ସୋନପୁର/ବୀରମହାରାଜପୁର: ବୁଧବାର ସୁବର୍ଣ୍ଣପୁର ଜିଲ୍ଲା ଅବକାରୀ ବିଭାଗ ମୋବାଇଲ ଟିମ୍ ୬୭ କେଜି ଗଞ୍ଜେଇ ଜବତ କରିବା ସହ ୨ ଜଣ ଅନ୍ତଃରାଜ୍ୟ ଗଞ୍ଜେଇ ମାଫିଆଙ୍କୁ ଗିରଫ କରିଛି। ବିଭାଗ ସୂତ୍ରରୁ ପ୍ରକାଶ, ବୌଦ୍ଧ ଜିଲ୍ଲା ମନମୁଣ୍ଡା ଦିଗରୁ ଏକ କାର (ଡବ୍ଲୁବି-୦୬ସି-୫୨୭୧)ରେ ସୋନପୁର ଦେଇ ପଶ୍ଚିମବଙ୍ଗକୁ ଗଞ୍ଜେଇ ଚୋରା ଚାଲାଣ ହେଉଥିବା ଖବରପାଇ ସୋନପୁର ବ୍ଲକ ଛକରେ ଅବକାରୀ ବିଭାଗ ଟିମ୍ ଛକି ରହିଥିଲା। ଟିମକୁ ଦେଖି କାରଟି ହିକୁଡ଼ି ଦେଇ ବୀରମହାରାଜପୁର ଦିଗକୁ ପଳାଇବାକୁ ଉଦ୍ୟମ କରୁ ଥିଲା।

Advertisment

ତେବେ ଧର୍ମଶାଳା ନିକଟରେ ଅବକାରୀ ବିଭାଗ ଟିମ୍ ହାତରେ ଧରା ପଡ଼ିଥିଲା। ଯାଞ୍ଚ ସମୟରେ ଗାଡ଼ିରୁ ୬୭କେଜି ଗଞ୍ଜେଇ ବାହାରିଥିଲା। ଏହି ଘଟଣାରେ ଅବକାରୀ ବିଭାଗ ପଶ୍ଚିମବଙ୍ଗ ଦକ୍ଷିଣ ଚବିଶପ୍ରଗଣା ଜିଲ୍ଲା ବରୁଇପୁର ଥାନା ଚମ୍ପାବତୀ ରୋଡ୍ (ଖ୍ରୀଷ୍ଟିଆନପଡ଼ା)ର ବବଲୁ ଶେଖ(୩୩) ଏବଂ ତିଲଜଲା ଜିଲ୍ଲା ୧୩-ସାପଗାଛିର ମହମ୍ମଦ ଆରାଫତ(୨୭)କୁ ଗିରଫ କରି କୋର୍ଟଚାଲାଣ କରିଛି। ଏ ନେଇ ୨୭/୨୦୨୩ରେ ଏକ ମାମଲା ରୁଜୁ କରିଛି ଜିଲ୍ଲା ଅବକାରୀ ପୁଲିସ। ଦୁଇ ଅଭିଯୁକ୍ତଙ୍କ ଜାମିନ ନାମଞ୍ଜୁର ହେବାରୁ ତାଙ୍କୁ ବିଭାଗୀୟ ହାଜତକୁ ପଠାଯାଇଛି। ଅବକାରୀ ଏସପି ସୁମତି ତ୍ରିପାଠୀଙ୍କ ନିର୍ଦ୍ଦେଶରେ ଅବକାରୀ ଇନ୍ସପେକ୍ଟର ପ୍ରକାଶ ସା’ଙ୍କ ନେତୃତ୍ବରେ ଏହି ଚଢ଼ଉ ହୋଇଥିଲା। ଏଥିରେ ଏସଆଇ ସୁଧୀର ମିଶ୍ର, ଏସଆଇ ବଲବୀର ଗଡ଼ନାୟକ, ଏଏସଆଇ ପୃଥ୍ବୀରାଜ କହଁର, ଏଏସଆଇ ଡୋଳାମଣି ପ୍ରଧାନ ପ୍ରମୁଖ ସାମିଲ ଥିଲେ।