ଝାଡ଼ଖଣ୍ଡ ରାଜ୍ୟ, ମୟୂରଭଞ୍ଜ ଜିଲ୍ଲା ଓ ସୁନ୍ଦରଗଡ଼ ଜିଲ୍ଲା ଲାଗି ରହିଛି। ଫଳରେ ବର୍ଷ ତମାମ ହାତୀ ରହିଥାନ୍ତି । ତେଣୁ ହାତୀର ଗତିବିଧି ଉପରେ କଡ଼ା ନଜର ରଖିବା ପାଇଁ ଦୈନିକ ବିଭାଗୀୟ ପକ୍ଷରୁ ମାଇକିଂ, ଫୁଟ୍ ପାଟ୍ରୋଲିଂ, ହ୍ବାଟସଅପ ମେସେଜ ଇତ୍ୟାଦି ଅନେକ କାର୍ଯ୍ୟ ହାତକୁ ନିଆ ଯାଇଛି । ତଥାପି ବିଭିନ୍ନ ସମୟରେ ରାଜପଥ ହେଉ କିମ୍ବା ରେଲୱେ ଟ୍ରାକ୍ ଦେଇ ରାତିରେ ଯାଉଥିବା ହାତୀପଲ ଅସୁବିଧାରେ ପଡିଥାନ୍ତି । ଏ ନେଇ ବନ ବିଭାଗ ପକ୍ଷରୁ ହାତୀର ଗତିବିଧି ଉପରେ ନୂଆ ନୂଆ ଉଦ୍ୟମ ଗ୍ରହଣ କରାଯାଉଛି । ବିଶେଷ କରି ରାତିରେ ହାତୀ ଗତିବିଧି ଜଣା ପଡୁ ନ ଥିଲା। ସେଥିପାଇଁ ଆଉ ଏକ ନୂଆ ଉଦ୍ୟମ ଭାବେ ଆଜକୁ କିଛି ଦିନ ହେବ ରାତିରେ ହାତୀ ଗତିବିଧି ସମ୍ପର୍କରେ ଜାଣିବା ପାଇଁ ଥର୍ମାଲ ଡ୍ରୋନ୍ ବ୍ୟବହାର କରାଯାଉଛି । ଏହା ଯୋଗୁଁ ରାତିରେ ମଧ୍ୟ ଜଙ୍ଗଲରେ ଥିବା ହାତୀ ଓ ଅନ୍ୟ ବନ୍ୟଜନ୍ତୁ ଙ୍କ ର ଗତିବିଧି ଜଣା ପଡୁଥିବା କେନ୍ଦୁଝର ଡିଏଫ୍ଓ ଏଚ.ଡି ଧନରାଜ୍ ସୂଚନା ଦେଇଛନ୍ତି।
କହିଛନ୍ତି କି , ରାତିରେ ଜଙ୍ଗଲ ମଧ୍ୟରେ ୫୦ ମିଟର ଦୂରରେ ହାତୀ ଥିଲେ ଦେଖା ଯାଉ ନାହାନ୍ତି। ତେବେ ଡ୍ରୋନ ମାଧ୍ୟମରେ ଜଣା ପଡୁଛି କି ଦଳ ରେ କେତୋଟି ହାତୀ ଅଛନ୍ତି, କେତେ ଛୁଆ ଏବଂ ହାତୀପଲ କୁଆଡ଼େ ଗତି କରୁଛନ୍ତି ତାହା ଜଣା ପଡୁଛି। ହାତୀପଲ ଯଦି ରେଲୱେ ଟ୍ରାକ ଅଭିମୁଖେ ଯାଉଛନ୍ତି। ତେବେ ଡ୍ରୋନ ମାଧ୍ୟମରେ ହାତୀକୁ ଅନ୍ୟ ମୁହାଁ କରାଯାଇ ପାରୁଛି। ରାତିରେ ଜଙ୍ଗଲରେ ଶିକାରୀ ଗତିବିଧି ମଧ୍ୟ ଜଣା ପଡୁଛି। ଏହି ଥର୍ମାଲ ଡ୍ରୋନଟି ରାଜ୍ୟରେ ପ୍ରଥମ ହୋଇଥିବା ବେଳେ ପ୍ରଥମ ଥର ପାଇଁ ଚମକପୁର ଜଙ୍ଗଲରେ କିଛି ଦିନ ପୂର୍ବରୁ ଥିବା ଅସୁସ୍ଥ ଥିବା ଏକ ଦନ୍ତା ହାତୀଟିର ଗତିବିଧି ଉପରେ ବ୍ୟବହାର କରାଯାଇଥିଲା। ପରେ କେନ୍ଦୁଝର ଡିଏଫ୍ଓ ଏଚ.ଡି ଧନରାଜ୍ ଙ୍କ ନିର୍ଦ୍ଦେଶକ୍ରମେ ଚମ୍ପୁଆ ରେଞ୍ଜ ଅଞ୍ଚଳର ବିଭିନ୍ନ ସେକ୍ସନ ଯଥା ବାଲିବନ୍ଧ, ବାମେବାରି , ଚମ୍ପୁଆ ଅଞ୍ଚଳରେ ଥିବା ହାତୀପଲଙ୍କ ଗତିବିଧିକୁ ଥର୍ମାଲ ଡ୍ରୋନ ମାଧ୍ୟମରେ ନଜର ରଖା ଯାଉଥିବା ଚମ୍ପୁଆ ଡେପୁଟି ରେଞ୍ଜର ସଞ୍ଜୀବ ରାଉତ ପ୍ରକାଶ କରିଛନ୍ତି।
ଆଜି ଚମ୍ପୁଆ ରେଞ୍ଜ ଅଞ୍ଚଳରେ ସମୁଦାୟ ୬୭ ଟି ହାତୀ ରହିଥିବା ବେଳେ ବାଲିବନ୍ଧ ସେକ୍ସନରେ ୧୯ ଟି, ବାମେବାରୀ ସେକ୍ସନରେ ୪୭ ଟି ଓ ଚମ୍ପୁଆ ସେକ୍ସନ ରେ ଗୋଟିଏ ଦନ୍ତା ହାତୀ ରହିଥିବା ବନ ବିଭାଗ ସୂତ୍ରରୁ ଜଣାପଡ଼ିଛି। ବାମେବାରୀରେ ଏତେ ସଂଖ୍ୟକ ହାତୀ ଦୁଇଟି ଦଳରେ ରହିଥିବା ବେଳେ ଏହି ଥର୍ମାଲ ଡ୍ରୋନ ମାଧ୍ୟମରେ ଆଜି ନଜର ରଖା ଯାଉଥିବା ରେଞ୍ଜର ଶ୍ରୀ ରାଉତ କହିଛନ୍ତି।