କୋରାପୁଟରେ ରାଜ୍ୟର ଷଷ୍ଠ ପ୍ଲାଜ୍‌ମା ବ୍ୟାଙ୍କ

ଭୁବନେଶ୍ୱର : କୋରାପୁଟର ଶହୀଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜରେ ଆଜି ରାଜ୍ୟର ଷଷ୍ଠ ପ୍ଲାଜ୍‌ମା ବ୍ୟାଙ୍କକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦ୍‌ଘାଟନ କରିଛନ୍ତି। ଭିଡ଼ିଓ କନଫରେନ୍ସିଂ ଜରିଆରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ରାଜ୍ୟରେ ପ୍ଲାଜ୍‌ମା ଚିକିତ୍ସା ସଫଳ ହୋଇଛି। ଅଧିକରୁ ଅଧିକ କୋଭିଡ୍‌ ରୋଗୀ ଏହି ଚିକିତ୍ସା ପଦ୍ଧତିରେ ସୁସ୍ଥ ହେଉଛନ୍ତି। ସଂପ୍ରତି କୋଭିଡ୍‌ ପାଇଁ ପ୍ଲାଜ୍‌ମା ଚିକିତ୍ସା ପଦ୍ଧତିରେ ଭାରତ ନୁହେଁ, ସାରା ବିଶ୍ବରେ ଓଡ଼ିଶା ଏକ ଅଗ୍ରଗଣ୍ୟ ସ୍ଥାନ ହାସଲ କରିପାରିଛି। ଓଡ଼ିଶାର ଡାକ୍ତର ଓ ମେଡିକାଲ ଟିମ୍‌ର ଦକ୍ଷତା ଓ ପ୍ରତିବଦ୍ଧତା ଯୋଗୁ ଏହା ସଫଳ ହୋଇପାରିଛି ଏବଂ ସେମାନଙ୍କ ପାଇଁ ଗର୍ବିତ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

ରାଜ୍ୟର ସବୁ ନାଗରିକଙ୍କୁ ଅତ୍ୟାଧୁନିକ ଚିକିତ୍ସା ସୁବିଧା ଯୋଗାଇ ଦେବା ପାଇଁ ରାଜ୍ୟ ସରକାରଙ୍କ ପ୍ରତିବଦ୍ଧ ବୋଲି ଦୋହରାଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ରାଜ୍ୟର କେହି ଜଣେ ବି ରୋଗୀ ଅତ୍ୟାଧୁନିକ ଚିକିତ୍ସାରୁ ବଞ୍ଚିତ ହେବେ ନାହିଁ। ବର୍ତ୍ତମାନ ଏହି ନୂଆ ପ୍ଲାଜ୍‌ମା ବ୍ୟାଙ୍କ ଉଦ୍‌ଘାଟିତ ହେବା ଦ୍ବାରା ରାଜ୍ୟର ସବୁ ଅଞ୍ଚଳର କୋଭିଡ୍ ରୋଗୀମାନେ ପ୍ଲାଜମା ଚିକିତ୍ସାର ସୁବିଧା ପାଇପାରିବେ। ବିଶେଷକରି ଆଦିବାସୀବହୁଳ କୋରାପୁଟ ଜିଲ୍ଲାରେ ଏହି ବ୍ୟାଙ୍କ ଖୋଲିବା ଦ୍ବାରା ସେହି ଅଞ୍ଚଳର ସ୍ବାସ୍ଥ୍ୟ ସେବା କ୍ଷେତ୍ରରେ ଏହା ଆଉ ଏକ ମାଇଲଷ୍ଟୋନ ହୋଇପାରିଛି। ଆଧୁନିକ ଚିକିତ୍ସା ପଦ୍ଧତି ଉପରେ ଜନଜାତି ବ୍ୟକ୍ତିଙ୍କ ଆସ୍ଥା ଓ ବିଶ୍ବାସ ଏହା ଅଧିକ ସୁଦୃଢ କରିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ଏହି ଅବସରରେ କୋଭିଡରୁ ଆରୋଗ୍ୟ ଲାଭ କରିଥିବା ବ୍ୟକ୍ତିମାନେ ପ୍ଲାଜ୍‌ମା ଦାନ କରି ଅନ୍ୟମାନଙ୍କ ଜୀବନ ରକ୍ଷା ପାଇଁ ଆଗେଇ ଆସିବାକୁ ମୁଖ୍ୟମନ୍ତ୍ରୀ ପୁଣିଥରେ ଆହ୍ବାନ ଜଣାଇଥିଲେ।

ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ଯୋଗ ଦେଇ ସ୍ବାସ୍ଥ୍ୟ ମନ୍ତ୍ରୀ ନବ ଦାସ ଓ ହସ୍ତତନ୍ତ ଓ ବୟନଶିଳ୍ପ ମନ୍ତ୍ରୀ ପଦ୍ମିନୀ ଦିଆନ କହିଥିଲେ ଯେ କୋରାପୁଟରେ ପ୍ଲାଜ୍‌ମା ବ୍ୟାଙ୍କ ସ୍ଥାପନ ହେବାଦ୍ବାରା ଓଡିଶାର ଦକ୍ଷିଣାଞ୍ଚଳର କୋଭିଡ ରୋଗୀମାନେ ଉପକୃତ ହେବେ।

ସ୍ବାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର ସ୍ବାଗତ ଭାଷଣ ଦେଇଥିଲେ ଏବଂ ଜିଲ୍ଲାପାଳ ଧନ୍ୟବାଦ ଅର୍ପଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ପ୍ଲାଜ୍‌ମା ବ୍ୟାଙ୍କ ସଂପର୍କରେ ଏକ ଭିଡିଓ ଚିତ୍ର ପ୍ରଦର୍ଶିତ ହୋଇଥିଲା। ମୁଖ୍ୟମନ୍ତ୍ରୀ ଜଣେ ପ୍ଲାଜ୍‌ମା ଦାତାଙ୍କ ସହ କଥାହୋଇ ତାଙ୍କର ମହନୀୟତା ପାଇଁ ଧନ୍ୟବାଦ ଜଣାଇଥିଲେ। କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ମନ୍ତ୍ରୀ ଜଗନ୍ନାଥ ସାରକା, ନବରଂଗପୁର ସାଂସଦ ରମେଶ ଚନ୍ଦ୍ର ମାଝୀ, ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତି, କୋରାପୁଟ ବିଧାୟକ ରଘୁରାମ ପଡାଲ, ମୁଖ୍ୟ ଶାସନ ସଚିବ ଅସିତ କୁମାର ତ୍ରିପାଠୀ, ଉନ୍ନୟନ କମିସନର ସୁରେଶ ଚନ୍ଦ୍ର ମହାପାତ୍ର, ଅତିରିକ୍ତ ମୁଖ୍ୟ ଶାସନ ସଚିବ ତଥା ସ୍ବତନ୍ତ୍ର ରିଲିଫ କମିସନର ପ୍ରଦୀପ କୁମାର ଜେନା ପ୍ରମୁଖ ଉପସ୍ଥିତ ଥିଲେ। ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି) ଭି.କେ. ପାଣ୍ଡିଆନ କାର୍ଯ୍ୟକ୍ରମ ସଞ୍ଚାଳନ କରିଥିଲେ।

ସମ୍ବନ୍ଧିତ ଖବର