ନବରଙ୍ଗପୁର: ଅପପୁଷ୍ଟି ଦୂରୀକରଣ ନିମନ୍ତେ ଯୋଜନା କାର୍ଯ୍ୟକାରୀ ହୋଇଥିଲେ ସୁଦ୍ଧା ନବରଙ୍ଗପୁର ଜିଲ୍ଲାରେ ବିଶେଷ ଫରକ ଦେଖିବାକୁ ମିଳିନି। ଜିଲ୍ଲାରେ ୬୮୧ଜଣ ଶିଶୁ ଅତିଶୟ କୁପୋଷଣର ଶିକାର। ସେଥିମଧ୍ୟରୁ ୬ ମାସରୁ ୩ବର୍ଷ ମଧ୍ୟରେ ୪୪୪ଜଣ ଶିଶୁ ରହିଛନ୍ତି। ସେହିପରି ୩ ବର୍ଷରୁ ୫ ବର୍ଷ ମଧ୍ୟରେ ୨୩୭ଜଣ ଶିଶୁ ରହିଛନ୍ତି। ଏହାବ୍ୟତୀତ ୫ହଜାରରୁ ଅଧିକ ପୁଷ୍ଟିହୀନ ଶିଶୁଙ୍କୁ ଚିହ୍ନଟ କରାଯାଇଛି। କେନ୍ଦ୍ର ମହିଳା ଓ ଶିଶୁ ବିକାଶ ରାଷ୍ଟ୍ର ମନ୍ତ୍ରୀଙ୍କ ନବରଙ୍ଗପୁର ଜିଲ୍ଲା ଗସ୍ତ ସମୟରେ କୁପୋଷଣର ଶିକାର ଶିଶୁଙ୍କ ସଂଖ୍ୟା ନେଇ ସାଂଘାତିକ ଖୁଲାସା ହୋଇଥିଲା। ଆଇସିଡିଏସ୍ ପକ୍ଷରୁ ଦିଆଯାଇଥିବା ତଥ୍ୟ ଅନୁସାରେ ଜିଲ୍ଲାର ମୋଟ ୨୩୩୦ ଅଙ୍ଗନୱାଡି କେନ୍ଦ୍ରରେ ୧୩,୫୦୬ ଜଣ ଗର୍ଭବତୀ, ୭୧୨୫ ଜଣ ପ୍ରସୂତି, ୬ ମାସରୁ ୩ ବର୍ଷ ମଧ୍ୟରେ ୬୦,୬୧୬ ଜଣ ଶିଶୁ, ୩ ବର୍ଷରୁ ୫ ବର୍ଷ ମଧ୍ୟରେ ୫୧,୯୬୮ ଜଣ ଶିଶୁ ଓ ୫ବର୍ଷରୁ ୬ ବର୍ଷ ମଧ୍ୟରେ ୨୪,୦୮୭ ଜଣ ଶିଶୁଙ୍କୁ ଅନ୍ତର୍ଭୁକ୍ତ କରାଯାଇଛି। ସେଥିରୁ ୬ ମାସରୁ ୩ ବର୍ଷ ମଧ୍ୟରେ କମ୍ ଓଜନ ତଥା ପୁଷ୍ଟିହୀନତାରେ ଶିକାର ୨୮୦୩ ଜଣ ଶିଶୁ ରହିଛନ୍ତି। ୩ ବର୍ଷରୁ ୬ ବର୍ଷ ମଧ୍ୟରେ କମ୍ ଓଜନ ତଥା ଅପପୁଷ୍ଟିରେ ଶିକାର ହୋଇଥିବା ୨୭୦୯ ଜଣ ଶିଶୁ ରହିଛନ୍ତି। ୬ ମାସରୁ ୬ ବର୍ଷ ମଧ୍ୟରେ କମ୍ ଓଜନ ତଥା ଅପପୁଷ୍ଟିରେ ଶିକାର ହୋଇଥିବା ୫୫୧୨ ଜଣ ଶିଶୁ ଅଛନ୍ତି।
ମହିଳା ଓ ଶିଶୁ ବିକାଶ ବିଭାଗ ପକ୍ଷରୁ ଅପପୁଷ୍ଟିର ଶିକାର ହୋଇଥିବା ଶିଶୁଙ୍କୁ ଅଣ୍ଡା ଠାରୁ ଆରମ୍ଭ କରି ପାଚିଲା ଫଳ ଭଳି ପୁଷ୍ଟିକର ଖାଦ୍ୟ ଦିଆଯାଉଛି। ଅପପୁଷ୍ଟିରୁ ମୁକୁଳାଇବାକୁ ପନିପରିବା ଭଳି ବିଭିନ୍ନ ଖାଦ୍ୟ ଦେବା ପାଇଁ ଘରେ ଘରେ ସଚେତନ କରାଯାଉଛି। ଯାହାର ବିଶେଷ ପ୍ରଭାବ ନବରଙ୍ଗପୁର ଭଳି ଆଦିବାସୀ ଅଧ୍ୟୁଷିତ ଜିଲ୍ଲାରେ ପଡ଼ିନାହିଁ। ଗତ ୩ ମାସର ରିପୋର୍ଟକୁ ଦେଖିଲେ ଅଗଷ୍ଟରେ ୮୬୭ଜଣ କୁପୋଷଣରେ ଶିକାର ଶିଶୁ ରହିଥିଲେ। ସେପ୍ଟେମ୍ବର ମାସରେ ୭୬୦ ଜଣ ରହିଥିଲା ବେଳେ ଅକ୍ଟୋବରରେ ୬୮୧କୁ ଖସିଛି। ଅତିଶୟ କୁପୋଷଣର ଶିକାର ଶିଶୁଙ୍କୁ ପୁଣି ସାଧାରଣ ଅବସ୍ଥାକୁ ଫେରାଇ ଆଣିବା ପାଇଁ ମହିଳା ଓ ଶିଶୁ ବିକାଶ ବିଭାଗ ପକ୍ଷରୁ ସ୍ବତନ୍ତ୍ର ଧ୍ୟାନ ଦେବାର ବ୍ୟବସ୍ଥା ରହିଛି। ତଥାପି ସଚେତନତାର ଅଭାବ ଯୋଗୁ ଶିଶୁ ପୁଷ୍ଟିହୀନତା ଏବଂ ଅତିଶୟ କୁପୋଷଣର ଶିକାର ହେଉଛନ୍ତି। କେବଳ ଶିଶୁ ନୁହନ୍ତି ଗର୍ଭବତୀ ବି ରକ୍ତହୀନତା ଓ ଅପପୁଷ୍ଟିର ଶିକାର ହେଉଛନ୍ତି। ଡାକ୍ତରଖାନାକୁ ପ୍ରସବ ନିମନ୍ତେ ଆସିବା ବେଳକୁ ହିମୋଗ୍ଲୋବିନ ୫ରୁ ୭ ମଧ୍ୟରେ ରହୁଛି। ଯାହାଫଳରେ ପ୍ରସବ ସମୟରେ ଅସୁବିଧା ହେଉଛି। ସମୀକ୍ଷା ବୈଠକରେ କେନ୍ଦ୍ର ମନ୍ତ୍ରୀ ଏହି ତଥ୍ୟକୁ ନେଇ ଅସନ୍ତୋଷ ପ୍ରକାଶ କରିବା ସହ ଅପପୁଷ୍ଟିର ଶିକାର ଶିଶୁଙ୍କ ଘରକୁ ଯାଇ ସଚେତନ କରିବାକୁ ଗୁରୁତ୍ବାରୋପ କରିଥିଲେ।