ବୁର୍ଲା: ନବୋଦୟ ବିଦ୍ୟାଳୟ ସମିତି ପକ୍ଷରୁ ଗତ ୨ ତାରିଖରେ ୨୦୨୩/୨୪ ଶିକ୍ଷାବର୍ଷର ଷଷ୍ଠ ଶ୍ରେଣୀରେ ପ୍ରବେଶିକା ପରୀକ୍ଷା ମାଧ୍ୟମରେ ନାମ ଲେଖାଇବା ପାଇଁ ଏକ ବିଜ୍ଞପ୍ତି ପ୍ରକାଶିତ ହୋଇଥିଲା। ଏହି ବିଜ୍ଞପ୍ତି ଅନୁଯାୟୀ ପ୍ରବେଶିକା ପରୀକ୍ଷାରେ ଆବେଦନ କରିବାକୁ ହେଲେ ସଂପୃକ୍ତ ଛାତ୍ରଛାତ୍ରୀ ଏହାର ଫର୍ମ ଡାଉନଲୋଡ୍ କରି ପଢୁଥିବା ବିଦ୍ୟାଳୟର ପ୍ରଧାନ ଶିକ୍ଷକ/ଶିକ୍ଷୟତ୍ରୀଙ୍କ ହସ୍ତାକ୍ଷର ପରେ ଅନ୍ଲାଇନ୍ ଆବେଦନ କରିପାରିବେ। ଏହି ପ୍ରବେଶିକା ପରୀକ୍ଷା ପାଇଁ ଆବେଦନର ଶେଷ ତାରିଖ ୩୧ ଜାନୁଆରି ଥିବା ବେଳେ ଏହାର ପରୀକ୍ଷା ଆସନ୍ତା ଅପ୍ରେଲ ୨୯ ତାରିଖରେ ହେବ ବୋଲି ବିଜ୍ଞପ୍ତିରେ ଉଲ୍ଲେଖ ରହିଛି।
କିନ୍ତୁ, ଗତ ୫/୬ ଦିନ ହେବ ଛାତ୍ରଛତ୍ରୀମାନେ ଅନ୍ଲାଇନ୍ ଆବେଦନ କରିପାରୁନାହାନ୍ତି। କେତେବେଳେ ସର୍ଭର ଜାମ୍ ତ କେତେବେଳେ ସାଇଟ୍ ଖୋଲୁନଥିବା ଅଭିଭାବକମାନେ ଅଭିଯୋଗ କରୁଛନ୍ତି। ଆବେଦନ କରିପାରୁ ନଥିବାରୁ ଏବେ ଅଭିଭାବକମାନେ ଚିନ୍ତାରେ ପଡ଼ିଯାଇଛନ୍ତି। ଏ ସଂପର୍କରେ ଗୋଶାଳା ନବୋଦୟ ବିଦ୍ୟାଳୟର ଅଧ୍ୟକ୍ଷ ଏସ୍କେ ଦାଶଙ୍କୁ ପଚାରିବାରୁ ସେ କହିଥିଲେ ଯେ ଅନ୍ୟ ଜିଲ୍ଲାଗୁଡ଼ିକର ଆବେଦନ ଆସୁଛି। ଏକା ସଙ୍ଗେ ଅନେକ ଛାତ୍ର ଆବେଦନ କରୁଥିବାରୁ କେତେବେଳେ ଅସୁବିଧାର ସମ୍ମୁଖୀନ ହେଉଥିବ। ତେବେ ଏହାକୁ ଆଖି ଆଗରେ ରଖି ନବୋଦୟ ବିଦ୍ୟାଳୟ ସମିତି ପକ୍ଷରୁ ଆବେଦନ ସମୟ ସୀମା ୩୧ ଜାନୁଆରିରୁ ୮ ଫେବ୍ରୁଆରିକୁ ବଢ଼ାଯାଇଛି।