ରାୟଗଡ଼ା: ରାୟଗଡ଼ା ଜିଲ୍ଲା ଅବକାରୀ ଏବଂ ରେଳବାଇ ପୁଲିସ ପକ୍ଷରୁ ଆଜି ମିଳିତ ଭାବେ ରାୟଗଡା ଓ ମୁନିଗୁଡା ରେଳବାଇ ଷ୍ଟେସନ ଅଞ୍ଚଳରେ ଚଢ଼ାଉ ହୋଇଥିଲା | ଏହି ସମୟରେ ବାହାର ରାଜ୍ୟକୁ ଚୋରା ଚାଲାଣ ପାଇଁ ଉଦ୍ୟମ କରାଯାଉଥିବା ପାଖାପାଖି ୬୮ କେଜି ଗଞ୍ଜେଇ ଜବତ ସହ ସମ୍ପୃକ୍ତ ୫ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିବା ନେଇ ଜିଲ୍ଲା ଅବକାରୀ ଅଧିକ୍ଷକ ସନ୍ତୋଷ କୁମାର ଧଳସାମନ୍ତ ସୂଚନା ଦେଇଛନ୍ତି |
ସୂଚନାଯୋଗ୍ୟ, ମୁନିଗୁଡାରୁ ୪୫ କେଜି ଓ ରାୟଗଡାରୁ ୨୩ କେ ଜି ଜବତ ହୋଇଥିବା ସୂଚନା ମିଳିଛି I ଜବତ ଗଞ୍ଜେଇର ଆନୁମାନିକ ବଜାର ମୂଲ୍ୟ ୬ ଲକ୍ଷ ପଚାଶ ହଜାର ଟଙ୍କାରୁ ଉର୍ଦ୍ଧ ହେବ ବୋଲି କୁହାଯାଇଛି |
ବୁଧବାର ରାୟଗଡ଼ା ରେଳବାଇ ଷ୍ଟେସନ ଓ ମୁନିଗୁଡାରୁ ଟ୍ରେନ ଯୋଗେ ଗଞ୍ଜେଇ ଚୋରା ଚାଲାଣ ପାଇଁ ଅଭିଯୁକ୍ତମାନେ ଉଦ୍ୟମ କରୁଥିବା ବେଳେ ଅବକାରୀ ପୁଲିସ ହାବୁଡ଼ରେ ଧରା ପଡିଯାଇ୍ଥିଲେ | ଆଜିର ଏହି ଚଢ଼ାଉ ବେଳେ ଅବକାରୀ ପୁଲିସ ସଞ୍ଜୟ ପ୍ରଧାନ, କମ୍ବୁପାଣି ସିନ୍ଦୁର, ପଙ୍କଜ ନାୟକଙ୍କ ସମେତ ରେଳବାଇ ପୁଲିସ ସୁରକ୍ଷା ବଳ (ଆରପିଏଫ )ର ଏଏସଆଇ ଓ ଅନ୍ୟ କର୍ମଚାରୀ ଉପସ୍ଥିତ ଥିଲେ | ଉଭୟ ଘଟଣାର ତଦନ୍ତ ଚାଲିଥିବା ସନ୍ତୋଷ କୁମାର ଧଳ ସାମନ୍ତ ସୂଚନା ଦେଇଛନ୍ତି।