ଛତ୍ରପୁର : ଜଓ୍ବାଦ୍ ବାତ୍ୟାଜନିତ ଲଗାଣବର୍ଷା ଗଞ୍ଜାମ ଜିଲ୍ଲା ଚାଷୀଙ୍କ ଆଖିରେ ଲୁହ ଆଣିଛି। ଚଳିତବର୍ଷ ଭଲ ଫସଲ ଅମଳ ହୋଇଥିବା ବେଳେ ଚାଷୀ ଅମଳ ଫସଲକୁ ସରକାରଙ୍କୁ ବିକ୍ରି କରିବା ପାଇଁ ଯେଉଁ ଆଶା ରଖିଥିଲେ ତାହା ଧୂଳିସାତ ହୋଇଛି। ହଜାର ହଜାର ହେକ୍ଟର୍ ଫସଲ ପାଣିରେ ଲୋଟିଯାଇଥିଲା। ବିଲ ଶୁଖିଲା ପରେ ଚାଷଜମିରୁ ଧାନ କାଢ଼ିବା ବେଳେ କେଉଁଠି ଧାନ ଝଡ଼ି ଯାଉଥିବା ବେଳେ କେଉଁଠି ଧାନ ପଚି ନଷ୍ଟ ହୋଇଯାଇଛି। ଗଞ୍ଜାମ ଜିଲ୍ଲାରେ ୧ ଲକ୍ଷ ୯୯ ହଜାର ହେକ୍ଟରେ୍ ଧାନ ଫସଲ ହୋଇଥିବା ବେଳେ ପ୍ରାୟ ୭୦ ହଜାର ହେକ୍ଟର୍ ଫସଲ କ୍ଷତିଗ୍ରସ୍ତ ହୋଇଥିବା ଆକଳନ କରାଯାଇଛି।

Advertisment

ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ପରେ ଗଞ୍ଜାମ ଜିଲ୍ଲାର ଚାଷୀଙ୍କ କ୍ଷତି ଆକଳନ କରାଯାଇଛି। ଗଞ୍ଜାମ ଜିଲ୍ଲାରେ ୩୩ ପ୍ରତିଶତଠୁ ଅଧିକ ୬୯ ହଜାର ୪୫୩ ହେକ୍ଟର୍ ଫସଲ କ୍ଷତିଗ୍ରସ୍ତ ହୋଇଥିବା ରିପୋର୍ଟ ସଂଗ୍ରହ ହୋଇଛି। ୪୪୧ ପଞ୍ଚାୟତର ୨୩୯୮ ଗାଁ, ୧୨ ସହରା‌ଞ୍ଚଳର ୫୩ଟି ଓ୍ବାର୍ଡ଼ର ଚାଷୀଙ୍କ ଫସଲ କ୍ଷତିଗ୍ରସ୍ତ ହୋଇଛି। ଖଲ୍ଲିକୋଟ ବ୍ଲକର ସର୍ବାଧିକ ୧୩ ହଜାର ୨୯୧ ହେକ୍ଟର୍ ଫସଲ କ୍ଷତିଗ୍ରସ୍ତ ହୋଇଥିବା ବେଳେ କୁକୁଡ଼ାଖଣ୍ତି ବ୍ଲକର ସର୍ବନିମ୍ନ ୬୭୪ ହେକ୍ଟର୍ ଫସଲ କ୍ଷତିଗ୍ରସ୍ତ ହୋଇଛି।

ଛତ୍ରପୁର ବ୍ଲକର ୮୦୭ ହେକ୍ଟର୍, ଗଞ୍ଜାମର ୬୩୭୯, ହିଞ୍ଜିଳିକାଟୁର ୩୨୭୫, କବିସୂର୍ଯ୍ୟନଗର ୩୭୧୬, ବେଗୁନିଆପଡ଼ାର ୭୭୦, ପୋଲସରାର ୫୭୨୮, ପୁରୁଷୋ ତ୍ତମପୁରର ୧୩୬୪, ବେଲଗୁଣ୍ଠାର ୧୮୧୭, ଭଞ୍ଜନଗରର ୮୫୮, ବୁଗୁଡ଼ାର ୨୧୧୩,  ଜଗନ୍ନାଥପ୍ରସାଦର ୪୯୯୬, ଜଗନ୍ନାଥପ୍ରସାଦର ୨୧୬୩, ଶେରଗଡ଼ର ୨୯୯୬, ସୋରଡ଼ାର ୨୧୭୧, ଆସିକାର ୫୬୪୫, ଚିକିଟିର ୬୮୭, ଦିଗପହଣ୍ତିର ୨୭୫୨, ରଙ୍ଗେଇଲୁଣ୍ତାର ୩୨୩୯, ପାତ୍ରପୁରର ୧୧୦୯ ଓ ସାନଖେମୁଣ୍ତି ବ୍ଲକର ୨୮୯୬ ହେକ୍ଟର୍ ଫସଲ କ୍ଷତିଗ୍ରସ୍ତ ହୋଇଥିବା ଜଣାପଡ଼ିଛି।

ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ସଂଗ୍ରହ ହୋଇଥିବା ରିପୋର୍ଟ ରାଜ୍ୟ ସରକାରଙ୍କ ନିକଟକୁ ପଠାଯାଇଛି। ଉକ୍ତ କ୍ଷତିଗ୍ରସ୍ତ ଚାଷୀଙ୍କୁ ତୁରନ୍ତ କ୍ଷତିପୂରଣ ଦେବା ଲାଗି ଜିଲ୍ଲା ପ୍ରଶାସନ ପକ୍ଷରୁ ରାଜ୍ୟ ସରକାରଙ୍କୁ ନିବେଦନ କରାଯାଇଛି। ସେହିପରି ଲଗାଣ ବର୍ଷାରେ ଜିଲ୍ଲାର ବହୁ ସଂଖ୍ୟକ ଚାଷୀ କ୍ଷତିଗ୍ରସ୍ତ ହୋଇଥିବା ବେଳେ ଚଳିତବର୍ଷ ଧାନ ବିକ୍ରି ସମୟରେ ଧାନ ଗୁଣମାନ ନିରୂପଣ ସମୟରେ  ଚାଷୀଙ୍କ ପ୍ରତି କୋହଳ କରିବା ଲାଗି ଜିଲ୍ଲାର ଚାଷୀମାନେ ଜିଲ୍ଲା ପ୍ରଶାସନ ଓ ରାଜ୍ୟ ସରକାରଙ୍କୁ ନିବେଦନ କରିଛନ୍ତି।