ଖୋର୍ଦ୍ଧା ‘ସମ୍ବାଦ ସାହିତ୍ୟଘର’ର ୬ଷ୍ଠ ବାର୍ଷିକୋତ୍ସବ; ତୁଣ୍ଡି ଖୋଲିଲା, ତୁଣ୍ଡ ଖୋଲୁନାହିଁ: ସୌମ୍ୟ

‘ଓଡ଼ିଶା ବିଚାର’ର ପ୍ରେରଣା ଆମ ପ୍ରଭୁ ଶ୍ରୀଜଗନ୍ନାଥ

ଖୋର୍ଦ୍ଧା : ଭାରତରେ ବର୍ତ୍ତମାନ ବିଚାରର ଯେଉଁ ବିଭ୍ରାଟ ଦେଖାଦେଇଛି ତାକୁ ଓଡ଼ିଶା ବିଚାର ଔଷଧ ଭଳି କାମ କରିବ। ହିନ୍ଦୁ-ମୁସଲିମଙ୍କୁ ନେଇ ରାଜନୈତିକ ବିଭ୍ରାଟ ସୃଷ୍ଟି ହୋଇଛି। ଓଡ଼ିଶାରେ ମଧ୍ୟ ମହାପ୍ରଭୁ ଜଗନ୍ନାଥଙ୍କୁ ନେଇ ପୋଡ଼ିଦେବାକୁ ଚେଷ୍ଟା ହୋଇଛି। ଏହାସତ୍ତ୍ବେ ଅନ୍ୟସ୍ଥାନରେ ଯେଉଁ ବିଭେଦ ଦେଖାଦେଉଛି ଜଗନ୍ନାଥଙ୍କ ଆଶୀର୍ବାଦ ଯୋଗୁ ସେଭଳି ବିଭେଦ ଏଠାରେ ନାହିଁ। ହିନ୍ଦୁ-ମୁସଲିମ ମଧ୍ୟରେ କିପରି ଏକଜୁଟ କରିବେ ତା’ର ବାଟ ମିଳୁ ନଥିବା ବେଳେ ଓଡ଼ିଶାର ଜଗନ୍ନାଥଙ୍କ ସଂସ୍କୃତି ହିଁ ଏହାର ବାଟ ଦେଖାଇବ। ଏହା ହିଁ ଓଡ଼ିଶା ବିଚାରର ଏକ ଦିଗ ବୋଲି ‘ସମ୍ବାଦ’ର ସମ୍ପାଦକ ତଥା ଖଣ୍ତପଡ଼ା ବିଧାୟକ ସୌମ୍ୟରଂଜନ ପଟ୍ଟନାୟକ ବୁଧବାର ଦିନ ଖୋର୍ଦ୍ଧା ‘ସମ୍ବାଦ ସାହିତ୍ୟଘର’ର ୬ଷ୍ଠ ବାର୍ଷି କୋତ୍ସବରେ ମୁଖ୍ୟଅତିଥି ଭାବେ ଯୋଗଦେଇ କହିଛନ୍ତି।

ବର୍ତ୍ତମାନ ଯେତେବେଳେ ସାମାଜିକ ବ୍ୟବସ୍ଥା ଅନେକ ପରିମାଣରେ ରାଜନୀତି ମୁହାଁ ହୋଇଯାଇଛି, ଏହି ସମୟରେ ସାହିତ୍ୟିକମାନେ କେଉଁ ଭୂମିକା ଗ୍ରହଣ କରିବେ ସେ ସମ୍ପର୍କରେ ପର୍ଯ୍ୟାଲୋଚନା କରିବାର ସମୟ ଆସି ପହଞ୍ଚିଛି। କରୋନା ମହାମାରୀ ପରବର୍ତ୍ତୀ ସ୍ବାଭାବିକ ଅବସ୍ଥାରେ ସମସ୍ତଙ୍କ ମୁହଁରୁ ତୁଣ୍ଡି ଖୋଲିଯାଇଛି; ଅଥଚ ସାହିତ୍ୟିକ ଓ ବୁଦ୍ଧିଜୀବୀମାନଙ୍କ ତୁଣ୍ଡ ଏବେ ମଧ୍ୟ ଖୋଲୁନାହିଁ। ସମସ୍ତେ ଚାହୁଁଛନ୍ତି ସବୁକିଛି ଭଲ ହେଉ। ହେଲେ ସମସ୍ତେ ନିରବ। ସାହିତ୍ୟଘର ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗରେ ବୁଦ୍ଧିଜୀବୀଙ୍କ ତୁଣ୍ଡ ‌ଖୋଲାଉ ବୋଲି ସେ ପ୍ରସ୍ତାବ ଦେଇଥିଲେ। ଅନେକ ସମୟରେ ଅନେକ ପ୍ରସଙ୍ଗକୁ ନେଇ ମାଟି ଓ ପାର୍ଟି ମଧ୍ୟରେ ଗୋଟିଏ ପକ୍ଷ ନେବାକୁ ପଡ଼ିଥାଏ। ଯଦି ନିଜ ବିଚାରର ସ୍ବଚ୍ଛତା ରହିଛି ତେବେ ଏଥିରେ କୌଣସି ଦ୍ବନ୍ଦ୍ବ ଉପୁଜିବ ନାହିଁ। ବର୍ତ୍ତମାନ ସମସ୍ତଙ୍କ ଘରେ ପୁରୁଣା ପିଢ଼ି ଓ ନୂଆ ପିଢ଼ି ମଧ୍ୟରେ ଯେଉଁ ସମସ୍ୟା ଦେଖାଦେଇଛି ତାହା ‘ସାହିତ୍ୟଘର’ରେ ମଧ୍ୟ ଦିଶୁଛି। ନୂତନ ପିଢ଼ିର ଲେଖକ ଓ ସାହିତ୍ୟିକଙ୍କ ସୃଷ୍ଟି ସହ ଏହି ପରିବାର ସହ ଯୋଡ଼ିବାର ଆବଶ୍ୟକତା ରହିଛି ବୋଲି ପରାମର୍ଶ ଦେଇଥିଲେ। ଖୋର୍ଦ୍ଧା ସାହିତ୍ୟଘର ନିଶା ନିବାରଣ କାର୍ଯ୍ୟରେ ମଧ୍ୟ ଯୋଗଦାନ କରିଛି। ଏହା ଏକ ସ୍ବାଗତଯୋଗ୍ୟ ପଦକ୍ଷେପ ବୋଲି କହି ଆଗାମୀ ଦିନରେ ଅନ୍ୟ ‘ସାହିତ୍ୟଘର’କୁ ଏହା ପ୍ରେରଣା ଯୋଗାଇବ ବୋଲି ଶ୍ରୀ ପଟ୍ଟନାୟକ କହିଥିଲେ।

ସ୍ଥାନୀୟ ଗୀତା ମନ୍ଦିର ପରିସରରେ ଖୋର୍ଦ୍ଧା ‘ସାହିତ୍ୟଘର’ର ସଭାପତି ସତ୍ୟବାଦୀ ବଳିଆରସିଂହଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ସ୍ବତନ୍ତ୍ର ଅତିଥି ଭାବେ ବୋଲଗଡ଼ର ଏବିଡିଓ ତଥା ସାହିତ୍ୟିକ ରତିକାନ୍ତ ମିଶ୍ର ଫ୍ରାନ୍ସ ବିପ୍ଳବ, ଜୋନ୍ ଅଫ୍ ଆର୍କ ଆଦିର ଆଲୋଚନା କରି ସାମାଜିକ ଓ ରାଜନୈତିକ ସଂସ୍କାର ଓ ବ୍ୟବସ୍ଥାର ପରିବର୍ତ୍ତନରେ ଲେଖକ ଓ ସାହିତ୍ୟିକଙ୍କ ଭୂମିକା ସମ୍ପର୍କରେ ଆଲୋକପାତ କରିଥିଲେ।

ମୁଖ୍ୟବକ୍ତା ଭାବେ ସମ୍ବାଦ ସାହିତ୍ୟଘରର ରାଜ୍ୟ ସଂଯୋଜିକା ଶୁଭଶ୍ରୀ ଲେଙ୍କା ନିଜ ବକ୍ତବ୍ୟରେ ସାହିତ୍ୟ ଘରର ବିଭିନ୍ନ ଭାଷା ଓ ସାହିତ୍ୟ ସମ୍ପର୍କୀତ କାର୍ଯ୍ୟ ସହ ବୃକ୍ଷରୋପଣ ଓ ଅନ୍ୟ ସାମାଜିକ ଦାୟିତ୍ବବୋଧ ସମ୍ପର୍କରେ ଆଲୋଚନା କରିଥିଲେ। ସମ୍ମାନିତ ଅତିଥି ଭାବେ ପୁରୀ ସରକାରୀ ମହାବିଦ୍ୟାଳୟର ପୂର୍ବତନ ଅଧ୍ୟକ୍ଷ ଡ ଶରତ୍‌ଚନ୍ଦ୍ର ମହାପାତ୍ର ମଧ୍ୟ ବକ୍ତବ୍ୟ ରଖିଥିଲେ।

ଖୋର୍ଦ୍ଧା ବିଧାୟକ ଜ୍ୟୋତିରୀନ୍ଦ୍ରନାଥ ମିତ୍ର ସାହିତ୍ୟ ଓ ଭାଷାର ଉନ୍ନତି ପାଇଁ ‘ସମ୍ବାଦ ସାହିତ୍ୟଘର’ ଏକ ବୃହତ୍‌ ସଂଗଠନ ଭାବେ କାର୍ଯ୍ୟକରୁ ବୋଲି ଆଶାପୋଷଣ କରିଥିଲେ। ଏହି ଅବସରରେ ‘ସମ୍ବାଦ ସାହିତ୍ୟଘର’ର ମୁଖପତ୍ର ‘ପ୍ରୟାସ’ ଉନ୍ମୋଚିତ ହୋଇଥିଲା। ଏହାସହ ‘ସମ୍ବାଦ ସାହିତ୍ୟଘର’ର ସଭ୍ୟ କୈଳାସଚନ୍ଦ୍ର ପୃଷ୍ଟିଙ୍କ କବିତା ସଂକଳନ ‘ମନ୍ଦାକିନୀ ତୀରେ’, ରାଜ କିଶୋର ବଳିଆରସିଂହଙ୍କ ‘ଯୁଗଯୁଗ କଥା’ ଓ ରାଜ କିଶୋର ପତିଙ୍କର ଉପନ୍ୟାସ ‘ନିମନ୍ତ୍ରଣ ଭାଗ–୨’ ଲୋକାର୍ପିତ ହୋଇଥିଲା। ରାମଶଙ୍କର ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ସମ୍ପାଦକ ଗୋବିନ୍ଦଚନ୍ଦ୍ର ମହାରଣା ବାର୍ଷିକ ବିବରଣୀ ପାଠ କରିଥିଲେ। କୋଷାଧ୍ୟକ୍ଷା ଇତିଶ୍ରୀ ସାହୁ ଧନ୍ୟବାଦ ଦେଇଥଲେ। କୃଷ୍ଣଚନ୍ଦ୍ର ହରିଚନ୍ଦନ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଏହାପୂର୍ବରୁ କବିତା ପାଠୋତ୍ସବ ଅନୁଷ୍ଠିତ ହୋଇଥିଲା।

ସମ୍ବନ୍ଧିତ ଖବର