ପ୍ରବାସୀ ଫେରିବା ପୂର୍ବରୁ ତନାଘନା, ଆଠ ଦଶଦିନ ପରର ସ୍ଥିତି ଦେଖି ପ୍ରସ୍ତୁତ ରୁହ

କାର୍ଡ ନ ଥିଲେ ବି ରାସନ୍ ସାମଗ୍ରୀ ପାଇବେ, ପ୍ରବାସୀ ଓଡ଼ିଆଙ୍କ ୧୪ ଦିନର ଖର୍ଚ୍ଚ ବହନ କରିବେ ସରକାର

ଭୁବନେଶ୍ବର: କୋଭିଡ୍-୧୯ ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତି ପାଇଥିବା ୨୨ ବରିଷ୍ଠ ଆଇଏଏସ୍ ଅଫିସରଙ୍କୁ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସ୍ପଷ୍ଟ ଭାବେ ଜଣାଇ ଦେଇଛନ୍ତି ଯେ ଏବେ ମୂଳ ନିଯୁକ୍ତି ବା ଦାୟିତ୍ବ ସେମାନଙ୍କର ପ୍ରାଥମିକତା ନୁହେଁ। କୋଭିଡ୍-୧୯ ପର୍ଯ୍ୟବେକ୍ଷକ ଭାବେ ସେମାନଙ୍କୁ ଦିଆଯାଇଥିବା ନିଯୁକ୍ତି ବି ଅତିରିକ୍ତ ଦାୟିତ୍ବ ବୋଲି ସେମାନେ ଭାବନ୍ତୁ ନାହିଁ। ବରଂ ଏହାକୁ ମୁଖ୍ୟ ଦାୟିତ୍ବ ଭାବି କାର୍ଯ୍ୟ କରନ୍ତୁ।

ଆଜି ଭିଡ଼ିଓ କନଫରେନ୍ସିଂ ଯୋଗେ ନବୀନ କୋଭିଡ଼୍‌-୧୯ ସଂକ୍ରାମକ ରୋଗ ନିୟନ୍ତ୍ରଣ ସଂପର୍କରେ ବରିଷ୍ଠ ଅଧିକାରୀ ଓ ବିଭିନ୍ନ ଜିଲ୍ଲା ପାଇଁ ନିଯୁକ୍ତ ପର୍ଯ୍ୟବେକ୍ଷକଙ୍କ ସହିତ ସ୍ଥିତି ସମୀକ୍ଷା କରିଥିଲେ। ଆସନ୍ତା ୮-୧୦ ଦିନର ଦୃଶ୍ୟପଟ୍ଟକୁ ସାମ୍ନାରେ ରଖି ପରିସ୍ଥିତିର ମୁକାବିଲା କରିବା ପାଇଁ ପ୍ରସ୍ତୁତ ରହିବାକୁ ଏହି ଅବସରରେ ସତର୍କ କରିଦିଆଯାଇଥିଲା। ମୁଖ୍ୟମନ୍ତ୍ରୀ ଆଜି ସ୍ପଷ୍ଟ କରିଥିଲେ ଯେ ଓଡ଼ିଶାକୁ ଫେରୁଥିବା ସବୁ ଯୋଗ୍ୟ ଶ୍ରମିକମାନେ ଯେପରି ଖାଦ୍ୟ ସୁରକ୍ଷାରୁ ବଞ୍ଚିତ ନ ହୁଅନ୍ତି, ତାହା ନିଶ୍ଚିତ ହେବା ଦରକାର। ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ବା ରାଜ୍ୟ ସରକାରଙ୍କ ଖାଦ୍ୟ ସୁରକ୍ଷା ଆଇନରେ ରାସନ କାର୍ଡ ଥାଉ ବା ନ ଥାଉ ଏହି ଶ୍ରମିକ ଓ ତାଙ୍କ ପରିବାର ଯେପରି ରାସନ ପାଇବାରେ କୌଣସି ଅସୁବିଧାର ସମ୍ମୁଖୀନ ନ ହୁଅନ୍ତି, ସେଥିପ୍ରତି ପର୍ଯ୍ୟବେକ୍ଷକମାନେ ଦୃଷ୍ଟି ଦେବେ।

ପ୍ରବାସୀ ଶ୍ରମିକ ଫେରିବା ପୂର୍ବରୁ ଗ୍ରାମପଞ୍ଚାୟତସ୍ତରରେ ଅଧିକ ସୁବିଧା ସୁଯୋଗର ବିକାଶ ଉପରେ ଗୁରୁତ୍ବ ଦେଇଥିଲେ ମୁଖ୍ୟମନ୍ତ୍ରୀ। କହିଥିଲେ ଯେ ସଙ୍ଗରୋଧ ସ୍ଥଳ ସହିତ ଅନ୍ୟାନ୍ୟ ସୁବିଧାକୁ ପ୍ରାଥମିକତା ଦିଆଯିବା ଉଚିତ୍। ମହାତ୍ମାଗାନ୍ଧୀ ଜାତୀୟ ଗ୍ରାମ୍ୟ ନିଶ୍ଚିତ କର୍ମନିଯୁକ୍ତି ଯୋଜନାକୁ ଲକ୍ଷ୍ୟଭିତ୍ତିକ କରିବା ଆବଶ୍ୟକ। ବର୍ତମାନ ଦୈନିକ ୫ଲକ୍ଷ ମାନବ ଦିବସ ସୃଷ୍ଟି କରାଯାଉଛି। ଏହାକୁ ଦୁଇଗୁଣ କରି ଆସନ୍ତା ସପ୍ତାହ ସୁଦ୍ଧା ୧୦ଲକ୍ଷ ମାନବ ଦିବସକୁ ବୃଦ୍ଧି କରାଯିବ। ସେହିପରି ଜଙ୍ଗଲ ବିଭାଗ ତୁରନ୍ତ ଶ୍ରମଭିତ୍ତିକ କାର୍ଯ୍ୟ ଆରମ୍ଭ କରିବା ସହିତ କେନ୍ଦୁପତ୍ର କର୍ମଚାରୀଙ୍କ ଜୀବନ ଜୀବିକା ପ୍ରତି ଦୃଷ୍ଟି ଦେବାକୁ ଅଧିକାରୀମାନଙ୍କୁ କୁହାଯାଇଥିଲା। ମୁଖ୍ୟମନ୍ତ୍ରୀ କହିଥିଲେ ଯେ କୋଭିଡ୍-୧୯ ପାଇଁ ମୁତୟନ ହୋଇଥିବା ସମସ୍ତ କର୍ମଚାରୀ ଜଣେ ଜଣେ ଯୋଦ୍ଧା। ଡାକ୍ତର, ସ୍ବାସ୍ଥ୍ୟକର୍ମୀ, ପୁଲିସ, ଆଶା କର୍ମୀ, ଅଙ୍ଗନବାଡି କର୍ମୀ ଏବଂ ଅନ୍ୟ କର୍ମଚାରୀମାନଙ୍କ ପାଇଁ ୫୦ଲକ୍ଷ ଟଙ୍କାର ଅନୁକମ୍ପାମୂଳକ ସହାୟତା ଘୋଷଣା ହୋଇଛି। ଏ ନେଇ ସଂପକ୍ତ କର୍ମଚାରୀଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ଦାୟିତ୍ବ ମଧ୍ୟ ପର୍ଯ୍ୟବେକ୍ଷକମାନଙ୍କର। ସରକାର ଆଜି କହିଥିଲେ ଯେ ରାଜ୍ୟ ବାହାରୁ ଅନେକ ଶ୍ରମିକ ‌େଫରିବାର ସମ୍ଭାବନା ରହିଛି। ଏହାକୁ ଦୃଷ୍ଟିରେ ରଖି ବହୁ ପରିମାଣରେ ନମୁନା ପରୀକ୍ଷା କରିବାକୁ ହେବ। ଯେତେ ଶୀଘ୍ର ପରୀକ୍ଷା ହେବ, ସେତେ ଭଲ ହେବ। ଏଣୁ ଆଇସିଏମଆର ଦ୍ବାରା ସ୍ବୀକୃତି ପ୍ରାପ୍ତ ଘରୋଇ ପରୀକ୍ଷାଗାର ବ୍ୟବହାର କରିବା ସହିତ ନମୁନା ପରୀକ୍ଷାକୁ ୧୫ହଜାରକୁ ବୃଦ୍ଧି କରିବା ଲାଗି ଆବଶ୍ୟକ ପଦକ୍ଷେପ ନେବା ପାଇଁ ନବୀନ ନିର୍ଦେଶ ଦେଇଥିଲେ। ଏହି ଆଲୋଚନାରେ ମୁଖ୍ୟଶାସନ ସଚିବ, ଉନ୍ନୟନ କମିସନର, ପୁଲିସ ମହାନିର୍ଦେଶକ, ସ୍ବାସ୍ଥ୍ୟ ବିଭାଗ ଦାୟିତ୍ବରେ ଥିବା ଅତିରିକ୍ତ ମୁଖ୍ୟ ସଚିବ, ମୁଖ୍ୟମନ୍ତ୍ରୀଙ୍କ ସଚିବ (୫ଟି) ଓ ଅନ୍ୟମାନେ ଉପସ୍ଥିତ ଥିଲେ।

ପଞ୍ଚାୟତିରାଜ, ନଗର ଉନ୍ନୟନ ବିଭାଗକୁ ଚିଠି ଲେଖିଲେ ଏସ୍‌ଆର୍‌ସି
୩୦୦ ଟଙ୍କାର ସ୍ବଚ୍ଛତା କିଟ୍‌, ଖାଇବା ବାବଦକୁ ଦିନକୁ ୧୨୦ ଟଙ୍କା

ଭୁବନେଶ୍ବର: ପ୍ରବାସୀଙ୍କୁ ଆଣିବା ପାଇଁ ସରକାରୀ ସ୍ତରରେ ଜୋର୍‌ଦାର୍‌ ପ୍ରସ୍ତୁତି ଚାଲିଛି। ଲକ୍‌ ଡାଉନ୍ ଉଠିଲା ପରେ ସେମାନଙ୍କ ଆସିବା ଆରମ୍ଭ ହେବ। ସେମାନେ ସିଧାସଳଖ ଘରକୁ ନ ଯାଇ ୧୪ ଦିନ ସଙ୍ଗରୋଧରେ ରହିବେ। ଏହାକୁ ବାଧ୍ୟତାମୂଳକ କରାଯାଇଛି। ଏହି ସମୟରେ ସେମାନଙ୍କ ସମସ୍ତ ଖର୍ଚ୍ଚ ସରକାର ବହନ କରିବେ। କେଉଁ ବାବଦକୁ କେତେ ଖର୍ଚ୍ଚ ହେବ, ତାହାର ଏକ ତାଲିକା ଆଜି ସରକାର ପ୍ରସ୍ତୁତ କରିଛନ୍ତି। ଗ୍ରାମାଞ୍ଚଳ ଓ ସହରାଞ୍ଚଳରେ ନି‌େୟାଜିତ ପ୍ରତିନିଧିମାନେ (ସରପଞ୍ଚ/ୱାର୍ଡ ଅଫିସର) ଖର୍ଚ୍ଚ କରିବେ। ଆଜି ଏସ୍‌ଆର୍‌ସି ପ୍ରଦୀପ କୁମାର ଜେନା ଏ ସମ୍ପର୍କରେ ପଞ୍ଚାୟତିରାଜ ଓ ନଗର ଉନ୍ନୟନ ବିଭାଗକୁ ଅବଗତ କରାଇଛନ୍ତି। ପ୍ରବାସୀମାନଙ୍କ ରହିବା ପାଇଁ ବହୁ ସଂଖ୍ୟାରେ ଅସ୍ଥା‌ୟୀ ମେଡିକାଲ ଶିବିର/ସଙ୍ଗରୋଧ କେନ୍ଦ୍ର ଖୋଲାଯିବ। ଏଠାରେ ରହୁଥିବା ଜଣେ ବୟସ୍କ ବ୍ୟକ୍ତିଙ୍କ ପାଇଁ ଖାଇବା ଖର୍ଚ୍ଚ ୧୨୦ ଟଙ୍କା ରଖାଯାଇଥିଲା ବେଳେ ପିଲାଙ୍କ(୧୪ ବର୍ଷରୁ କମ୍) ପାଇଁ ଜଣ ପିଛା ୧୦୦ ଟଙ୍କା ରଖାଯାଇଛି। ପ୍ରତ୍ୟକ ଦିନ ସକାଳ ୮ଟାରୁ ୯ଟା ମଧ୍ୟରେ ଜଳଖିଆ , ମଧ୍ୟାହ୍ନ ୧୨ଟା ୩୦ରୁ ୨ ଟା ମଧ୍ୟରେ ମଧ୍ୟାହ୍ନ ଭୋଜନ, ସଂଧ୍ୟାରେ ଚା ଓ ବିସ୍କୁଟ୍ ଏବଂ ସାଢେ ୭ଟାରୁ ୯ଟା ମଧ୍ୟରେ ରାତ୍ରି ଭୋଜନ ଯୋଗାଇ ଦିଆଯିବ

ଏହା ସହ ପ୍ରତ୍ୟେକ ବ୍ୟକ୍ତିଙ୍କୁ ୩୦୦ ଟଙ୍କାର ଏକ ସ୍ବଚ୍ଛତା କିଟ୍‌ ଦିଆଯିବ। ଏହି କିଟ୍‌ରେ ଦାନ୍ତ ଘଷା ବ୍ରସ ଠାରୁ ଆରମ୍ଭ କରି ସାବୁନ, ତେଲ, ମାସ୍କ , ସାନିଟାଇଜର, ମଗ୍, ବାଲଟି ଆଦି ରହିବ। ପ୍ରତ୍ୟେକ ଖଟ ପାଇଁ ଦୁଇଟି ବେଡ୍‌ସିଟ୍‌ ଓ ଦୁଇଟି ତକିଆ ଯୋଗାଇ ଦିଆଯିବ। ଏହାକୁ ଭଡ଼ାରେ ଆଣିବାକୁ ଗୁରୁତ୍ବ ଦିଆଯିବ। ଭଡ଼ାରେ ଆଣିଲେ, ତାହାର ଖର୍ଚ୍ଚ ଏସ୍‌ଡିଆର୍‌ଏଫ୍‌ରୁ ବହନ କରାଯିବ। ଯେଉଁଠି ଏହା ଭଡ଼ାରେ ନ ମିଳିବ, ସେଠାରେ କିଣାଯିବ। ଏହି କିଣା ବାବଦକୁ ଅର୍ଥ ପଞ୍ଚାୟତିରାଜ ବିଭାଗ କିମ୍ବା ନଗର ଉନ୍ନୟନ ବିଭାଗର ଅନ୍ୟ ଯୋଜନାରୁ ଯୋଗାଇ ଦିଆଯିବ। ଅସ୍ଥା‌ୟୀ ମେଡିକାଲ ଶିବିର/ସଙ୍ଗରୋଧ କେନ୍ଦ୍ରଗୁଡ଼ିକର ପରିମଳ ଓ ସୁରକ୍ଷା ବ୍ୟବସ୍ଥା ପ୍ରତି ମଧ୍ୟ ଗୁରୁତ୍ବ ଦିଆଯାଉଛି। ଏ ଦିଗରେ ମଧ୍ୟ ଆର୍ଥିକ ବ୍ୟବସ୍ଥା କରାଯାଇଛି। ପରିମଳ, ସୁରକ୍ଷା ବାବଦକୁ ଗୋଟିଏ କେନ୍ଦ୍ରରେ ଅତି ବେଶିରେ ୨୦୦୦ ଟଙ୍କା ଖର୍ଚ୍ଚ ହେବ।  ପ୍ରତି ଶିବିରରେ ଯାହା ଖର୍ଚ୍ଚ ହେବ, ତାହାକୁ ଏକ ସ୍ବତନ୍ତ୍ର ରେଜିଷ୍ଟର୍‌ କରି ଲେଖାଯିବ। ପ୍ରତି ଜିଲ୍ଲାର ‌ଅଫିସିଆଲ୍‌ ୱେବ୍‌ସାଇଟ୍‌ରେ ଶିବିରରେ ରହୁଥିବା ଲୋକଙ୍କ ତଥ୍ୟ ରହିବ। ପରିମଳ, ରକ୍ଷଣାବେକ୍ଷଣ ଆଦି କାର୍ଯ୍ୟରେ ନିୟୋଜିତ ହେଉଥିବା ଲୋକଙ୍କର ଏକ ରେକର୍ଡ ମଧ୍ୟ ଠିକ୍ ଭାବେ ରଖାଯିବାକୁ ଏସ୍‌ଆର୍‌ସି କହିଛନ୍ତି। ଉଭୟ ସହରାଞ୍ଚଳ ଓ ଗ୍ରାମାଞ୍ଚଳରେ ସମାନ ଢାଞ୍ଚାରେ ଅସ୍ଥା‌ୟୀ ମେଡିକାଲ ଶିବିର/ସଙ୍ଗରୋଧ କେନ୍ଦ୍ରଗୁଡ଼ିକୁ ପରିଚାଳନା କରାଯିବ।

ସମ୍ବନ୍ଧିତ ଖବର