ଡିଏମଏଫ ପରେ ଓମବାଡସି ବି ବାଟବଣା, ଆରମ୍ଭ ହୋଇପାରିନି ୬୮୪ ଅଙ୍ଗନବାଡ଼ି ଗୃହ କାମ

ସୁନ୍ଦରଗଡ଼/ଲେଫ୍ରିପଡା: ସୁନ୍ଦରଗଡ଼ରେ ଜିଲ୍ଲା ଖଣିଜ ପ୍ରତିଷ୍ଠାନ (ଡିଏମଏଫ) ପରେ ଓଡ଼ିଶା ଖଣି କ୍ଷେତ୍ରାଞ୍ଚଳ ଉନ୍ନୟନ ନିଗମ (ଓମବାଡସି) ବି ବାଟବଣା। ଜିଲ୍ଲାର ଅଙ୍ଗନବାଡ଼ି କେନ୍ଦ୍ର ଗୃହର ଉନ୍ନତି ବା ନବୀକରଣ ପାଇଁ ଯୋଗାଇ ଦିଆଯାଇଥିବା ଅର୍ଥର ବିନିଯୋଗ ଏହା ବୟାନ କରୁଛି। ଶୋଚନୀୟ ତଥା ବିପଦସଙ୍କୁଳ ଅବସ୍ଥାରେ ଥିବା ଜିଲ୍ଲାର ୨୫୦୧ ଅଙ୍ଗନବାଡ଼ି ଗୃହଗୁଡ଼ିକର ଉନ୍ନତି ବା ନବୀକରଣ ପାଇଁ କିଛି ମାସ ତଳେ ଓଡ଼ିଶା ଖଣି କ୍ଷେତ୍ରାଞ୍ଚଳ ଉନ୍ନୟନ ନିଗମ (ଓମବାଡସି) ଅର୍ଥ ଯୋଗାଇ ଦେଇଛି।

କାର୍ଯ୍ୟ ସମ୍ପାଦନ ପାଇଁ ବୀରମିତ୍ରପୁର, ରାଉରକେଲା ସହର, ରାଉରକେଲା ସିଭିଲ ଟାଉନସିପ୍ ଓ ରାଉରକେଲା ଶିଳ୍ପାଞ୍ଚଳରେ ଥିବା ୨୭ଟି କେନ୍ଦ୍ର ବ୍ୟତୀତ ଅନ୍ୟ ୨୪୧୪ ଟି କେନ୍ଦ୍ରର ଉନ୍ନତିକରଣ ପାଇଁ ୩ ଠିକା ସଂସ୍ଥାକୁ ଟେଣ୍ଡର ଦିଆଯାଇଛି। କିନ୍ତୁ ଆରମ୍ଭରୁ ସରକାରୀ ଅର୍ଥ ଚଳୁ କରିବାର ଫନ୍ଦି ବାଟ ବାହାର କରାଯାଇଥିବା ଦେଖାଯାଇଛି। ଗୋଟିଏ ଅଙ୍ଗନବାଡ଼ି ଗୃହ କାମ ତିନି ତିନିଟି ଠିକା ସଂସ୍ଥା କରୁଛନ୍ତି। ଟେଣ୍ଡରପ୍ରାପ୍ତ ମୂଳ ଠିକା ସଂସ୍ଥା ନିଜେ କାମ ନକରି ସ୍ବୟଂ ସହାୟିକା ଗୋଷ୍ଠୀ (ଏସଏଚଜି)କୁ କାମ ବାଣ୍ଟି ଦେଇଛି। କିନ୍ତୁ ଏସଏଚଜି ମଧ୍ୟ ନିଜେ କାମ କରୁ ନାହିଁ। ମୂଳ ଠିକା ସଂସ୍ଥାର ବାଟ ଧରି ସେ ସ୍ଥାନୀୟ ଠିକାଦାରମାନଙ୍କୁ ଦାୟିତ୍ବ ଦେଇଛି।

ତେବେ ବହୁ କେନ୍ଦ୍ର କାମ ଅଧାପନ୍ତରିଆ ହୋଇ ପଡ଼ି ରହିଥିବା ବେଳେ ଏଯାଏ ବଡ଼ଗାଁ, ସୁନ୍ଦରଗଡ଼ ସଦର ବ୍ଲକ୍, ଟାଙ୍ଗରପାଲି, ଲେଫ୍ରିପଡା ଓ ହେମଗିର ବ୍ଲକର ୬୮୪ଟି କେନ୍ଦ୍ର କାମ ମୂଳରୁ ଆରମ୍ଭ ହିଁ ହୋଇନାହିଁ। ଏସବୁ ବ୍ଲକର ଅଙ୍ଗନବାଡ଼ି ଗୃହ କାମ ଏକ ବାହାର ଠିକା ସଂସ୍ଥା ସୁବୁଦ୍ଧି ରିପ୍ରୋଗ୍ରାଫିକ୍ସକୁ ମିଳିଛି। ସଂପୃକ୍ତ ଠିକା ସଂସ୍ଥାର ଅବହେଳା ଯୋଗୁଁ ନିକଟରେ ସୁନ୍ଦରଗଡ଼ ସଦର ବ୍ଲକର ଅଙ୍ଗନବାଡ଼ି ଗୃହ ନବୀକରଣ କାମ ବିଭାଗୀୟ ସମ୍ପାଦନ (ଡିପାର୍ଟମେଣ୍ଟାଲ)ରେ କରିବାକୁ ଜିଲ୍ଲାପ୍ରଶାସନ ନିର୍ଦ୍ଦେଶ ଦେଇଛନ୍ତି। କିନ୍ତୁ ବଡ଼ଗାଁ, ଲେଫ୍ରିପଡା, ଟାଙ୍ଗରପାଲି ଓ ହେମଗିର ବ୍ଲକର ୫୫୭ଟି କୋଠା ଏବେ ବି ସେ ଠିକା ସଂସ୍ଥା ହାତରେ ରହିଛି।

ଅନ୍ୟପଟେ ବାଲିଶଙ୍କରା, କୁତ୍ରା, କୁଅଁରମୁଣ୍ଡା, ନୂଆଗାଁ, ରାଜଗାଙ୍ଗପୁର, ସବଡେଗା ବ୍ଲକର ପ୍ରାୟ ୯୦୬ଟି ଓ ବିଶ୍ରା, ବଣାଇ, ଗୁରୁଣ୍ଡିଆ, ଲାଠିକଟା, କୋଇଡ଼ା, ଲହୁଣିପଡା ବ୍ଲକର ୮୨୪ ଟି କେନ୍ଦ୍ର ଯଥାକ୍ରମେ ଅନୀଳ ଅଗ୍ରୱାଲ ଓ ବିକାଶ ଅଗ୍ରୱାଲ ଟେଣ୍ଡର ପାଇଛନ୍ତି। ସେ ସବୁ ବ୍ଲକର କାମ ମଧ୍ୟ ଭା୍ଗବଣ୍ଟା ଭିତରେ ଛନ୍ଦି ହୋଇ ଆଣ୍ଠେଇ ପଡ଼ିଛି। ସୂଚନାଯୋଗ୍ୟ, ବିପଦସଂକୁଳ ଅବସ୍ଥାରେ ଥିବା ଅନେକ ଅଙ୍ଗନବାଡ଼ି କେନ୍ଦ୍ର ଆଉ ବ୍ୟବହାର ଉପଯୋଗୀ ହୋଇ ରହିନାହିଁ। ବର୍ଷା ଦିନେ ଛାତରୁ ପାଣି ଗଳୁଥିବା ବେଳେ ଅଙ୍ଗନବାଡ଼ିକର୍ମୀମାନେ ବାଧ୍ୟ ହୋଇ ନିଜ ଘରେ ନହେଲେ କାହା ବାରଣ୍ଡାରେ କୋମଳମତି ଶିଶୁମାନଙ୍କୁ ବସାଇ କେନ୍ଦ୍ର ଚଲାଉଛନ୍ତି।

ଲେଫ୍ରିପଡ଼ା ବ୍ଲକରେ ଥିବା ୨୧୩ଟି କେନ୍ଦ୍ର ମଧ୍ୟରୁ ୩୧ଟି କେନ୍ଦ୍ର ଗୃହ ବିପଦସଂକୁଳ ଅବସ୍ଥାରେ। ୩୪ଟି କେନ୍ଦ୍ର ବାରଦୁଆର ହୋଇବୁଲୁଛି। ଏହା ବ୍ୟତୀତ ଶହେଟି କେନ୍ଦ୍ର ଗୃହର ମରାମତି ଜରୁରୀ। ଏସ୍ଥିତିରେ ସଂପୃକ୍ତ ଠିକା ସଂସ୍ଥା ନିର୍ମାଣ ଆରମ୍ଭ କରିବା ପରିବର୍ତ୍ତେ ଦିନ ଗଡ଼ାଇ ନେଉଛି ଓ ଏହାର ଦୁଷ୍ପରିଣାମ କୋମଳମତି ଶିଶୁମାନଙ୍କ ଉପରେ ହିଁ ପଡ଼ୁଛି। ତେଣୁ ଠିକା ସଂସ୍ଥାର ଟେଣ୍ଡର ରଦ୍ଦ କରି ପୁନଃ ଟେଣ୍ଡର କରାଯାଉ କିମ୍ବା ବ୍ଲକଗୁଡ଼ିକୁ ବିଭାଗୀୟ ସମ୍ପାଦନର ଦାୟିତ୍ବ ଦେଇ ତୁରନ୍ତ କାମ ଆରମ୍ଭ କରିବାକୁ ସାଧାରଣରେ ଦାବି ହେଉଛି।

ସମ୍ବନ୍ଧିତ ଖବର