ଗୁଣପୁର: ରାୟଗଡା ଜିଲ୍ଲା ଗୁଣୁପୁର ବ୍ଲକ ଅନ୍ତର୍ଗତ ପୁଟାସିଂ ସରକାରୀ ଉଚ୍ଚ ବାଳିକା ବିଦ୍ୟାଳୟର ହଷ୍ଟେଲରେ ରହୁଥିବା ଜଣେ ଛାତ୍ରୀଙ୍କ ମୃତ୍ୟୁ ଘଟିଛି। ମୃତ ନାବାଳିକା ହେଲା ଲୀନା ଭୂୟାଁ (୧୨)। ସେ ଷଷ୍ଠ ଶ୍ରେଣୀର ଛାତ୍ରୀ ହୋଇଥିବା ଜଣାପଡ଼ିଛି।
ବିଦ୍ୟାଳୟର ପ୍ରଧାନଶିକ୍ଷକ ବୃନ୍ଦାବନ ସାହୁଙ୍କ କହିବା ଅନୁଯାୟୀ, ଛାତ୍ରୀ ଜଣକ ଗୁରୁବାର ସାମାନ୍ୟ ଅସୁସ୍ଥ ଥିଲେ। ହଷ୍ଟେଲ କର୍ତ୍ତୃପକ୍ଷ ନାବାଳିକାର ସ୍ଵାସ୍ଥ୍ୟ ପରୀକ୍ଷା କରାଇବା ସହ ମ୍ୟାଲେରିଆ ଟେଷ୍ଟ ମଧ୍ୟ କରାଇଥିଲେ। ତେବେ ଆଜି ସକାଳୁ ନାବାଳିକା ଜଣକ ହଠାତ ଅସୁସ୍ଥ ହୋଇପଡ଼ି ଗୁରୁତର ହୋଇଥିଲେ। ସଙ୍ଗେ ସଙ୍ଗେ ବିଦ୍ୟାଳୟ ଓ ହଷ୍ଟେଲ କର୍ତ୍ତୃପକ୍ଷ ଚିକିତ୍ସା ପାଇଁ ଗୁଣୁପୁର ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରିଥିବା ବେଳେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।
ଦାୟିତ୍ବରେ ଅବହେଳା ଯୋଗୁଁ ଝିଅର ମୃତ୍ୟୁ ଘଟିଲା ବୋଲି ମୃତ ନାବାଳିକାର ବାପା ରାଜେଶ ଭୂୟାଁ ଅଭିଯୋଗ କରିଛନ୍ତି। ଝିଅ ଅସୁସ୍ଥ ଥିବନେଇ ସ୍କୁଲ କର୍ତ୍ତୃପକ୍ଷ ତାଙ୍କୁ ଅବଗତ ମଧ୍ୟ କରି ନ ଥିବା ନେଇ ଅଭିଯୋଗ କରିଛନ୍ତି। ବର୍ତ୍ତମାନ ମୃତଛାତ୍ରୀଙ୍କ ଶବ ଗୁଣପୁର ଉପଖଣ୍ଡ ଚିକିତ୍ସାଳୟରେ ପଞ୍ଚନାମା କରାଯିବା ପରେ ପରିବାରଲୋକଙ୍କୁ ହସ୍ତାନ୍ତର କରାଯିବ ବୋଲି ପୁଲିସ ସୂତ୍ରରୁ ସୂଚନା ମିଳିଛି।
ସୂଚନାଯୋଗ୍ୟ ଯେ ମୃତଛାତ୍ରୀର ନିଜ ଗ୍ରାମ ଶଗଡ଼ା ପଂଚାୟତର କରଂଜା ସିଂ ହୋଇଥିବା ବେଳେ ଚଳିତ ବର୍ଷ ପୁଟାସିଂ ଆବାସିକ ବିଦ୍ୟାଳୟରେ ଷଷ୍ଠ ଶ୍ରେଣୀରେ ପଢୁଥିଲା।