ଭୁବନେଶ୍ବର : ୨୦୨୦ ବର୍ଷ ପାଇଁ ଆଜି ‘ଦାଦା ସାହେବ ଫାଲ୍‌କେ ପୁରସ୍କାର’ ଗ୍ରହଣ କରିଛନ୍ତି ପ୍ରଖ୍ୟାତ ଅଭିନେତ୍ରୀ ଆଶା ପାରେଖ। ନୂଆଦିଲ୍ଲୀର ବିଜ୍ଞାନ ଭବନଠାରେ ଆଜି ୨୦୨୦ ବର୍ଷ ପାଇଁ ‘୬୮ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର’ ଓ ‘ଦାଦାସାହେବ ଫାଲକେ ପୁରସ୍କାର’ ପ୍ରଦାନ ଆୟୋଜିତ ହୋଇଯାଇଛି। ଉତ୍ସବରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଓ ସୂଚନା, ପ୍ରସାରଣ ମନ୍ତ୍ରୀ ଅନୁରାଗ ଠାକୁର ଯୋଗଦେଇ ପୁରସ୍କାର ପ୍ରଦାନ କରିଥିଲେ। ଏଥିସହ ‘ସୁରରାତି ପୋତ୍ରୁ’ ଶ୍ରେଷ୍ଠ ଫିଚର ଫିଲ୍ମ, ଅଜୟ ଦେବଗନ (ତାନାଜୀ ଚଳଚ୍ଚିତ୍ର ପାଇଁ) ଓ ଦକ୍ଷିଣୀ ତାରକା ସୂରିୟା (ସୁରରାତି ପୋତ୍ରୁ ଚଳଚ୍ଚିତ୍ର ପାଇଁ) ଶ୍ରେଷ୍ଠ ଅଭିନେତା ପୁରସ୍କାର ପାଇଛନ୍ତି। ୬୮ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ପ୍ରଦାନ ଅବସରରେ ପ୍ରଥମଥର ପାଇଁ ଓଡ଼ିଆ ଭାଷାରେ ଓଡ଼ିଆ ଚଳଚ୍ଚିତ୍ର ଉପରେ ଆଧାରିତ ‘କାଲି ପାଇଁ କାଲିର ସିନେମା’ ପୁସ୍ତକକୁ ପୁରସ୍କାର ପ୍ରଦାନ କରାଯାଇଛି। ‘କାଲି ପାଇଁ କାଲିର ସିନେମା’ ପୁସ୍ତକର ଲେଖକ ତଥା ବିଶିଷ୍ଟ ସିନେ ସମୀକ୍ଷକ ସୂର୍ଯ୍ୟଦେଓ ଏବଂ ପ୍ରକାଶକ ବନୋଜ ତ୍ରିପାଠୀଙ୍କୁ ଏହି ପୁରସ୍କାର ଗ୍ରହଣ କରିଛନ୍ତି।

Advertisment

ଏହି ଅବସରରେ ଶ୍ରୀ ଦେଓ କହିଛନ୍ତି, ଓଡ଼ିଆ ପୁସ୍ତକ ‘କାଲି ପାଇଁ କାଲିର ସିନେମା’ ପାଇଁ ଓଡ଼ିଆ ଚଳଚ୍ଚିତ୍ର ସାମ୍ବାଦିକତାକୁ ପ୍ରଥମ ଥର ଏହିଭଳି ଏକ ପୁରସ୍କାର ମିଳି ପାରିଛି। ଏହି ପୁରସ୍କାରର ହକଦାର୍‌ କେବଳ ମୁଁ ନୁହେଁ, ଯେଉଁ ଓଡ଼ିଆ ସାମ୍ବାଦିକମାନେ ଓଡ଼ିଆ ଚଳଚ୍ଚିତ୍ର ପାଇଁ ନିଜକୁ ଉତ୍ସର୍ଗ କରିଛନ୍ତି, ସେମାନଙ୍କର ମଧ୍ୟ ଏହି ପୁରସ୍କାରରେ ଭାଗ ରହିଛି। ପ୍ରକାଶନୀ ସଂସ୍ଥାର ପ୍ରକାଶକ ଶ୍ରୀ ତ୍ରିପାଠୀ କହିଛନ୍ତି, ‘କାଲି ପାଇଁ କାଲିର ସିନେମା’ ପୁସ୍ତକ ଯେଉଁ ବିରଳ ସମ୍ମାନର ଅଧିକାର ପାଇଛି, ସେଥିପାଇଁ ଜଣେ ପ୍ରକାଶକ ହିସାବରେ ମୁଁ ଅନେକ ଖୁସି। ଏହି ସମ୍ମାନ ମୋତେ ଅନେକ ପ୍ରେରଣା ସାଉଣ୍ଟିବାର ସୁଯୋଗ ଯୋଗାଇବ। ଏହି ପୁରସ୍କାର ଆଗାମୀ ଦିନରେ ଓଡ଼ିଶାର ପ୍ରକାଶକମାନଙ୍କୁ ଯଥେଷ୍ଟ ଅନୁପ୍ରାଣିତ କରିବା ସହିତ ନୂଆ ନୂଆ ଚିନ୍ତାଧାରାର ପୁସ୍ତକ ପ୍ରକାଶ କରିବାକୁ ଉତ୍ସାହର ସୁଯୋଗ ସୃଷ୍ଟି କରିବ ‌ବୋଲି ଶ୍ରୀ ଦାସ କହିଥିଲେ।