ସମ୍ବଲପୁର: ଓଡ଼ିଶା ବିଧାନସଭାରେ ଏଥର ମାତ୍ର ୭.୪% ମହିଳାଙ୍କ ପ୍ରତିନିଧିତ୍ବ। ଅର୍ଥାତ୍‌ ଚଳିତ ନିର୍ବାଚନରେ ୧୪୭ରୁ ମାତ୍ର ୧୧ ଜଣ ବିଧାୟିକା ନିର୍ବାଚିତ ହୋଇଛନ୍ତି। ଏଥିରେ ବିଜେପିର ୭୮ରୁ ୫, ବିଜେଡିର ୫୧ରୁ ୫ ଏବଂ କଂଗ୍ରେସର ୧୪ରୁ ମାତ୍ର ଜଣେ ଅଛନ୍ତି। ଯାହାକି ୨୦ ବର୍ଷ ମଧ୍ୟରେ ଦ୍ବିତୀୟ ସର୍ବନିମ୍ନ ସ୍ତର ଅଟେ। ଏହାପୂର୍ବରୁ ୨୦୦୪ ମସିହାରେ ୧୨, ୨୦୦୯ ମସିହାରେ ୭, ୨୦୧୪ରେ ୧୨, ୨୦୧୯ ମସିହାରେ ସର୍ବାଧିକ ୧୮ ଜଣ ମହିଳା ବିଧାୟକ ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ଆଶା କରାଯାଉଥିଲା, ଚଳିତ ବର୍ଷ ଏହି ସଂଖ୍ୟା ବଢ଼ିବ ମାତ୍ର ଏହାର ବିପରୀତ ସ୍ଥିତି ସୃଷ୍ଟି ହୋଇଛି। ରାଜ୍ୟରେ ସମୁଦାୟ ମତଦାତାଙ୍କ ସଂଖ୍ୟା ୩ କୋଟି ୩୬ ଲକ୍ଷ ୪୬ ହଜାର ୭୬୨। ଏଥିରେ ମହିଳା ମତାଦାତାଙ୍କ ସଂଖ୍ୟା ୧ କୋଟି ୬୬ ଲକ୍ଷ ୦୩ ହଜାର ୪୦୧। ଚଳିତ ନିର୍ବାଚନରେ ୭୫.୫% ମହିଳା ମତାଦାତା ଭୋଟ୍‌ ଦେଇଛନ୍ତି। ଯାହାକି ପୁରୁଷ ଦେଇଥିବା ଭୋଟରଙ୍କ ସଂଖ୍ୟା ଠାରୁ ୨ ପ୍ରତିଶତ ଅଧିକ ଅଟେ। କିନ୍ତୁ, ଚଳିତ ବିଧାନସଭାରେ ବିଜେପି ପକ୍ଷରୁ ସର୍ବନିମ୍ନ ୧୨, ବିଜେଡି ୩୫ ଏବଂ କଂଗ୍ରେସ ୨୧ ଜଣଙ୍କୁ ଟିକେଟ ଦେଇଥିଲା। ଅର୍ଥାତ୍‌ କୌଣସି ଦଳ ମଧ୍ୟ ୩୩ ପ୍ରତିଶତ ମହିଳାଙ୍କୁ ନିର୍ବାଚନରେ ଓହ୍ଲାଇନଥିଲା। ଯେଉଁ ମହିଳାମାନଙ୍କୁ ଟିକେଟ ଦିଆଯାଇଥିଲା ସେମାନଙ୍କ ମଧ୍ୟରୁ ଅଧିକାଂଶ ରାଜନେତାଙ୍କ ରାଜନୀତିରେ ସକ୍ରିୟ ନଥିବା ପତ୍ନୀ, ଝିଅ ଏବଂ ମା’ ଅଟନ୍ତି।

Advertisment

ଯେଉଁ ମହିଳାମାନେ ନିର୍ବାଚିତ ହୋଇଛନ୍ତି ସେଥିରେ ଅଛନ୍ତି ବିଜେପି ବିଧାୟିକା ରଣପୁରର ସୁରମା ପାଢ଼ୀ, ହିନ୍ଦୋଳର ସୀମାରାଣୀ ନାଏକ, ବାଙ୍ଗିରିପୋଷିର ସଞ୍ଜଳୀ ମୁର୍ମୁ, ବ୍ରହ୍ମଗିରିର ଉପାସନା ମହାପାତ୍ର, ନିମାପଡ଼ାର ପ୍ରଭାତୀ ପରିଡ଼ା, ବିଜେଡି ବିଧାୟିକାଙ୍କ ମଧ୍ୟରେ ଅଛନ୍ତି ପଦମପୁରର ବର୍ଷା ସିଂ ବରିହା, ନର୍ଲାର ମନୋରମା ମହାନ୍ତି, ବସ୍ତାର ସୁବାସିନୀ ଜେନା, ବିଞ୍ଝାରପୁରର ପ୍ରମିଳା ମଲ୍ଲିକ, ଯାଜପୁରର ସୁଜାତା ସାହୁ, କଂଗ୍ରେସ ବିଧାୟିକା ବାରବାଟିରୁ ସୋଫିଆ ଫିରଦୋସ ରହିଛନ୍ତି। ସଞ୍ଜଳି, ସୋଫିଆ, ପ୍ରଭାତୀ, ମନୋରମା, ସୁବାସିନୀ ପ୍ରଥମ କରି ମହିଳା ବିଧାୟିକା ହୋଇଛନ୍ତି। ସଞ୍ଜଳି ୨୦୧୯ର ବିଜେପି ବିଧାୟକ ପ୍ରାର୍ଥୀ ସୁଗଧା ମୁର୍ମୁଙ୍କ ଝିଅ, ସୋଫିଆ ମହମ୍ମଦ ମୋକିମଙ୍କ ଝିଅ, ଉପାସନା ଦିବଙ୍ଗତ କଂଗ୍ରେସ ନେତା ଲୁଲୁ ମହାପାତ୍ରଙ୍କ ଝିଅ, ବର୍ଷା ବିଜୟ ରଞ୍ଜନ ସିଂବରିହାଙ୍କ ଝିଅ, ସୁବାସିନୀ ଜେନା ପୂର୍ବତନ ବାଲେଶ୍ବର ସାଂସଦ ରବୀନ୍ଦ୍ର ଜେନାଙ୍କ ସ୍ତ୍ରୀ ଅଟନ୍ତି। ଅନ୍ୟଦିଗରେ ଏହି ନିର୍ବାଚନରେ ୨୨ ମହିଳା ପ୍ରାର୍ଥୀ ଦ୍ବିତୀୟ ସ୍ଥାନରେ ରହିଛନ୍ତି। ଏଥିରେ ବିଜେଡିର ସର୍ବାଧିକ ନେତ୍ରୀ ଅଛନ୍ତି। ସେହିପରି, ଲୋକସଭାରେ ବିଜେଡି ୭, ବିଜେପି ୪ ଏବଂ କଂଗ୍ରେସ ୨ ଜଣଙ୍କୁ ଟିକେଟ ଦେଇଥିଲା। ଚଳିତ ବର୍ଷ ୨୦ ନିର୍ବାଚିତ ବିଜେପି ସାଂସଦଙ୍କ ମଧ୍ୟରୁ ୪ ମହିଳା ସାଂସଦ ଭୁବନେଶ୍ବରର ଅପରାଜିତା ଷଡ଼ଙ୍ଗୀ, ବଲାଙ୍ଗୀରର ସଙ୍ଗୀତା ସିଂହଦେଓ, କଳାହାଣ୍ଡିର ମାଳବିକା ଦେବୀ, ଆସିକାର ଅନିତା ଶୁଭଦର୍ଶିନୀ ଅଛନ୍ତି। ପୂର୍ବରୁ ୨୦୦୪ ମସିହାରେ ଜଣେ, ୨୦୦୯ରେ ୦ , ୨୦୧୪ରେ ୩ ଏବଂ ୨୦୧୯ ମସିହାରେ ୭ ଜଣ ମହିଳା ଓଡ଼ିଶାର ସାଂସଦ ହୋଇଥିଲେ। ୨୦୨୩ ମସିହାରେ ଦଳମତ ନିର୍ବିଶେଷରେ ସଂସଦରେ ୩୩ ପ୍ରତିଶତ ମହିଳାଙ୍କୁ ପ୍ରାର୍ଥୀ ପାଇଁ ବିଲ୍‌ ଅନୁମୋଦିତ ହୋଇଥିଲା। ୨୦୨୯ ସାଧାରଣ ନିର୍ବାଚନରେ ଏହାକୁ କାର୍ଯ୍ୟକାରୀ କରାଯିବା ପାଇଁ ନିଷ୍ପତ୍ତି ହୋଇଥିଲା। କିନ୍ତୁ ଚଳିତ ନିର୍ବାଚନରେ ରାଜନୈତିକ ଦଳଗୁଡ଼ିକ ମହିଳାଙ୍କୁ ଗୁରୁତ୍ବ ଦେବେ ବୋଲି ଆଶା ରହିଥିଲା। ମାତ୍ର ଏହାର ବିପରୀତ ଚିତ୍ର ଦେଖିବାକୁ ମିଳିଛି।